ହାଇଦ୍ରାବାଦ:ନିକଟରେ UPSC ରେଜଲ୍ଟ ପ୍ରକାଶ ପାଇଥିଲା, ଯାହାକି ଖୁବ୍ ଉତ୍ସାହଜନକ ଥିଲା । ଏଥିରେ ଦେଶର ସବୁଠୁ ପ୍ରତିଷ୍ଠିତ ଚାକିରି ବା ପ୍ରଶାସନିକ ସେବାରେ ସାମିଲ୍ ହେବାକୁ ଯାଉଥିବା ଆଶାୟୀଙ୍କ ଅଦ୍ଭୁତପୂର୍ବ ସଫଳତାକୁ ଦର୍ଶାଯାଇଥିଲା । ଏହି ପ୍ରସଙ୍ଗରେ କିଛି ମାସ ତଳେ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର (PMEAC) ଜଣେ ଅଧିକାରୀ ଟିପ୍ପଣୀ ଦେଇଥିଲେ, ଯାହାକି ଅନେକ ପ୍ରଶ୍ନଘେରରେ ଛନ୍ଦି ହୋଇଯାଇଥିଲା । ସେହି ଅଧିକାରୀ ଜଣକ ୟୁପିଏସସି ପ୍ରସ୍ତୁତିକୁ ''ଆକାଂକ୍ଷାର ଅଭାବ'' ଭାବେ ଅଭିହିତ କରି ଏହି ପରୀକ୍ଷା ପାଇଁ ପ୍ରସ୍ତୁତିକୁ ସମୟର ବର୍ବାଦି ବୋଲି କହିଥିଲେ । ତାଙ୍କର ପରାମର୍ଶ ଥିଲା ଯେ, ଯୁବବର୍ଗ କେନ୍ଦ୍ର ସରକାରରେ ଯୁଗ୍ମ ସଚିବ ହେବା ବଦଳରେ ଏଲନ ମସ୍କ କିମ୍ବା ମୁକେଶ ଅମ୍ବାନୀ ହେବାକୁ ଲକ୍ଷ୍ୟ ରଖିବା ଉଚିତ୍ ।
ଏହି ତଥ୍ୟକୁ ମଧ୍ୟ ଅଣଦେଖା କରାଯାଇପାରିବ ନାହିଁ ଯେ, ପ୍ରତିବର୍ଷ କିଛି ୨୦୦-୪୦୦ ପଦବୀ ପାଇଁ ୧୦ ଲକ୍ଷ ଯୁବକ ଯୁବତୀ ପ୍ରତିଦ୍ବନ୍ଦିତା କରିଥାନ୍ତି । IOLର ଏକ ସଦ୍ୟ ରିପୋର୍ଟରୁ ଜଣାପଡେ, ଅର୍ଥବ୍ୟବସ୍ଥାର ଶ୍ରମ ବଜାର ଯୁବ ପ୍ରତିଭାଙ୍କୁ ରୋଜଗାରକ୍ଷମ କରିବା ଲାଗି ପର୍ଯ୍ୟାପ୍ତ ନିଯୁକ୍ତି ସୃଷ୍ଟି କରିପାରୁନାହିଁ । ବାସ୍ତବରେ, ଭାରତରେ ଯୁବଗୋଷ୍ଠୀର ଏକ ବୃହତ ଭାଗ ଏବେ ବି ସାମାଜିକ, ଆର୍ଥିକ ଏବଂ ରାଜନୈତିକ ଚ୍ୟାଲେଞ୍ଜର ସହ ଯୁଝୁଛନ୍ତି । ସେମାନେ ଉଚ୍ଚବେତନ ଭିତ୍ତିକ ସରକାରୀ ଚାକିରି ପାଇବାକୁ ସଂଘର୍ଷ କରନ୍ତି । ଯେଉଁ କାରଣରୁ ଅଧିକାଂଶ ବର୍ଷ ସେମାନେ ବେରୋଜଗାର ରୁହନ୍ତି ନଚେତ୍ ଛୋଟମୋଟ କାମ କରନ୍ତି ।
