ହାଇଦ୍ରାବାଦ: ବ୍ରିଟେନ ସାଧାରଣ ନିର୍ବାଚନରେ ପ୍ରଚଣ୍ଡ ବିଜୟ ରେକର୍ଡ କରିଛି ଲେବର ପାର୍ଟି । ଋଷି ସୁନକଙ୍କୁ ହରାଇ କେର୍ ଷ୍ଟାର୍ମର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ହାଉସ୍ ଅଫ କମନ୍ସରେ (ସଂସଦ) ମୋଟ 650 ସାଂସଦ ସିଟ୍ରୁ ଲେବର ପାର୍ଟି ଏକା 412 ସିଟ୍ କବ୍ଜା କରିଛି । ଏହାରି ସହିତ ଦୀର୍ଘ 14 ବର୍ଷର ଅପେକ୍ଷା ପରେ ସରକାରକୁ ଫେରିଛି ଏହି ଦଳ । ନୂଆ ବ୍ରିଟିଶ ପ୍ରଧାନମନ୍ତ୍ରୀ ହୋଇଥିବା ଷ୍ଟାର୍ମର ଲେବର ପାର୍ଟିର ନେତୃତ୍ୱ ଗ୍ରହଣ କରିବା ପୂର୍ବରୁ କ୍ରାଉନ ପ୍ରୋସେକ୍ୟୁସନ ସର୍ଭିସରେ ମାନବାଧିକାର ଆଇନଜୀବୀ ତଥା ମୁଖ୍ୟ ଆଇନଜୀବୀ ଭାବେ କାର୍ଯ୍ୟ କରୁଥିଲେ । ଦେଶର ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ପରେ ନିଜର ପ୍ରଥମ ଅଭିଭାଷଣରେ କିର୍ ଷ୍ଟାର୍ମର ''ରାଷ୍ଟ୍ରୀୟ ନବୀକରଣ ଏବଂ ଜନସେବା ରାଜନୀତି'' ଦିଗରେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ବ୍ରିଟିଶ ରାଜନୀତିରେ ପରିବର୍ତ୍ତନ ହାୱା; ଭାରତ ଉପରେ କ'ଣ ରହିବ ପ୍ରଭାବ (ETV Bharat Odisha) କେଉଁ ଦଳକୁ ମିଳିଲା କେତେ ?
ବ୍ରିଟେନ ସଂସଦ ନିର୍ବାଚନରେ ଲେବର ପାର୍ଟି ପୂର୍ଣ୍ଣ ବହୁମତ ହାସଲ କରିପାରିଛି । 2019ରେ ଲେବର ପାର୍ଟିର ଭୋଟ ସେୟାର ପାଖାପାଖି 32 ପ୍ରତିଶତ ଥିଲା । ଏଥର ଏହାର ଭୋଟ ସେୟାର ସାମାନ୍ୟ ବୃଦ୍ଧି ପାଇ 33.8 ପ୍ରତିଶତ ହୋଇଛି ଏବଂ ପାର୍ଟି ସଂସଦରେ 63 ପ୍ରତିଶତ ସିଟ୍ ଜିତିବାରେ ସକ୍ଷମ ରହିଛି । ଅପରପକ୍ଷେ, କଞ୍ଜରଭେଟିଭ ପାର୍ଟିର ଭୋଟ ସେୟାର 43 ପ୍ରତିଶତରୁ 23.7 ପ୍ରତିଶତକୁ ଖସିଆସିଛି । ଚଳିତ ନିର୍ବାଚନରେ ଏହି ଦଳ 244ଟି ସିଟ୍ ହରାଇ ମାତ୍ର 121ଟି ସିଟ୍ ଜିତିପାରିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍, ପ୍ରତିରକ୍ଷା ସଚିବ ଗ୍ରାଣ୍ଟ ସାପ୍ସଙ୍କ ସମେତ ଏକାଧିକ କଞ୍ଜରଭେଟିଭ ହେଭିୱେଟ ମନ୍ତ୍ରୀ ପରାସ୍ତ ହୋଇଛନ୍ତି ।
