ଭୁବନେଶ୍ବର: ବଦଳିବ ରାଜ୍ୟର ଶିକ୍ଷାନୀତି । ରାଜ୍ୟରେ ନୂତନ ଶିକ୍ଷା ନୀତି 2020 ଲାଗୁ ପରେ ବଦଳିବ ଶିକ୍ଷା ବ୍ୟବସ୍ଥା । ପ୍ରି-ସ୍କୁଲ ପିଲାଙ୍କ ପାଇଁ ଖୋଲାଯିବ ଶିଶୁ ବାଟିକା । ସେହିପରି 6 ବର୍ଷ ହେଲେ ପିଲା ପ୍ରଥମ ଶ୍ରେଣୀରେ ନାମ ଲେଖାଇବେ । ଆଜି ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରରେ ନୂଆ ଶିକ୍ଷା ନୀତି-୨୦୨୦ ସମ୍ପର୍କିତ ଏକ ତିନି ଦିନିଆ ଜାତୀୟ କର୍ମଶାଳାର ଶୁଭାରମ୍ଭ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଓଡିଶାରେ ଏହାର କାର୍ଯ୍ୟକାରିତା ସମ୍ପର୍କରେ ଆଭିମୁଖ୍ୟ ରଖିଛନ୍ତି।
‘‘୫୦୦ ବର୍ଷ ତଳେ ଜଣେ ଦାର୍ଶନିକ କହିଥିଲେ ଶିକ୍ଷା ହିଁ ଶକ୍ତି। ଉପନ୍ୟାସରେ ବର୍ଣ୍ଣିତ ହେ ଈଶ୍ୱର ମୋତେ ଅସତ୍ୟ ରୁ ସତ୍ୟକୁ ନେଇ ଯାଆନ୍ତୁ । ଓଡ଼ିଶାରେ ଲାଗୁ ହେବାରେ ବିଳମ୍ବ ହୋଇଛି ନୂତନ ଶିକ୍ଷା ନୀତି ୨୦୨୦। ଓଡିଶାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରାଯିବ। ରାଜ୍ୟର ପାଠ୍ୟକ୍ରମରେ ଓଡିଶାର ଗୌରବମୟ ଇତିହାସ, ଐତିହ୍ୟ ଓ ବରପୁତ୍ରମାନେ ସ୍ଥାନ ପାଇବା ଆବଶ୍ୟକ ବୋଲି’’ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ।
- ପ୍ରି ସ୍କୁଲ ପିଲାଙ୍କ ପାଇଁ ଶିଶୁବାଟିକା :-
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, "ନୂତନ ଶିକ୍ଷା ନୀତିରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ସୁଦୃଢ ଭିତ୍ତିଭୂମି ସୃଷ୍ଟି ଓ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରାଯିବ। ରାଜ୍ୟ ସରକାର ଏଥିପାଇଁ ନିଷ୍ପତ୍ତି ନେଇ ସାରିଛନ୍ତି ଏବଂ ଆସନ୍ତା ଶିକ୍ଷା ବର୍ଷ ଠାରୁ ଏହି ନୂଆ ନୀତି କାର୍ଯ୍ୟକାରୀ ହେବ। ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, "୧୦ +୨ ବ୍ୟବସ୍ଥା ବଦଳରେ ରାଜ୍ୟରେ ୫+୩+୩+୪ ବ୍ୟବସ୍ଥା ଲାଗୁ କରାଯିବ। ପ୍ରି-ସ୍କୁଲ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଇ ପିଲାମାନଙ୍କ ପାଇଁ ଶିଶୁ ବାଟିକା ଖୋଲା ଯିବ। ଶିଶୁ ବାଟିକାରେ ପିଲାଙ୍କ ଉପରେ ବିନା କୌଣସି ଚାପରେ ସେମାନଙ୍କ ମୌଳିକ ଓ ସଂଖ୍ୟା ଜ୍ଞାନ ଉପରେ ଗୁରୁତ୍ୱ ଦିଆଯିବ। ଏଥିପାଇଁ ଆଗାମୀ ବର୍ଷମାନଙ୍କରେ ବ୍ୟାପକ ଭିତ୍ତିଭୂମି ସୃଷ୍ଟି କରାଯିବ। ଶିକ୍ଷକ ନିଯୁକ୍ତି, ପାଠ୍ୟ ପୁସ୍ତିକା ପ୍ରସ୍ତୁତି ଏବଂ ଅନ୍ୟାନ୍ୟ ପାଠ୍ୟ ଉପକରଣ ଯୋଗାଇଦେବା ଉପରେ ଗୁରୁତ୍ୱ ଦିଆଯିବ" ବୋଲି କହିଛନ୍ତି।
