ଅନୁଗୋଳ: ଆଜିକାଲିର ସ୍ବାର୍ଥପର ଦୁନିଆରେ ମାନବିକତା ସତେ ଯେମିତି ହଜିଯାଇଛି । ହାତଗଣତି କିଛି ଲୋକ ହିଁ ସେବା ମନୋବୃତ୍ତି ରଖୁଥିବା ଦେଖିବାକୁ ମିଳେ । ସେହିପରି ଏକ ବ୍ୟକ୍ତି ହେଉଛନ୍ତି, ଅବସରପ୍ରାପ୍ତ ସେନା ଅଧିକାରୀ ନରେନ୍ଦ୍ର କୁମାର ଦେହୁରୀ ଯିଏ କି ଅଞ୍ଚଳବାସୀଙ୍କ ପ୍ରିୟ ନରି ଭାଇ ।
ନିଆରା ସମାଜସେବୀ ନରେନ୍ଦ୍ର:
ଅନୁଗୋଳ ଜିଲ୍ଲା ବନ୍ତଳା ଗାଁର ନରେନ୍ଦ୍ର କୁମାର ଦେହୁରୀ । ବାପା,ମା, ଦୁଇ ଝିଅ ଓ ପତ୍ନୀଙ୍କୁ ନେଇ ତାଙ୍କ ପରିବାର । ଦୀର୍ଘ ୨୪ ବର୍ଷ ଦେଶ ସୀମାନ୍ତରେ ସୀମା ସୁରକ୍ଷା ଦେଲେ ନରେନ୍ଦ୍ର । ଆଉ ଅବସର ପରେ ନିଜ ଅଞ୍ଚଳର ଲୋକଙ୍କ ସେବା କରିବାକୁ ଅଣ୍ଟା ଭିଡ଼ିଲେ । ଯାହା କିଛି ଅର୍ଥ ସଞ୍ଚୟ କରିଥିଲେ ସେସବୁ ଲୋକଙ୍କ ସେବାରେ ଖର୍ଚ୍ଚ କରିଦେଲେ । ଆଉ ସେବାରେ ଆତ୍ମସନ୍ତୋଷ ମିଳୁଥିବା କୁହନ୍ତି ନରେନ୍ଦ୍ର । ଗତ ୧୯୯୫ରେ ନରେନ୍ଦ୍ର ଭାରତୀୟ ସେନାରେ ଯୋଗ ଦେଇଥିଲେ।
ଗତ ୨୦୧୯ରେ ସେନା ବାହିନୀରୁ ଅବସର ନେଇ ନିଜ ଗାଁକୁ ଆସିଲେ । ତାଙ୍କ ୨୪ ବର୍ଷ କାର୍ଯ୍ୟକାଳ ମଧ୍ୟରେ କାଶ୍ମୀର, ରାଜସ୍ଥାନ, ମଣିପୁର, ଉତ୍ତର ପ୍ରଦେଶ ଓ ପଞ୍ଜାବ ସମେତ ବହୁ ରାଜ୍ୟରେ ରହି ଆସିଛନ୍ତି । କାଶ୍ମୀର ବନ୍ଦିପୋରା ଠାରେ ଉଗ୍ରବାଦୀମାନଙ୍କ ସହ ମୁହାଁମୁହିଁ ହୋଇ ଗୁଳିମାଡ଼ ବି ଖାଇଛନ୍ତି । ଦେଶର ସୁରକ୍ଷା ପାଇଁ ସୀମାନ୍ତରେ ଅନେକ ଥର ଶତ୍ରୁର ସମ୍ମୁଖୀନ ହୋଇଛନ୍ତି । ତାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଯେତେବେଳେ ଗାଁକୁ ଫେରିଲେ ତାଙ୍କ ଅଞ୍ଚଳରେ ବହୁ ସମସ୍ୟା ଦେଖିଲେ । ତେଣୁ ସେ ଗରିବ, ଅସହାୟ ଏବଂ ବୟସ୍କ ମାନଙ୍କୁ ନିଜ ସାମର୍ଥ୍ୟ ଅନୁସାରେ ସେବା କରିବାକୁ ମନ ବଳାଇଲେ ।
ନିଶୁଳ୍କ ଆମ୍ବୁଲାନ୍ସ ସେବା:
ପ୍ରଥମେ ନିଜ ଅର୍ଥରେ ଏକ ବ୍ୟାଟେରୀ ଚାଳିତ ତିନି ଚକିଆ ଗାଡି କିଣିଲେ । ସେଥିରେ ସେ ଗରିବ ଅସହାୟମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଆବଶ୍ୟକ ସମୟରେ ଡାକ୍ତରଖାନା ଆଣିବାରୁ ଆରମ୍ଭ କରି ରୋଗୀମାନଙ୍କୁ ନିଜ ଘରେ ପହଞ୍ଚାଇବା ଆଦି କାମ କଲେ । ଦିନ ରାତି ଯିଏ ଯେତେବେଳେ ଫୋନ କଲା ତାଙ୍କୁ ସାହାଯ୍ୟ କଲେ । ଧୀରେ ଧୀରେ ନରେନ୍ଦ୍ରଙ୍କ ଏଭଳି ସେବା ମନୋଭାବ ଦେଖି ବହୁ ଲୋକ ତାଙ୍କର ସହାୟତା ଚାହିଁଲେ । ତାଙ୍କ ପରିବାରର ମଧ୍ୟ ସହଯୋଗ ମିଳିଲା । ନରେନ୍ଦ୍ରଙ୍କ ବାପା ଚାଷ କରି ଯାହା ଆୟ କରନ୍ତି ସେଥିରେ ପରିବାର ଚଳାଏ । ନରେନ୍ଦ୍ର ଯାହା ଅର୍ଥ ରୋଜଗାର କରି ରଖିଥିଲେ ସେଥିରୁ ଟଙ୍କାଟିଏ ମଧ୍ୟ ପରିବାର ପାଇଁ ଖର୍ଚ୍ଚ କଲେ ନାହିଁ । ବରଂ ସମାଜ ପାଇଁ ସେବା କାର୍ଯ୍ୟରେ ଉପାର୍ଜିତ ଅର୍ଥକୁ ଉଦ୍ଦିଷ୍ଟ କଲେ ।
ଅଞ୍ଚଳବାସୀଙ୍କ ପ୍ରଶଂସା:
ନରେନ୍ଦ୍ର କୁମାର ଦେହୁରୀ କହିଛନ୍ତି, "ବନ୍ତଳା ଅଞ୍ଚଳରେ ଦିନକୁ ଦିନ ଦୋକାନ ବଜାର ସଂଖ୍ୟା ବଢୁଥିବାବେଳେ ଜନସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ହେଲେ ଏଠାରେ ସର୍ବସାଧାରଣ ଶୌଚାଳୟଟିଏ ନଥିବାରୁ ଜନସାଧାରଣ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ତେଣୁ ସେ ଚିନ୍ତା କଲି ଏକ ଶୌଚାଳୟ ନିର୍ମାଣ କରିବାକୁ। ଜୁଇ ବାହାଘର ନକରି ପ୍ରଥମେ ସେ ଟଙ୍କାରେ ଶୌଚାଳୟ ନିର୍ମାଣ କରିଦେଲି ।" ସେ ନିଜ ଜାଗାରେ ପ୍ରାୟ ୭ଲକ୍ଷ ଟଙ୍କା ଖର୍ଚ୍ଚ କରି ସେ ନିର୍ମାଣ କରାଇଛନ୍ତି ଏକ ସୁନ୍ଦର ଶୌଚାଳୟ। ଅଞ୍ଚଳରେ ଶୌଚାଳୟ ନଥିଲା ।
ଜଣେ ଗ୍ରାମବାସୀ ଅଚ୍ୟୁତାନନ୍ଦ ଦେହୁରୀ କହିଛନ୍ତି, "ନରେନ୍ଦ୍ର ଏହାକୁ ନିର୍ମାଣ କରିବା ପରେ ବହୁ ଲୋକ ଉପକୃତ ହେଉଛନ୍ତି । ଦୀର୍ଘ ବର୍ଷର ସମସ୍ୟା ସମାଧାନ କରି ପାରିଛନ୍ତି ନରେନ୍ଦ୍ର । ତେବେ ଆଗକୁ ଲୋକଙ୍କ ପାଇଁ ଆହୁରି କିଛି କରିବାର ଲକ୍ଷ୍ୟ ରହିଛି ସେ । ନରେନ୍ଦ୍ରଙ୍କ ଏଭଳି ସେବା ମନୋବୃତି ପାଇଁ ଅଞ୍ଚଳର ଲୋକଙ୍କ ଠାରୁ ମିଳୁଛି ଢେର ସାରା ପ୍ରଶଂସା ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