କଞ୍ଜରଭେଟିଭ ପାର୍ଟିର ଅନେକ ନେତା ନିର୍ବାଚନ ହାରିବା ପଛରେ ଦଳୀୟ ଅନ୍ତଃକନ୍ଦଳକୁ ଦାୟୀ କରିଛନ୍ତି, ଯାହାର ସ୍ପଷ୍ଟ ଦୃଷ୍ଟାନ୍ତ ଗତ 8 ବର୍ଷରେ 5 ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ୱ ଗ୍ରହଣ । ଏଥିସହ ଦେଶରେ ଅବୈଧ ଶରଣାର୍ଥୀ, ମୁଦ୍ରାସ୍ଫୀତି ଭଳି ସମସ୍ୟାର ବିଫଳ ସମାଧାନ ପ୍ରଭୃତି ପ୍ରସଙ୍ଗ ମଧ୍ୟ କଞ୍ଜରଭେଟିଭ ପାର୍ଟି ଜନତାଙ୍କ ଆସ୍ଥା ହରାଇବାର ଅନ୍ୟତମ କାରଣ ଭାବେ ଦେଖାଯାଉଛି ।
ବ୍ରିଟିଶ ରାଜନୀତିରେ ପରିବର୍ତ୍ତନ ହାୱା; ଭାରତ ଉପରେ କ'ଣ ରହିବ ପ୍ରଭାବ (ETV Bharat Odisha) ତେବେ ଚଳିତ ନିର୍ବାଚନରେ କଞ୍ଜରଭେଟିଭ ପାର୍ଟିର ବହୁ ଭୋଟର ରିଫର୍ମ ୟୁକେ ଆଡକୁ ଢଳିଥିବା ମଧ୍ୟ ଦେଖିବାକୁ ମିଳିଛି । ଏହି ପାର୍ଟି ଟିକସ ହ୍ରାସ, ଶରଣାର୍ଥୀଙ୍କ ଅବୈଧ ପ୍ରବେଶ ରୋକିବା, ସୀମା ନିୟନ୍ତ୍ରଣ କଡାକଡି କରିବା ଏବଂ ବ୍ରିଟିଶ ସଂସ୍କୃତି, ପରିଚୟ ଏବଂ ମୂଲ୍ୟବୋଧକୁ ଗୁରୁତ୍ୱ ଦେବା ଭଳି ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା । ଯାହାଫଳରେ ଦଳ 14.3 ପ୍ରତିଶତ ଭୋଟ ସେୟାର ସହ 5ଟି ଆସନ ଜିତିବାରେ ସଫଳ ହୋଇଛି ଏବଂ ପ୍ରାୟ 103ଟି ନିର୍ବାଚନ ମଣ୍ଡଳୀରେ ଦ୍ୱିତୀୟ ସ୍ଥାନରେ ରହିଛି ।
ଏଥର ନିର୍ବାଚନରେ ବ୍ରିଟେନର ଅନ୍ୟତମ ରାଜନୈତିକ ଦଳ ଲିବେରାଲ ପାର୍ଟିର ମଧ୍ୟ ଭୋଟହାର ବଢିଛି । 71 ଜଣ ସାଂସଦଙ୍କ ସହ ତୃତୀୟ ସର୍ବବହୃତ ଦଳ ହୋଇଛି ଲିବେରାଲ । 2019 ନିର୍ବାଚନରେ ଏହି ପାର୍ଟି ମାତ୍ର 11ଟି ସିଟ୍ ଜିତିଥିଲା । ଏହାର ଭୋଟ ସେୟାର ଥିଲା ମାତ୍ର 11.5 ପ୍ରତିଶତ । 2024 ନିର୍ବାଚନରେ ଲିବେରାଲ ଡେମୋକ୍ରାଟର ଭୋଟ ସେୟାର 12.2 ପ୍ରତିଶତକୁ ବୃଦ୍ଧି ପାଇଛି । ତେବେ କଞ୍ଜରଭେଟିଭ ପାର୍ଟିର ଭୋଟ ବିଭାଜନ ଏବଂ ରିଫର୍ମ ୟୁକେର ଭୋଟହାର ବୃଦ୍ଧି ହିଁ ଭଲ ଜନମତ ହାସଲ କ୍ଷେତ୍ରରେ ଡେମୋକ୍ରାଟକୁ ସହାୟକ ହୋଇଛି ।
ଚଳିତ ବର୍ଷର ବ୍ରିଟେନ ଫଳାଫଳ ରୋଚକ ନଜର ଆସିଛି । ଦେଶର ଉତ୍ତର ଭାଗରେ ସ୍କଟଲ୍ୟାଣ୍ଡର ସ୍ୱତନ୍ତ୍ରତା ଦାବିକୁ ନେଇ ନିର୍ବାଚନ ଲଢିଥିବା ସ୍କଟିଶ ନ୍ୟାସନାଲ ପାର୍ଟି (SNP) ମାତ୍ର 9ଟି ଆସନ ଜିତିଛି । 2019 ତୁଳନାରେ SNPକୁ ଏଥର 39ଟି ସିଟ୍ ହରାଇବାକୁ ପଡିଛି ।