- ଶିକ୍ଷାରେ ଟେକ୍ନୋଲୋଜିର ପ୍ରୟୋଗକୁ ବ୍ୟାପକ କରାଯିବ:-
"ନୂଆ ଶିକ୍ଷା ନୀତିରେ, ଶିକ୍ଷା ଭିତ୍ତିଭୂମି, ଖେଳ ମାଧ୍ୟମରେ ଶିକ୍ଷା, ମୌଳିକ ଶିକ୍ଷା, ବାହ୍ୟ ଜ୍ଞାନର ବ୍ୟବହାର ଉପରେ ଗୁରୁତ୍ୱ ଦିଆ ଯାଇଛି । ଶିକ୍ଷାରେ ଟେକ୍ନୋଲୋଜିର ପ୍ରୟୋଗକୁ ବ୍ୟାପକ କରାଯିବ । ଟେକ୍ନୋଲୋଜି ଜରିଆରେ ଶିକ୍ଷା ପ୍ରଦାନ ଆମ ଶିକ୍ଷା ବ୍ୟବସ୍ଥାର ଏକ ଅଭିନ୍ନ ଅଙ୍ଗ ହେବ" ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
- ଡ୍ରପ ଆଉଟ ରୋକିବାକୁ ଉଦ୍ୟମ:-
ରାଜ୍ୟରେ ପ୍ରାଥମିକ ଶିକ୍ଷାର ଭିତ୍ତିଭୂମି ସୁଦୃଢ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ରାଜ୍ୟର ପ୍ରତି ପଞ୍ଚାୟତର ଗୋଟିଏ ଲେଖାଏଁ ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟ ଭାବେ ବିକଶିତ କରାଯାଉଛି। ଶହୀଦ୍ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାରେ ଜନଜାତି ଛାତ୍ରଛାତ୍ରୀମାନଙ୍କ ଡ୍ରପ ଆଉଟ୍ ହାର କମ୍ କରିବା ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି। ଆଜିର ଶିକ୍ଷାର୍ଥୀମାନେ ଆଗାମୀ କାଲିର ଭବିଷ୍ୟତ । ତେଣୁ ଗୁଣାତ୍ମକ ଶିକ୍ଷା ସହିତ ସେମାନଙ୍କୁ ସମୟାନୁବର୍ତ୍ତିତା ଓ ଅନ୍ୟ ଆଦର୍ଶ ଗୁଣର ବିକାଶ ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ । ସେମାନେ ଯେପରି ଜଣେ ଜଣେ କର୍ମଯୋଗୀ ହୋଇ ଦେଶର ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ନିଜର ଯୋଗଦାନ ରଖିବେ ସେଥିପ୍ରତି ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
- ଏବେବି ଭଙ୍ଗା କୁଡିଆ ତଳେ ପିଲାମାନେ ପାଠ ପଢୁଛନ୍ତି:-
