ହାଇଦ୍ରାବାଦ: ମାତ୍ର କିଛି ମାସର ବ୍ୟବଧାନରେ ପାକିସ୍ତାନରେ ପୁଣି ରାଜନୈତିକ ହିଂସା ଓ ଅସ୍ଥିରତାପୂର୍ଣ୍ଣ ସ୍ଥିତି ଦେଖାଦେଇଛି । ଏହାର କାରଣ ଆଉ ଏକ ବଡ ରାଜନୈତିକ ଆନ୍ଦୋଳନର ଡାକରା ଦେଇଛି ବିରୋଧୀ ଦଳ ‘ପିଟିଆଇ’ । ଚଳିତମାସ (ନଭେମ୍ବର) 14 ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ‘ପିଟିଆଇ’ ମୁଖ୍ୟ ଇମ୍ରାନ ଖାନ ତାଙ୍କ ସମର୍ଥକମାନଙ୍କୁ 24 ତାରିଖରେ ରାଜଧାନୀ ଇସଲାମାବାଦରେ ଏକ ବଡ ବିକ୍ଷୋଭ ପାଇଁ ଆହ୍ବାନ ଦେଇଥିଲେ । କର୍ମୀମାନେ ଏହି ଆହ୍ବାନକୁ କାର୍ଯ୍ୟକାରୀ କରିବାରେ ଲାଗି ପଡ଼ିଲେଣି । ଏପରିକି ପାକିସ୍ତାନର ବିଭିନ୍ନ ପ୍ରଦେଶରେ ହଜାର ହଜାର ପିଟିଆଇ କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ରାଜଧାନୀ ଇସଲାମାବାଦ ଅଭିମୁଖେ ବାହାରିଛନ୍ତି । ଯାହା ସରିଫ ସରକାରକୁ ବଡ ବିପଦରେ ପକାଇବାକୁ ଯାଉଛି ।
- ଇମ୍ରାନଙ୍କ ବଡ଼ ଆନ୍ଦୋଳନ ଡାକରା :-
ପାକିସ୍ତାନ ଜାତୀୟ ବ୍ୟବସ୍ଥାପିକାରେ ଏକ ବିବାଦୀୟ ବିଲ ସମେତ ଏକାଧିକ ପ୍ରସଙ୍ଗକୁ ନେଇ ଏହି ଆନ୍ଦୋଳନ ଡାକରା ଦିଆଯାଇଛି । ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଚୟନ ପ୍ରକ୍ରିୟାର କାର୍ଯ୍ୟଭାର ଓ କ୍ଷମତା ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ କରିବା ପାଇଁ ଏହି ବିଲ ଉଦ୍ଦିଷ୍ଟ । ଏହାକୁ ସମ୍ବିଧାନ ବିରୋଧୀ ବୋଲି ଇମ୍ରାନଙ୍କ ଦଳ ବିଚାର କରୁଛି । ସେହିପରି ସାଧାରଣ ନିର୍ବାଚନରେ ଅନିୟମିତତା, ଜନମତକୁ ପ୍ରଭାବିତ କରାଯାଇଥିବା ଓ ପ୍ରଦର୍ଶନକାରୀଙ୍କ ବିରୋଧରେ ମାତ୍ରାଧିକ ଅମାନବୀୟ ତଥା ଦମନମୂଳକ କାର୍ଯ୍ୟାନୁଷ୍ଠାନ, ଗିରଫଦାରୀ ଆଦି ବିରୋଧରେ ଏହି ଦେଶବ୍ୟାପୀ ବିକ୍ଷୋଭ ଡାକରା ଦେଇଛନ୍ତି ଇମ୍ରାନ । ଯାହାକୁ ନେଇ ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ବେଶ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଛି । ବିଭିନ୍ନ ପ୍ରଦେଶରୁ ଆନ୍ଦୋଳନକାରୀଙ୍କ ଦଳମାନେ ରାଜଧାନୀ ଅଭିମୁଖେ ଶୋଭାଯାତ୍ରା ବାହାର କରିଛନ୍ତି । ଏକ ରୋଚକ ଘଟଣାକ୍ରମରେ ଇମ୍ରାନଙ୍କ ପତ୍ନୀ ମଧ୍ୟ ଏହି ଟିମର ନେତୃତ୍ବ ନେଉଛନ୍ତି ।