ଭାରତ ଉପରେ କ'ଣ ପଡିବ ପ୍ରଭାବ:
ଏଥର ହାଉସ୍ ଅଫ୍ କମନ୍ସକୁ ନବନିର୍ବାଚିତ ସାଂସଦଙ୍କ ମଧ୍ୟରେ 28 ଜଣ ଭାରତୀୟ ବଂଶୋଦ୍ଭବ ରହିଛନ୍ତି । ବ୍ରିଟେନ ସଂସଦରେ ଭାରତୀୟ ବଂଶୋଦ୍ଭବଙ୍କ ବଢୁଥିବା ଉପସ୍ଥିତି ଭାରତ ସହ ବ୍ରିଟେନ ସମ୍ପର୍କକୁ ମଜଭୁତ କରିବ । ଏହି ସାଂସଦମାନେ ସମଗ୍ର ବିଶ୍ୱରେ ବ୍ରିଟିଶର ସ୍ୱାର୍ଥରକ୍ଷା ପାଇଁ ଚେଷ୍ଟା କରିବେ, ଯାହା ଠିକ୍ ମଧ୍ୟ । ଏହାବ୍ୟତୀତ, ସେମାନଙ୍କୁ ଭାରତ ସହ ଆଲୋଚନାରେ ନିଜ ସ୍ଥାନୀୟ ଭୋଟବ୍ୟାଙ୍କର ପ୍ରାଥମିକତାକୁ ଧ୍ୟାନରେ ରଖିବାକୁ ପଡିବ ।
2019ରେ ଜେରିମ କାର୍ବିନଙ୍କ ନେତୃତ୍ୱରେ ଲେବର ପାର୍ଟି କାଶ୍ମୀର ପ୍ରସଙ୍ଗରେ ଅନ୍ତରାଷ୍ଟ୍ରୀୟ ହସ୍ତକ୍ଷେପ ପାଇଁ ଆହ୍ୱାନ କରିଥିଲେ । ଏଥିରେ ଭାରତ ନିରାଶ ହୋଇଥିଲା । କିନ୍ତୁ ଲେବର ପାର୍ଟିର ନେତୃତ୍ୱ ନେବା ପରେ କେର୍ ଷ୍ଟାର୍ମର କହିଥିଲେ, ''ଭାରତର କୌଣସି ପ୍ରକାର ସାମ୍ବିଧାନିକ ମୁବ୍ଦା ଭାରତୀୟ ସଂସଦର ନିଜସ୍ୱ ବ୍ୟାପାର ଏବଂ କାଶ୍ମୀର ଏକ ଦ୍ୱିପାକ୍ଷିକ ମୁବ୍ଦା, ଯାହାକୁ କେବଳ ଭାରତ ଓ ପାକିସ୍ତାନ ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ କରିବା ଉଚିତ୍ ।'' ଏହାବ୍ୟତୀତ ଲେବର ପାର୍ଟିର ନିର୍ବାଚନୀ ଇସ୍ତାହାରରେ ଭାରତ ସହ ନୂତନ ରଣନୀତିକ ଭାଗିଦାରୀ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା, ଯେଉଁଥିରେ ମୁକ୍ତ ବାଣିଜ୍ୟ ବୁଝାମଣା, ସୁରକ୍ଷା, ଶିକ୍ଷା, ବୈଷୟିକ ଏବଂ ଜଳବାୟୁ ପରିବର୍ତ୍ତନ ଇତ୍ୟାଦି କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ସାମିଲ୍ ଥିଲା । ୟୁକେ ପାଇଁ ଭାରତୀୟ ବଜାରରେ ପ୍ରବେଶ କରିବା ଖୁବ୍ ଜରୁରୀ ହୋଇପଡିଛି ।