ଆସନ୍ତା ତିନିରୁ ପାଞ୍ଚ ବର୍ଷ ଭିତରେ ଶିଶୁ ବାଟିକା ପାଇଁ ଯାହା ଆବଶ୍ୟକ ପଡ଼ିବ ତାହା ଯୋଗାଇ ଦିଆଯିବ। ଆର୍ଥିକ ବ୍ୟସ୍ତତା ଦୃଷ୍ଟିରୁ କୌଣସି ଅଭାବ ରଖାଯିବ ନାହିଁ। ପୂର୍ବ ସରକାର ଅମଳରେ ପ୍ରାଥମିକ ଶିକ୍ଷାକୁ ଭିତ୍ତିଭୂମି ଦିଗରେ ପ୍ରାଥମିକତା ଦିଆଯାଇ ନାହିଁ ବୋଲି ଏବେର ସରକାର ଅଭିଯୋଗ କରିଛନ୍ତି। ଭଙ୍ଗା କୁଡିଆ ତଳେ ଆଉ କେତେବେଳେ ଗଛ ମୂଳେ ପିଲା ମାନେ ପାଠ ପଢୁଛନ୍ତି। ଏହାକୁ ଆମକୁ ସ୍ବୀକାର କରିବାକୁ ପଡ଼ିବ। ନୂଆ ସରକାର ଆସିଛନ୍ତି ସେଥିରେ ପରିବର୍ତ୍ତନ ଆଣିବେ। ଏଥିପାଇଁ ୩୫ ହଜାର ୫୩୬ କୋଟି ଟଙ୍କା ରଖିଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
- ପାଠ୍ୟକ୍ରମରେ ରହିବ ବରପୁତ୍ରଙ୍କ ବିଷୟ:-
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, "ରାଜ୍ୟର ପାଠ୍ୟକ୍ରମ ପ୍ରସ୍ତୁତି ପାଇଁ ଯେଉଁ ବ୍ୟବସ୍ଥା କରାଯାଇଛି ସେଥିରେ ଶିକ୍ଷା କ୍ଷେତ୍ରରେ ଦକ୍ଷତା ଓ ଅଭିଜ୍ଞତା ଥିବା ଓଡିଶାର ବିଶିଷ୍ଟ ବ୍ୟକ୍ତିମାନଙ୍କର ମତାମତ ଗ୍ରହଣ କରାଯିବା ଆବଶ୍ୟକ। ପାଠ୍ୟକ୍ରମରେ ଓଡିଶାର ଗୌରବମୟ ଇତିହାସ, ଐତିହ୍ୟ ଓ ବରପୁତ୍ରମାନଙ୍କ ବିଷୟ ସ୍ଥାନ ପାଇବା ଆବଶ୍ୟକ। ସମସ୍ତଙ୍କୁ ଯେପରି ସହଜରେ ଓ ସୁବିଧାରେ ଶିକ୍ଷା ମିଳିବ ସେ ଦିଗରେ ନୂଆ ଶିକ୍ଷା ନୀତି ଏକ ଆଦର୍ଶ ନୀତି। ଜାତୀୟ ଶିକ୍ଷା ନୀତି ଓ ରାଜ୍ୟ ଶିକ୍ଷା ନୀତି ଏକ ରୂପ ନେଇ ଓଡିଶାର ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣରେ ସହାୟକ ହେବ ବୋଲି’’ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
- ଜାତୀୟ ଶିକ୍ଷାନୀତିରେ ଏନସିଆରଟି ଲାଗୁ :-
ଜାତୀୟ ଶିକ୍ଷାନୀତି ୨୦୨୦ ଲାଗୁ ନେଇ ଅନୁଷ୍ଠିତ ହେଉଥିବା କର୍ମଶାଳାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ୨ ଟି ଅନୁରୋଧ କରିଛନ୍ତି। ପ୍ରଥମ ଅନୁରୋଧ ଜାତୀୟ ଶିକ୍ଷା ନୀତିରେ ଏନସିଇଆରଟିକୁ ଲାଗୁ କରିବା। ଦ୍ବିତୀୟ ଓଡ଼ିଶାରେ ମହାପୁରାଣ କାହାଣୀ ରହିବ। ପ୍ରଥମରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି କହିଛନ୍ତି ଯେ, ୧ ଏପ୍ରିଲ ମାସରେ ଶିଶୁ ବାଟିକା ୩ ର ପିଲାମାନଙ୍କୁ ଗୀତ, ନାଚ ଆଦି ଶିଖାଯିବ । ଶିଶୁ ବାଟିକାରେ ଏସବୁ ବାତାବରଣ ସୃଷ୍ଟି କରାଯିବ । ୬୩ ହଜାର ସ୍କୁଲରେ ନାମ ଲେଖାହେବ । ତୃତୀୟରେ ଜନ୍ମ ହାର ଅନୁସାରେ ୧୦୦ ଭାଗ ପିଲା ପ୍ରଥମ ଶ୍ରେଣୀରେ ପଢୁଛନ୍ତି। ସେମାନେ ଠିକ ଭାବରେ ପାଠ ପଢ଼ି ନାହାନ୍ତି