ତଥାପି, UPSC ପ୍ରସ୍ତୁତିକୁ “ଆକାଂକ୍ଷାର ଅଭାବ” (Poverty of Aspiration) ଅଭିହିତ କରିବା ଅମୂଳକ । ଏହିଭଳି ଅଜବ ଅବାନ୍ତର ଟିପ୍ପଣୀ ନା କେବଳ ଅପମାନଜନକ ବରଂ ସେହି ଲୋକଙ୍କୁ ହତୋତ୍ସାହିତ କରିବା ଭଳି ଯେଉଁମାନେ ନୀତି ନିର୍ମାତା (Policy Maker) ବନିବାକୁ ଉତ୍ସାହ ରଖନ୍ତି ।
ଅପରପକ୍ଷେ, ବ୍ୟୁରୋକ୍ରାଟ ହେବା ପାଇଁ ବଢୁଥିବା ଆଶାୟୀ ସଂଖ୍ୟା ଆଜିର ଯୁବପିଢିରେ 'ନୋବିଲିଟି ଅଫ୍ ଆସ୍ପିରେସନ'କୁ ସୂଚୀତ କରେ । IAS, IPS ଓ IFS ଭଳି ପ୍ରତିଷ୍ଠିତ ସେବା ପାଇଁ ଯୋଗ୍ୟତା ଅର୍ଜନ କରୁଥିବା ବ୍ୟକ୍ତିଙ୍କ ତଥ୍ୟକୁ ଦେଖିଲେ, ଏହାର ଏକ ବୃହତ ଭାଗର ଶିକ୍ଷାଗତ ପୃଷ୍ଠଭୂମି ଇଞ୍ଜିନିୟରିଂ, ମେଡିକାଲ ଏବଂ ମେଡିସିନ, ମ୍ୟାନେଜମେଣ୍ଟ, ଚାଟାର୍ଡ ଆକାଉଣ୍ଟାସି ଭଳି ଅନେକ ଟେକ୍ନୋକ୍ରାଟିକ କ୍ଷେତ୍ର ସହ ଜଡିତ । ଅର୍ଥାତ୍ ଯୁବବର୍ଗର ଏହି ଗୋଷ୍ଠୀ ପ୍ରତିଷ୍ଠିତ ଶୈକ୍ଷଣିକ ସଂସ୍ଥାନରେ ଅଧ୍ୟୟନ କରିଛନ୍ତି । ଯାହା ମାଧ୍ୟମରେ ସେମାନେ ଘରୋଇ କ୍ଷେତ୍ରରେ ଆକର୍ଷକ ଓ ଉଚ୍ଚ ଆୟ ସମ୍ପନ୍ନ ଚାକିରି କିମ୍ବା ବିଦେଶରେ ନିଯୁକ୍ତି ପାଇପାରିବେ । ତଥାପି ସେମାନେ ଏହି ପ୍ରଲୋଭନକୁ ଛାଡି ଏହାଠୁ କମ୍ ବେତନ ଭିତ୍ତିକ ପ୍ରଶାସନିକ ଅଧିକାରୀ ହେବାର ସ୍ବପ୍ନ ଦେଖୁଛନ୍ତି ।
ଦେଶର ଏହି ସବୁଠୁ କଠିନ ପରୀକ୍ଷା ପାସ୍ କରିବା ପାଇଁ ଯେଉଁ କଡା ପରିଶ୍ରମ କରିବାକୁ ପଡିଥାଏ, ତାହା ଆଶ୍ଚର୍ଯ୍ୟ କଲାଭଳି । ତେଣୁ ୟୁପିଏସସି ପାଇଁ ବିସ୍ତାର ଜ୍ଞାନ ଆହରଣ କରିବାକୁ ବର୍ଷ ବର୍ଷ ଲାଗିବା ସ୍ବାଭାବିକ । ୟୁପିଏସସି ଯାତ୍ରାକୁ ଆଗକୁ ବଢାଇବା ଲାଗି କଠିନ ପରିଶ୍ରମ, ମାନସିକ ସନ୍ତୁଳନ ଓ ଧୈର୍ଯ୍ୟ ଆବଶ୍ୟକ, ଯାହା ସବୁବେଳେ ଉଭୟ ସଫଳତା ଏବଂ ଅସଫଳତା ଭରା ରହିଥାଏ ।