- ବ୍ୟାପକ ଫୋର୍ସ ମୁତୟନ:-
ସେନା ଦ୍ୱାରା ବିକ୍ଷୋଭରେ ପ୍ରତିବନ୍ଧକ ଲଗାଇବା, ବିରୋଧକୁ ବେଆଇନ ଘୋଷଣା କରିବା ଏବଂ ପାରା ମିଲିଟାରୀ ଫୋର୍ସ ମୁତୟନ କରିବା ଭଳି ସମସ୍ତ ଉଦ୍ୟମ କରାଯାଉଥିଲେ ସୁଦ୍ଧା ଏହି ପ୍ରସ୍ତାବିତ ବିକ୍ଷୋଭ ପ୍ରଶମିତ କିମ୍ବା ଦମନ ହେବା ପରି ଦୃଶ୍ୟମାନ ହେଉନାହିଁ । ପୂର୍ବରୁ ମଧ୍ୟ ସମାନ ପ୍ରଣାଳୀରେ ‘ପିଟିଆଇ’ ଦ୍ବାରା ଆହୂତ କରାଯାଇଥିବା ଏକାଧିକ ବିକ୍ଷୋଭକୁ ଦମନ କରାଯାଇଛି । ଅନେକ ପିଟିଆଇ କର୍ମୀଙ୍କୁ ଗିରଫ କରାଯାଇଛି, ମିଡିଆ କଭରେଜକୁ ସୀମିତ କରାଯିବା ପାଇଁ କଟକଣା ଜାରି କରାଯାଇଛି । ଇଣ୍ଟରନେଟ ଏବଂ ସୋସିଆଲ ମିଡିଆକୁ ମଧ୍ୟ ବ୍ୟାନ କରାଯାଇଛି । ପ୍ରସ୍ତାବିତ ବିରୋଧକୁ ବନ୍ଦ କରିବା ଆଶାରେ ସରକାର ଇସଲାମାବାଦକୁ ଦେଶର ଅନ୍ୟ ପ୍ରଦେଶରୁ ପୃଥକ ରଖିବାର କୌଣସି ପ୍ରୟାସ ଜାରି ରଖିଛନ୍ତି । ଏହାରି ମଧ୍ୟରେ ଖାଇବର ପଖ୍ତନଖୱା କୁରାମରେ ସାମ୍ପ୍ରଦାୟିକ ହିଂସାରେ ଲୋକେ ମୃତାହତ ମଧ୍ୟ ହୋଇଛନ୍ତି । ତଥାପି ପାକିସ୍ତାନ ସରକାର ଉକ୍ତ ହିଂସାକୁ ଅଣଦେଖା କରି ସମଗ୍ର ଦେଶର ଧ୍ୟାନ ଇସଲାମାବାଦ ଉପରେ କେନ୍ଦ୍ରୀଭୂତ କରିବାରେ ଲାଗିଛି । ଏହି ଗତିରୋଧ ଦେଶରେ କେବଳ ଆଇନ ଶୃଙ୍ଖଳା କିମ୍ବା ରାଜନୈତିକ ଅସ୍ଥିରତା ସୃଷ୍ଟି କରିବ ନାହିଁ । ବରଂ ଏକ ଭୀଷଣ ଆର୍ଥିକ ସଙ୍କଟକୁ ଜନ୍ମ ଦେବ । ଆନ୍ଦୋଳନ ପ୍ରତ୍ୟାହୃତ କରିବା ପାଇଁ ସେନା ବଳପ୍ରୟୋଗ କଲେ, ଏକ ବଡ଼ ଧରଣର ହିଂସା ମଧ୍ୟ ଦେଖାଯିବାର ଆଶଙ୍କାକୁ ଏଡାଯାଇ ନପାରେ ।
- ରାଜଧାନୀର ସମ୍ବେଦନଶୀଳ ଏରିଆରେ ବିକ୍ଷୋଭକାରୀ:-