ଏହା ବଡ ଚ୍ୟାଲେଞ୍ଜ ରହିଛି । ଅଧିକ ପିଲା ଡ୍ରପ ଆଉଟ୍ ହେଉଛନ୍ତି। ମଇ ବା ଜୁନ ମାସରେ ୫୦ ହଜାର ଗାଆଁ ବୁଲିବାକୁ ଯୋଜନା ରହିଛି। କେଉଁ ଶ୍ରେଣୀର ପିଲା ସ୍କୁଲକୁ ଯାଉନାହାନ୍ତି ସେନେଇ କାରଣ ଖୋଜାଯିବ। ଡ୍ରପ୍ ଆଉଟ୍କୁ ନେଇ ନୂଆ ଯୋଜନା ରହିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
- ନୂଆ ଶିକ୍ଷାନୀତିରେ ମାତୃଭାଷା ସହିତ ବହୁଭାଷୀ ଶିକ୍ଷାର ବ୍ୟବସ୍ଥା:-
ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ‘‘ଶିକ୍ଷା ନୀତିରେ ମାତୃଭାଷା ସହିତ ବହୁ ଭାଷୀ ଶିକ୍ଷାର ବ୍ୟବସ୍ଥା ରହିଛି। ଏହା ଦ୍ୱାରା ରାଜ୍ୟର ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବ ବୋଲି’’ କହିଛନ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, କେନ୍ଦ୍ର ଶିକ୍ଷା ସଚିବ ସଞ୍ଜୟ କୁମାର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ, ବିଶିଷ୍ଟ ଶିକ୍ଷାବିତ୍ ମଞ୍ଜୁଲ୍ ଭାର୍ଗବ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ଅଧିକାରୀ ଓ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ।
- ଜାତୀୟ ଶିକ୍ଷା ନୀତି 2020 :-
ଉଭୟ ଶୈକ୍ଷିକ ଓ ଅଣଶୈକ୍ଷିକ କ୍ଷେତ୍ରରେ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଶିକ୍ଷକ ତଥା ପିତାମାତାଙ୍କୁ ସମ୍ବେଦନଶୀଳ କରି ପ୍ରତ୍ୟେକ ଶିକ୍ଷାର୍ଥୀର ଅନନ୍ୟ ସାମର୍ଥ୍ୟକୁ ଚିହ୍ନିବା, ସ୍ୱୀକାର କରିବା ଓ ତା’କୁ ବୃଦ୍ଧି କରିବା ଲକ୍ଷ୍ୟ ରହିଛି। ତୃତୀୟ ଶ୍ରେଣୀ ସୁଦ୍ଧା ସମସ୍ତ ବିଦ୍ୟାଳୟ ଦ୍ୱାରା ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ପ୍ରାପ୍ତ କରିବା ପାଇଁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ। ନମନୀୟତା, ଯଦ୍ୱାରା ଶିକ୍ଷାର୍ଥୀମାନେ ସେମାନଙ୍କର ଶିକ୍ଷଣ ଗତି ଓ କାର୍ଯ୍ୟକ୍ରମ ବାଛିବେ ଏବଂ ସେମାନଙ୍କର ପ୍ରତିଭା ଓ ଆଗ୍ରହ ଅନୁଯାୟୀ ଜୀବନରେ ନିଜର ପଥ ବାଛିବା ପାଇଁ କ୍ଷମତା ରଖିବେ। କଳା ଓ ବିଜ୍ଞାନ ମଧ୍ୟରେ, ପାଠ୍ୟକ୍ରମ ଓ ଅତିରିକ୍ତ ପାଠ୍ୟକ୍ରମ କାର୍ଯ୍ୟ ମଧ୍ୟରେ ଧନ୍ଦାମୂଳକ ଓ ଶୈକ୍ଷିକ ବିଭାଗ ମଧ୍ୟରେ କୌଣସି ଦୃଢ଼ ପୃଥକତା ରହିବ ନାହିଁ। ଯଦ୍ୱାରା ଶିକ୍ଷାର ବିଭିନ୍ନ କ୍ଷେତ୍ର ମଧ୍ୟରେ ଓ ଢାଞ୍ଚା ମଧ୍ୟରେ ଥିବା କ୍ଷତିକାରକ ଅନୁକ୍ରମକୁ ଦୂର କରିବ।
