ପାରାଦ୍ବୀପ: ପାରାଦ୍ୱୀପ ବନ୍ଦର ପାଳୁଛି 64 ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ପାରାଦ୍ୱୀପ ବନ୍ଦର ପକ୍ଷରୁ ମିନି ମାରାଥନ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।ବନ୍ଦରକୁ ରଙ୍ଗ ବେରଙ୍ଗର ଆଲୋକ ସଜ୍ଜାରେ ସଜ୍ଜିତ କରାଯିବା ସହିତ ବର୍ଥ ଗୁଡିକକୁ ସୁସଜିତ କରାଯାଇଛି ।
ପାରାଦ୍ୱୀପ ବନ୍ଦରର ଇତିହାସ
ଅଭିଭକ୍ତ କଟକ ଜିଲ୍ଲାରେ ୧୯୬୨ ମସିହା ଜାନୁୟାରୀ 3 ତାରିଖ ଅର୍ଥାତ୍ ଆଜିର ଦିନରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ପାରାଦ୍ୱୀପ ବନ୍ଦରର ଶୁଭ ଦେଇଥିଲେ । ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏହି ବନ୍ଦରକୁ କ୍ରିୟାଶୀଳ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ୧୯୬୪ ମସିହାରେ ରାଜ୍ୟ ସରକାରଙ୍କ ନିଜସ୍ୱ ବନ୍ଦର ଭାବରେ ଏହା କାର୍ଯ୍ୟ କରିଥିଲା । ସେ ସମୟରେ ରାଜ୍ୟ ସରକାର ବନ୍ଦର ନିର୍ମାଣ ବାବଦକୁ ୧୬ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ୧୯୬୬ ମସିହା ଅପ୍ରେଲ ୧୮ ତାରିଖରେ ପାରାଦ୍ୱୀପ ବନ୍ଦରକୁ କେନ୍ଦ୍ର ସରକାର ନିଜ ଅଧିନକୁ ନେଇଥିଲେ । ଧୀରେ ଧୀରେ ପାରାଦ୍ୱୀପ ବନ୍ଦରଟି ସମଗ୍ର ଦେଶରେ ଏକ ଗୁରୁତ୍ୱପୂର୍ଣ୍ଣ ବନ୍ଦର ଭାବରେ ଉଭା ହୋଇପାରିଛି ।
ଏହାମଧ୍ୟ ପଢନ୍ତୁ... ପାରାଦ୍ୱୀପ ପୂର୍ବ ଭାରତର ବିକାଶର ଦ୍ୱାର ପାଲଟିବ : ଧର୍ମେନ୍ଦ୍ର ପ୍ରଧାନ ବାଂଲାଦେଶୀ ଜାହାଜକୁ ସ୍ବଦେଶ ଫେରାଇବାକୁ ବିରୋଧ, ପ୍ରଧାନମନ୍ତ୍ରୀଙ୍କୁ ଚିଠି |
ପାରାଦ୍ୱୀପ ବନ୍ଦରର ରେକର୍ଡ
ଗତ ଅକ୍ଟୋବର ମାସରେ ପାରାଦ୍ୱୀପ ବନ୍ଦର ସର୍ବ ଭାରତୀୟ ସ୍ତରରେ ପଣ୍ୟ କାରବାରକୁ ନେଇ ରେକର୍ଡ ସୃଷ୍ଟି କରିଥିଲା । ପାରାଦ୍ୱୀପ ପୋର୍ଟ ଅଧକ୍ଷ ପି ଏଲ ହାରନାଦ୍ଦ କହିଛନ୍ତି, "ପାରାଦ୍ୱୀପ ପୋର୍ଟ ଭାରତର ଗୁରୁତ୍ୱପୂର୍ଣ୍ଣ ପୋର୍ଟ ମଧ୍ୟରେ ଅନ୍ୟତମ । ୫୦.୧୬ ମିଲିୟନ ମେଟ୍ରିକ ଟନ ପଣ୍ୟ କାରବାର କରି ଭାରତରେ ଏକ ବିରଳ ରେକର୍ଡ ସୃଷ୍ଟି କରିଛି । ଭାରତର ୧୩ଟି ଗୁରୁତ୍ୱପୂର୍ଣ୍ଣ ପୋର୍ଟ ମଧ୍ୟରେ ଏହା ଏକ ସର୍ବକାଳୀନ ରେକର୍ଡ ।"
ଇଟିଭି ଭାରତ, ଜଗତସିଂହପୁର