ରାଜଧାନୀ ଇସଲାମାବାଦର ରେଡଜୋନ ଘୋଷିତ ହୋଇଥିବା ଏକାଧିକ ସ୍ଥାନରେ ବିକ୍ଷୋଭକାରୀମାନେ ଏକତ୍ରିତ ହେବାରେ ଲାଗିଛନ୍ତି । ଏହି ସ୍ଥାନ ରାଜଧାନୀର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଓ ସମ୍ବେଦନଶୀଳ ଏରିଆ । ଯେଉଁଠାରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ରାଷ୍ଟ୍ରୀୟ ବ୍ୟବସ୍ଥାପିକା, ସୁପ୍ରିମକୋର୍ଟ ଏବଂ କୂଟନୈତିକ ମୁଖ୍ୟାଳୟ ଭଳି ଶୀର୍ଷ ସରକାରୀ ଅନୁଷ୍ଠାନଗୁଡିକ ରହିଛି । ତଥାପି ସେମାନଙ୍କ ବିରୋଧରେ ସେନାକୁ ବ୍ୟବହାର କରାଯାଇନପାରେ । କାରଣ ସେନା ଆକ୍ରମଣାତ୍କମ ଶୈଳୀରେ ସେମାନଙ୍କୁ ପ୍ରତିରୋଧ କରି ଏକ ବ୍ୟାପକ ହିଂସା ମଧ୍ୟ ଦେଖିବାକୁ ମିଳିପାରେ । ସେନା ଓ ପାରା ମିଲିଟାରୀ ଫୋର୍ସ ସାମାନ୍ୟ ପଛକୁ ହଟିଛି ଓ ଆନ୍ଦୋଳନକାରୀମାନେ ଇସଲାମାବାଦ ଅଭିମୁଖେ ଗସ୍ତ ଜାରି ରଖିଛନ୍ତି ।
- ଭାରତକୁ ଦାୟୀ କରିପାରେ ପାକିସ୍ତାନ:-
ଏହି ବିଶାଳ ଆନ୍ଦୋଳନ ପଛରେ କାହାର ଫଣ୍ଡିଂ ରହିଛି ବୋଲି ଚର୍ଚ୍ଚା ହେଉଛି । କାରଣ ଆର୍ଥିକ ପୃଷ୍ଠପୋଷକତାରେ ଏତେ ସଂଖ୍ୟାରେ ଆନ୍ଦୋଳନକାରୀମାନେ କେବେ ଲମ୍ବା ଚାଲିବାକୁ ଥିବା ଏହି ଅଭିଯାନରେ ତିଷ୍ଠି ପାରିବେ ନାହିଁ । ଏହାରି ମଧ୍ୟରେ ଇମ୍ରାନ ଖାନ ବିଦେଶରେ ଥିବା ପାକିସ୍ତାନୀମାନଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଦେଇଛନ୍ତି । ତେଣୁ ଏହି ରାଶି ବିଦେଶରୁ କ୍ରାଉଡ ଫଣ୍ଡିଂ ମାଧ୍ୟମରେ ଏକାଠି କରାଯାଇ ସରିଫ ସରକାର ବିରୋଧରେ ଏହି ବିଶାଳ ଜନଆନ୍ଦୋଳନକୁ ବଳ ଦେଉଛି ବୋଲି ଚର୍ଚ୍ଚା ହେଉଛି । ଅବଶ୍ୟ ଏହି ଆନ୍ଦୋଳନ ବ୍ୟାପକ ହେଲେ ପାକିସ୍ତାନ ସରକାର ପଡୋଶୀ ଭାରତକୁ ମଧ୍ୟ ଦାୟୀ କରିପାରନ୍ତି । ନୂଆଦିଲ୍ଲୀର ପ୍ରଚ୍ଛନ୍ନ ସମର୍ଥନରେ ଇମ୍ରାନ ଏତେବଡ ବିଦ୍ରୋହ ଡାକରା ଦେଲେ ବୋଲି ଇସଲମାମାବଦ କହିବା କଛି ନୂଆ କଥା ନୁହେଁ । ଅବଶ୍ୟ ଏପରି ଅଭିଯୋଗକୁ ସହଜରେ ଗ୍ରହଣ କରାଯାଇ ନପାରେ । କାରଣ ଏହା ପଛରେ ଏକାଧିକ ରାଜନୈତିକ ଓ କୂଟନୈତିକ କାରଣ ରହିଛି ।
- ଇମ୍ରାନଙ୍କ କାର୍ଯ୍ୟକାଳରେ ଭାରତ-ପାକ ସମ୍ପର୍କ :-