ସମସ୍ତ ଜ୍ଞାନ ମଧ୍ୟରେ ଏକତା ଏବଂ ଅଖଣ୍ଡତା ସୁନିଶ୍ଚିତ କରିବା ପାଇଁ ଏବଂ ବହୁମ଼ୁଖୀ ବିଶ୍ୱ ପାଇଁ ବିଜ୍ଞାନ, ସାମାଜିକ ବିଜ୍ଞାନ, କଳା, ମାନବିକୀ ଏବଂ କ୍ରୀଡ଼ା ମଧ୍ୟରେ ବହୁବିଷୟକ ଶିକ୍ଷା ଓ ସାମଗ୍ରୀକ ଶିକ୍ଷାର ବ୍ୟବସ୍ଥା ରହିବ। ପରୀକ୍ଷା- ପାଇଁ- ଶିଖିବା ଓ ଘୋଷି ଶିଖିବା ପରିବର୍ତ୍ତେ ଧାରଣାର ବୋଧଗମ୍ୟତା ଉପରେ ଗୁରୁତ୍ୱ ଦିଆଯିବ। ଯୁକ୍ତିସଂଗତ ନିଷ୍ପତ୍ତି ନେବା ଏବଂ ନବାଚାରକୁ ଉତ୍ସାହିତ କରିବା ପାଇଁ ସୃଜନଶୀଳତା ଏବଂ ବିଶ୍ଳେଷଣାତ୍ମକ ଚିନ୍ତନ ଉପରେ ଗୁରୁତ୍ୱ ଦିଆଯିବ। ସମାନୁଭୂତି, ଅନ୍ୟମାନଙ୍କ ପ୍ରତି ସମ୍ମାନ, ପରିଚ୍ଛନ୍ନତା, ସୌଜନ୍ୟ, ଗଣତାନ୍ତ୍ରିକ ଭାବନା, ସେବା ମନୋଭାବ, ସର୍ବସାଧାରଣ ସଂପତ୍ତି ପ୍ରତି ସମ୍ମାନ, ବୈଜ୍ଞାନିକ ଚିନ୍ତାଧାରା, ସ୍ୱାଧୀନତା, ଦାୟିତ୍ୱବୋଧ, ବହୁତ୍ୱବାଦ, ସମାନତା ଏବଂ ନ୍ୟାୟ ପରି ନୈତିକ ଏବଂ ମାନବିକ ତଥା ସାମ୍ବିଧାନିକ ମୂଲ୍ୟବୋଧକୁ ପ୍ରାଧାନ୍ୟ ଦିଆଯିବ।
ବହୁଭାଷୀତା ଏବଂ ଶିକ୍ଷାଦାନ ଓ ଶିକ୍ଷଣରେ ଭାଷାର ଶକ୍ତିପ୍ରୋତ୍ସାହିତ କରିବ। ଜୀବନ କୌଶଳ, ଯେପରି - ଭାବ ବିନିମୟ, ସହଯୋଗ, ଦଳଗତ କାର୍ଯ୍ୟ ଓ ସ୍ଥିରତା। ଆଜିର କୋଚିଂ ସଂସ୍କୃତିକୁ ଉତ୍ସାହିତ କରୁଥିବା ସମାପ୍ତିସୂଚକ ମୂଲ୍ୟାୟନ ଅପେକ୍ଷା ଶିକ୍ଷଣ ପାଇଁ ନିୟମିତ ଗଠନମୂଳକ ମୂଲ୍ୟାୟନ ଉପରେ ଗୁରୁତ୍ୱ। ଶିକ୍ଷାଦାନ ଓ ଶିକ୍ଷଣରେ ପ୍ରଯୁକ୍ତି ବିଦ୍ୟାର ବହୁଳ ବ୍ୟବହାର, ଭାଷା ପ୍ରତିବନ୍ଧକ ହଟାଇବା, ଦିବ୍ୟାଙ୍ଗ ଶିକ୍ଷାର୍ଥୀମାନଙ୍କ ପାଇଁ ସୁଯୋଗ ବୃଦ୍ଧି କରିବା ଏବଂ ଶିକ୍ଷାଗତ ଯୋଜନା ଓ ପରିଚାଳନା। ବିବିଧତା ପ୍ରତି ସମ୍ମାନ ଏବଂ ସମସ୍ତ ପାଠ୍ୟକ୍ରମ, ଶିକ୍ଷାଦାନ ପ୍ରକ୍ରିୟା ଏବଂ ନୀତିରେ ସ୍ଥାନୀୟ ପ୍ରସଙ୍ଗ ପାଇଁ ସମ୍ମାନ।ସର୍ବଦା ମନେରଖିବା ଉଚିତ ଯେ ଶିକ୍ଷା ଯୁଗ୍ମ ତାଲିକା ଭୁକ୍ତ ବିଷୟ। ସମସ୍ତ ଶିକ୍ଷାଗତ ନିଷ୍ପତ୍ତିର ମୂଳଦୁଆ ଭାବେ ପୂର୍ଣ୍ଣ ସମତା, ଏବଂ ଅନ୍ତର୍ଭୁକ୍ତିକୁ ସୁନିଶ୍ଚିତ କରାଯିବ, ଯେପରି ସମସ୍ତ ଶିକ୍ଷାର୍ଥୀ ଶିକ୍ଷା ବ୍ୟବସ୍ଥାରେ ଅଗ୍ରଗତି କରିବାକୁ ସମର୍ଥ ହେବେ।