ଭୁବନେଶ୍ବର: ଦାଦନ ନେଉଛି ଜୀବନ । ବିଗତ କିଛି ବର୍ଷ ମଧ୍ୟରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ପ୍ରସଙ୍ଗରେ ଆଜି ଗୃହରେ ବିବୃତ୍ତି ରଖିଛନ୍ତି ଶ୍ରମମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ସେପଟେ ଗଞ୍ଜାମ ଜିଲ୍ଲରୁ ସର୍ବାଧିକ ଦାଦନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏନେଇ ଆଜି ଗୃହରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଉତ୍ତରରେ ଶ୍ରମ ମନ୍ତ୍ରୀଙ୍କ ପକ୍ଷରୁ ସୂଚନା ଆସିଛି ।
- ଗୃହରେ ଦାଦନ ଝଡ଼:
ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନ କରିଥିଲେ ରାଜ୍ୟରେ କେତେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଉତ୍ତରରେ ଶ୍ରମମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ କହିଥିଲେ," ବିଗତ ୧୦ ବର୍ଷ ମଧ୍ୟରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ୪୦୩ ଜଣ ପ୍ରାଣ ହରାଇଛନ୍ତି । ସର୍ବଧିକ ଗଞ୍ଜାମ ଜିଲ୍ଲାରୁ ୫୯ ଜଣ ପ୍ରାଣ ହରାଇଥିବା ବେଳେ କଳାହାଣ୍ଡି ଜିଲ୍ଲାରୁ ୩୯ ଜଣ ଓ ବଲାଙ୍ଗୀର ଜିଲ୍ଲାରୁ ୩୫ ଜଣ ପ୍ରାଣ ହରାଇଛନ୍ତି ।"
- ସରକାର କ'ଣ ପଦକ୍ଷେପ ନେଇଛନ୍ତି ?
ମନ୍ତ୍ରୀ ଖୁଣ୍ଟିଆ ଆହୁରି ମଧ୍ୟ କହିଛନ୍ତି,"ଓଡିଶାରେ ଲାଗି ରହିଥିବା ଦାଦନ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମ୍ପୃକ୍ତ ବିଭାଗର ସଚିବମାନଙ୍କୁ ନେଇ ଚଳିତବର୍ଷ ଅକ୍ଟୋବରରେ ଏକ ଟାସ୍କଫୋର୍ସ ଗଠନ କରିଛନ୍ତି, ଯାହାକି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମାଧ୍ୟମରେ କାର୍ଯ୍ୟ କରୁଅଛି ।"
- ଗତ ୩ ବର୍ଷରେ କେତେ ଦାଦନ ଶ୍ରମକଙ୍କ ମତ୍ୟୁ ହୋଇଛି ?
ସେ ଏହା ମଧ୍ୟ କହିଛନ୍ତି,"ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ବିଗତ ୩ ବର୍ଷ ମଧ୍ୟରେ ୨୩୩ ଜଣ ପ୍ରାଣ ହରାଇଛନ୍ତି । ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୪୩ ଜଣ ପ୍ରାଣ ହରାଇଥିବା ବେଳେ ବଲାଙ୍ଗୀରରୁ ୨୬ ଜଣ ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଛନ୍ତି । ପ୍ରାଣ ହରାଇଥିବା ୨୩୩ ଜଣଙ୍କ ମଧ୍ୟରୁ ୧୯୯ ଜଣଙ୍କ ମୃତଦେହ ଓଡିଶାକୁ ଫେରିପାରଛି ।" ସେପଟେ କଂଗ୍ରେସ ବିଧାୟକ ପବିତ୍ର ସାଉଁଟା କହିଛନ୍ତି," ସରକାର ତଥ୍ୟ ଲୁଛାଉଛନ୍ତି । ଆହୁରି ଅଧିକ ଲୋକ ମରିଛନ୍ତି । ଦାଦନ ପରିଚାଳନାରେ ସରକାର ଫେଲ୍ ମାରିଛନ୍ତି ।"
ଏହା ମଧ୍ୟ ପଢନ୍ତୁ...ବିଧାନସଭାରେ ପାଣି ପ୍ରସଙ୍ଗ: ତାରାଙ୍କ ପରିସ୍ରା ଉପାଖ୍ୟାନ, ବଦ୍ରି ଦେଲେ ବିସ୍ଫୋରକ ବୟାନ ଏହା ମଧ୍ୟ ପଢନ୍ତୁ...ଗୃହରେ ଯାତ୍ରା ଅଶ୍ଳୀଳତା ପ୍ରସଙ୍ଗ ଉଠାଇଲେ ଶାସକ ଦଳ ବିଧାୟକ, ସେନ୍ସର ବୋର୍ଡ଼ ଗଠନ ପାଇଁ ଦାବି |
- ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ:
ରାଜ୍ୟର ଦାଦନ ସମସ୍ୟାକୁ ନେଇ ଶାସକ ବିଜେପିକୁ ଘେରିଛନ୍ତି ବିରୋଧୀ । ଏନେଇ ବିଜେଡ଼ି ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି," ବିଜେପି ସରକାର ଦାଦନ ବନ୍ଦ କରୁନାହାନ୍ତି । ରାଜ୍ୟ ବିଜେପି ସରକାର କହିଥିଲେ ଦାଦନ ବନ୍ଦ କରିବା ପାଇଁ । ହେଲେ ଦାଦନ ବନ୍ଦ କରିବା ପାଇଁ କ'ଣ ପଦକ୍ଷେପ ନେଇଛନ୍ତି , ତାହା କୁହନ୍ତୁ ? ଏପର୍ଯ୍ୟନ୍ତ ଦାଦନ ବନ୍ଦ କରିବାକୁ କିଛି ପଦକ୍ଷେପ ନେଇନାହାନ୍ତି ।"
- ଜବାବ ରଖିଲା ବିଜେଡି:
ବିରୋଧୀଙ୍କୁ କଡ଼ା ଜବାବା ଦେଇଛନ୍ତି ଶାସକ ବିଧାୟକ । ପୂର୍ବ ସରକାରକୁ ଦାୟୀ କରିଛି ବିଜେପି । ବିଜେପି ବିଧାୟକ ସରୋଜ ପାଢୀ କହିଛନ୍ତି,"ବିଜେଡ଼ି ସରକାର ଥିଲା କିଛି କଲେନାହିଁ । ଦାଦନ ସମସ୍ୟା ଦୂର କରିବା ପାଇଁ ଆମ ସରକାର ପ୍ରତିଶୃତିବଦ୍ଧ। ଆମ ସରକର ଦାଦନ ମୁକ୍ତ ପାଇଁ ଏବେ କାର୍ଯ୍ୟ ଆରମ୍ଭ କରିଛନ୍ତି । ତାର ଫଳ ନିଶ୍ଚୟ ମିଳିବ ।"
ଇଟିଭି ଭାରତ, ଭୁବନେଶ୍ବର