ଇମ୍ରାନଙ୍କୁ ଭାରତ ପ୍ରଚ୍ଛନ୍ନ ସମର୍ଥନ ଦେବ, ଏ କଥାର ଯୁକ୍ତିଯୁକ୍ତତା ଦୃଷ୍ଟିଗୋଚର ହେଉନାହିଁ । କାରଣ ଇମ୍ରାନଙ୍କ କାର୍ଯ୍ୟକାଳରେ ଦୁଇ ଦେଶରେ ଦ୍ବିପାକ୍ଷିକ ସମ୍ପର୍କ ଏତେ ଭଲ ନଥିଲା, ବରଂ ପଛରେ ଅଧିକ ବିଗିଡିଥିଲା । ଆଲୋଚନା ପ୍ରକ୍ରିୟା ଜାରି ରହିଥିଲେ ସୁଦ୍ଧା କାଶ୍ମୀରରୁ ଧାରା 370 ଉଚ୍ଛେଦ କରାଯିବାକୁ ନେଇ ଇମ୍ରାନ ଖାନ ଉତକ୍ଷିପ୍ତ ହୋଇଥିଲେ । ଧାରା 370 ଉଚ୍ଛେଦ ଅସାମ୍ବିଧାନିକ ଓ ଏହାର ପୁନଃକାର୍ଯ୍ୟକାରିତା ନକଲେ, ପାକିସ୍ତାନ ଭାରତ ସହ କୌଣସି ପ୍ରସଙ୍ଗରେ ଆଲୋଚନା କରିବନାହିଁ ବୋଲି ଇମ୍ରାନ କହିଥିଲେ । ଏପରିକି ଏହି କାରଣରୁ ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସେବା ମଧ୍ୟ ପ୍ରଭାବିତ ହୋଇଥିଲା ।
- ଚୀନର ଭୂମିକା:-
ଇମ୍ରାନଙ୍କୁ ସମର୍ଥନ ଦେଇ ସରିଫ ସରକାରଙ୍କ ଅଡୁଆ ବଢାଇବା ଓ ରାଜନୈତିକ ଅସ୍ଥିରତା ସୃଷ୍ଟି କରିବା ପାଇଁ ଚୀନର ଭୂମିକା ସନ୍ଦିଗ୍ଧ ଦେଖାଯାଉଥିଲେ ସୁଦ୍ଧା, ବାସ୍ତବରେ ଏହା ସେମିତି ହୋଇନପାରେ । କାରଣ ଚୀନ ଏବେ ପାକିସ୍ତାନରେ ଏକାଧିକ ପ୍ରକଳ୍ପ କାମ ଜାରି ରଖିଛି । ଏହାରି ମଧ୍ୟରେ ମୁଖ୍ୟ ପ୍ରକଳ୍ପ ରହିଛି ‘ଚୀନ-ପାକିସ୍ତାନ ଇକୋନୋମିକ କରିଡର’ ବୃହତ୍ତ ପ୍ରକଳ୍ପ । ଏହାକୁ ବାଲୁଚିସ୍ଥାନରେ ବିରୋଧ କରାଯାଉଛି । ଯାହାକି ଉଭୟ ପାକିସ୍ତାନ ଓ ଚୀନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଯଦି ପାକିସ୍ତାନରେ ରାଜନୈତିର ଅସ୍ଥିରତା ଓ ହିଂସା ସୃଷ୍ଟି ହୁଏ, ତେବେ ଚୀନ ବ୍ୟାପକ ଆର୍ଥିକ କ୍ଷତିର ସାମ୍ନା କରିବ । ତେଣୁ ଏହି ଆନ୍ଦୋଳନ ପଛରେ ଚୀନର ପ୍ରଚ୍ଛନ୍ନ ସମର୍ଥନ ଥିବା ଅଭିଯୋଗ ମଧ୍ୟ ଭୁଲ ପ୍ରମାଣିତ ହୋଇପାରେ ।
ତଥାପି ଇମ୍ରାନଙ୍କ ଏହି ବିକ୍ଷୋଭ କେତେମାତ୍ରାରେ ପ୍ରଭାବୀ ହେବ ଓ ସିରଫ ସରକାର ପ୍ରତି କେତେ ବିପଦ ସୃଷ୍ଟି କରିବ, ତାହା ଆଗାମୀ ସମୟରେ ଜଣାପଡିବ । ଯଦି ଇମ୍ରାନଙ୍କୁ ଜନସମର୍ଥନ ସହ ସେନାର ମସର୍ଥନ ମିଳେ, ତାହାଲେ ପାକିସ୍ତାନରେ ଆଉ ଏକ ଏକଛତ୍ରବାଦୀ ଯୁଗ ମଧ୍ୟ ଆରମ୍ଭ ହୋଇପାରେ ।
ସମ୍ପାଦକୀୟ...