ହାଇଦ୍ରାବାଦ:କିଛି ମାସର ବ୍ୟବଧାନ ପରେ ପୁଣି ଭାରତ-କାନାଡା ସମ୍ପର୍କରେ ଚରମ ଚିକ୍ତତା ଦେଖିବାକୁ ମିଳିଛି । ଖଲିସ୍ତାନୀ ଆତଙ୍କବାଦୀ ହରଦ୍ବୀପ ସିଂ ନିଜ୍ଜାର ହତ୍ୟା ମାମଲାରେେ କାନାଡା ସରକାର ପୁଣି ନୂଆଦିଲ୍ଲୀକୁ ଦାୟୀ କରିବା ପରେ ଦ୍ବିପାକ୍ଷିକ ତିକ୍ତତା ବଢିଛି । ଉଭୟ ଦେଶ ସେମାନଙ୍କ କୂଟନୀତିଜ୍ଞ ଅପସାରଣ କରିଛନ୍ତି । ଏହାରି ମଧ୍ୟରେ କାନାଡାର କିଛି ଅଧିକାରୀ ଏହି ପ୍ରସଙ୍ଗରେ ଭାରତ ବିରୋଧରେ ନୂଆ ଅଭିଯୋଗ କରିଛନ୍ତି ।
- ପ୍ରମାଣ ନାହିଁ, ଖାଲି ଅଭିଯୋଗ
କିଛି ନୂଆ ତଥ୍ୟ ସାମ୍ନାକୁ ଆଣିବା ସହ ସେମାନେ ଏହି ହତ୍ୟାକାଣ୍ଡରେ ଭାରତୀୟ ଏଜେନ୍ସିର ସମ୍ପୃକ୍ତି ଅଛି ବୋଲି ପ୍ରମାଣିତ କରିବାକୁ ଭରପୂର ପ୍ରୟାସ କରିଛନ୍ତି । ମାତ୍ର ତାହା ବିଫଳ ହେବା ପରି ସ୍ପଷ୍ଟ ଦୃଶ୍ୟମାନ ହେଉଛି । କାନାଡା ତଦନ୍ତକାରୀ ସଂସ୍ଥା ସଙ୍ଗୀନ ଅଭିଯୋଗ କରିଥିଲେ ମଧ୍ୟ ସଠିକ୍ ପ୍ରମାଣ ସାମ୍ନାକୁ ଆଣିବାରେ ବିଫଳ ହୋଇଛି । ଏହି ଅଭିଯୋଗ କେବଳ ଜଷ୍ଟିନ୍ ଟ୍ରୁଡୋ ସରକାରକୁ ବଞ୍ଚାଇବାର ଏକ ଉଦ୍ୟମ ବୋଲି ମଧ୍ୟ କୁହାଯାଉଛି ।
ଏହାକୁ ନୂଆଦିଲ୍ଲୀ ଖଣ୍ଡନ କରିବା ସହ ପ୍ରବଳ ବିରୋଧ ମଧ୍ୟ କରିଛି । କେବଳ ଭାରତୀୟ ନୁହନ୍ତି, ବରଂ କାନାଡାର ନିଜ ନାଗରିକମାନେ ମଧ୍ୟ ଏହି ପ୍ରସଙ୍ଗରେ ନିଜ ସରକାରର ଭାରତ ବିରୋଧୀ ଅଭିଯୋଗ ସମ୍ପର୍କିତ ପ୍ରମାଣ ନେଇ ସନ୍ଦେହ ପ୍ରକାଶ କରିଛନ୍ତି । ଅନେକ ସୋସିଆଲ ମିଡିଆ ୟୁଜର୍ସମାନେ ଟ୍ରୁଡୋ ସରକାର ଓ ଅନ୍ୟମାନଙ୍କୁ ସମାଲୋଚନା କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ବାରମ୍ବାର ଅଭିଯୋଗ କରି ବିବାଦକୁ ବଢାଇବା ଓ କୂଟନୈତିକ ତିକ୍ତତାକୁ ଚରମ ସୀମାକୁ ନେବା ବ୍ୟତୀତ ପ୍ରମାଣ ଦେବାରେ କାନାଡା, ଭାରତକୁ କୌଣସି ସହଯୋଗ କରୁନାହିଁ ।
- ଟ୍ରୁଡୋଙ୍କ ୨୦୧୮ ଭାରତ ଗସ୍ତ ସମୟରେ ଏମିତି କଣ ହୋଇଥିଲା !