କୁହାଯାଏ, ରାଜନୀତିରେ ଗୋଟିଏ ସପ୍ତାହ ବହୁତ ଲମ୍ବା ହୋଇଥାଏ । ଏପରି ସ୍ଥଳେ ପରାଜିତ କଞ୍ଜରଭେଟିଭ ପାର୍ଟିକୁ ନୂଆ ନେତୃତ୍ୱ ଏବଂ ଏଜେଣ୍ଡା ଖୋଜିବା ପାଇଁ ଅନ୍ତଃକନ୍ଦଳ ଉପରେ ନିୟନ୍ତ୍ରଣ ପାଇବାକୁ ହେବ । ଯଦି ଏହା କରିବାରେ ବିଫଳ ହୁଏ, ତାହେଲେ ରିଫର୍ମ ୟୁକେ ପାର୍ଟି ଭଳି ଅନ୍ୟ ଦଳଗୁଡିକ କଞ୍ଜରଭେଟିଭ ପାର୍ଟିର ଭୋଟବ୍ୟାଙ୍କ ଏମିତି ଛଡାଉଥିବେ ।
ସମଗ୍ର ୟୁରୋପରେ ଦକ୍ଷିଣପନ୍ଥୀ ପାର୍ଟି ଗୁଡିକ ଭଲ ପ୍ରଦର୍ଶନ କରୁଛନ୍ତି । ୟୁକେ ନିର୍ବାଚନ ଫଳାଫଳ ମଧ୍ୟ ଦେଶରେ ଏହିଭଳି ସତ୍ତା ବିରୋଧୀ ହାୱାର ସଙ୍କେତ ଦେଉଛି । ଯଦିଓ ଲେବର ପାର୍ଟି ଏବଂ ଲିବେରାଲ ଡେମୋକ୍ରାଟିକ ପାର୍ଟି ଭଳି ଅନ୍ୟ ଦଳଗୁଡିକର ଉପସ୍ଥିତି ଏହା ସୁନିଶ୍ଚିତ କରୁଛି କି, ସତ୍ତା ବିରୋଧୀ ଭୋଟ ପୁରାପୁରି ଦକ୍ଷିଣପନ୍ଥୀ ପାର୍ଟି ଗୁଡିକର ଭୋଟବ୍ୟାଙ୍କରେ ପରିଣତ ହେଉନି, ତଥାପି ରିଫର୍ମ ୟୁକେ ପାର୍ଟିର ପ୍ରଦର୍ଶନକୁ ମଧ୍ୟ ଏଠି ଅଣଦେଖା କରାଯାଇପାରିବ ନାହିଁ । ଆସନ୍ତା ବର୍ଷଗୁଡିକରେ ଏହି ପାର୍ଟିର ରାଜନୀତି ଯଥେଷ୍ଟ ଧ୍ୟାନ ଆକର୍ଷଣ କରିବ ।
ରୟଟର୍ସ ରିପୋର୍ଟ ଅନୁସାରେ, ବ୍ରିଟେନରେ ଛୋଟ ଦଳ ଗୁଡିକୁ ପାଖାପାଖି 40 ପ୍ରତିଶତ ଭୋଟ ମିଳିଛି, ହେଲେ ସଂସଦରେ ସେମାନେ ପ୍ରାୟ 17 ପ୍ରତିଶତ ଆସନ ପାଇଛନ୍ତି । ଏହା ଆଶ୍ଚର୍ଯ୍ୟର କଥା ଯେ, ରିଫର୍ମ ୟୁକେ ଓ ଗ୍ରୀନ ପାର୍ଟିର ନେତା ନିରପେକ୍ଷ ନିର୍ବାଚନ ପ୍ରକ୍ରିୟା ପାଇଁ ଦାବି କରିଛନ୍ତି । ଏହି ପରିପ୍ରେକ୍ଷୀରେ 2011ରେ ଏକ ଜନମତ ସଂଗ୍ରହ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଏଥିରେ ଦେଶରେ ବିକଳ୍ପ ଭୋଟ ପଦ୍ଧତି ଗ୍ରହଣ କରାଯିବା ଉଚିତ୍ କି ନୁହେଁ ପଚରା ଯାଇଥିଲା । କିନ୍ତୁ ପ୍ରଚଳିତ ଫାଷ୍ଟ-ପାଷ୍ଟ-ଦ-ପୋଷ୍ଟ(First-Past-the-Post) ନିର୍ବାଚନ ପଦ୍ଧିତ ସପକ୍ଷରେ ବହୁମତ ଆସିଥିଲା ।
ଯଦି ଆମେ ବ୍ରିଟେନ ରାଜନୈତିକ ଦଳଗୁଡିକ ମଧ୍ୟରେ ଭୋଟ ସେୟାର ଯାଞ୍ଚ କରେ, ତାହେଲେ ଏଠି ହାଲ୍କା ପରିବର୍ତ୍ତନ ହାୱା ବହିବାର ଦେଖାଯାଉଛି । ବିଶ୍ୱର ଅନେକ ଉଦରବାଦୀ ଗଣତାନ୍ତ୍ରିକ ଦେଶ ପାଇଁ ଏକ ନିର୍ଣ୍ଣାୟକ ନିର୍ବାଚନୀ ଜନାଦେଶ ଏବଂ ୟୁକେରେ ସ୍ଥିର ସରକାରର ସମ୍ଭାବନା ଏକ ସ୍ୱାଗତଯୋଗ୍ୟ ବିକାଶ ।