ଅନ୍ୟ ଏକ ରୋଚକ ତଥ୍ୟ ଅନୁସାରେ, କାନାଡା-ଭାରତ ମଧ୍ୟରେ ଆରମ୍ଭ ହୋଇଥିବା ଏହି ତିକ୍ତତାର ପ୍ରକୃତ କାରଣ କେବଳ ନିଜ୍ଜାର ହତ୍ୟାକାଣ୍ଡ ନୁହେଁ ବରଂ ଟ୍ରୁଡୋ ପରିବାରର ଭାରତ ଗସ୍ତ ସମ୍ପର୍କିତ ଏକ ଘଟଣାକ୍ରମ ସହ ସମ୍ପୃକ୍ତ । ୨୦୧୮ରେ ଟ୍ରୁଡୋ ସପରିବାର ଭାରତ ଆସିଥିଲେ । ଟ୍ରୁଡୋଙ୍କ ନୂଆଦିଲ୍ଲୀ ଗସ୍ତର ଷଷ୍ଠ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସାକ୍ଷାତ କରିଥିଲେ । ଉଭୟଙ୍କ ମଧ୍ୟରେ କେବଳ ଔପଚାରିକ ସାକ୍ଷାତକାର ଓ ଆଲୋଚନା ହୋଇଥିଲା । କେବଳ ଫଟୋ କ୍ଲିକ୍ କରିବା ଛଡା କାନାଡା ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଅନ୍ୟ କୌଣସି ସୁଫଳ ମିଳିନଥିଲା ।
ଏହି ଘଟଣା ନେଇ ଟ୍ରୁଡୋଙ୍କୁ ନିଜ ଦେଶରେ ମଧ୍ୟ ସମାଲୋଚିତ ହେବାକୁ ପଡିଥିଲା । ଏହା ଏକ ଅଫଳପ୍ରଦ ଗସ୍ତ ବୋଲି କାନାଡାବାସୀ ଓ ସ୍ଥାନୀୟ ରାଜନୈତିକ ଦଳ ଅନୁଭବ କରିଥିଲା । ଏହାକୁ ନେଇ କାନାଡାର ଭାରତ ପ୍ରତି ଆଭିମୁଖ୍ୟ ବଦଳିଥିଲା । ଯାହା ପରବର୍ତ୍ତୀ ସମୟରେ ଭିନ୍ନ ପ୍ରାସଙ୍ଗିକ ମୋଡ ନେଇଥିଲା । ଏହାର କିଛି ବର୍ଷ ପରେ ନିଜ୍ଜାର ହତ୍ୟା ମାମଲାରେ ସିଧା ଟ୍ରୁଡୋ ଭାରତର ପ୍ରତ୍ୟକ୍ଷ ସମ୍ପୃକ୍ତି ନେଇ ଅଭିଯୋଗ କରିଥିଲେ । ଏହା ପରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ତିକ୍ତତା ବୃଦ୍ଧି ପାଇଥିଲା ।
- ଜି୨୦ ସମ୍ମିଳନୀରେ ଦ୍ବିପାକ୍ଷିକ ଆଲୋଚନା କରିନଥିଲେ ମୋଦି- ଟ୍ରୁଡୋ
ଅନ୍ୟ ଏକ ଘଟଣାକ୍ରମକୁ ମଧ୍ୟ ବିଚାରକୁ ନିଆଯାଇପାରେ । ଗତବର୍ଷ (୨୦୨୩) ରେ ଭାରତ ଅଧ୍ୟକ୍ଷତାରେ ଜି-୨୦ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏଥିରେ ଶେଷ କାର୍ଯ୍ୟକ୍ରମ ଭାବେ ସମ୍ମିଳନୀର ରାଷ୍ଟ୍ରମୁଖ୍ୟମାନେ ଦିଲ୍ଲୀ ଆସିଥିଲେ । ଏହାରି ମଧ୍ୟରେ କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋ ମଧ୍ୟ ଥିଲେ । ହେଲେ ଆଶ୍ଚର୍ଯ୍ୟଜନକ ଭାବେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର କୌଣସି ଦ୍ବିପାକ୍ଷିକ ଆଲୋଚନା ହୋଇନଥିଲା । ମୋଦି ମୁଖ୍ୟ ଇଭେଣ୍ଟର ପାର୍ଶ୍ବ-କାର୍ଯ୍ୟକ୍ରମ ଭାବେ ଏକାଧିକ ରାଷ୍ଟ୍ରମୁଖ୍ୟ ସହ ସାକ୍ଷାତ ଓ ଦ୍ବିପାକ୍ଷିକ ଆଲୋଚନା କରିଥିଲେ ସୁଦ୍ଧା କାନାଡା କ୍ଷେତ୍ରରେ ହିଁ ଏହାର ବିପରୀତ ଘଟଣାକ୍ରମ ଦେଖିବାକୁ ମିଳିଥିଲା । ଟ୍ରୁଡୋ କେବଳ ମୁଖ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଫେରିଯାଇଥିଲେ ।
- ରାଷ୍ଟ୍ରପତିଙ୍କ ନୈଶ୍ୟଭୋଜିରେ ସାମିଲ ହୋଇନଥିଲେ ଟ୍ରୁଡୋ
କାନାଡା ମାଟିରେ ଖଲିସ୍ତାନୀ ଗତିବିଧିକୁ ସମର୍ଥନ ମିଳୁଥିବା ପ୍ରସଙ୍ଗରେ ମଧ୍ୟ ତାଙ୍କୁ କଡା ସମାଲୋଚନା କରାଯାଇଥିଲା । ଏହା ପରେ କାନାଡା ପ୍ରଧାନମନ୍ତ୍ରୀ ମଧ୍ୟ ଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରିଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ଆୟୋଜିତ ରାଷ୍ଟ୍ରମୁଖ୍ୟ ନୈଶ୍ୟଭୋଜିରେ ସମସ୍ତ ରାଷ୍ଟ୍ରମୁଖ୍ୟ ସାମିଲ ହୋଇଥିବା ବେଳେ ଟ୍ରୁଡୋ ଏଥିରୁ ଦୂରେଇ ରହିଥିଲେ । ରାଷ୍ଟ୍ରପତି ଭବନରେ ଆୟୋଜିତ ନୈଶ୍ୟଭୋଜିରେ ଅଂଶଗ୍ରହଣ ନକରି ସେ ତାଙ୍କ ପୁଅ ସହ ଅନ୍ୟ ଏକ ରେସ୍ତୋରାଁ ଚାଲିଯାଇଥିଲେ । ଯାହା ସେତେବେଳେ ଚର୍ଚ୍ଚାର କାରଣ ହୋଇଥିଲା ।