ଯାଜପୁର: ଗତକାଲି ପାଣିକୋଇଲି ସ୍ଥିତ ପଣ୍ଡା ଅଳଙ୍କାର ଦୋକାନରେ ସଶସ୍ତ୍ର ଡକାୟତି ଉଦ୍ୟମ ଓ ଗୁଳିମାଡରେ ୨ ଯୁବକ ପ୍ରାଣ ହରାଇବା ଘଟଣାରେ ସ୍ବତନ୍ତ୍ର ତଦନ୍ତକାରି ଟିମ୍ (ଏସଟିଏଫ) ତଦନ୍ତ ଆରମ୍ଭ କରିଛି । ଆଜି 3 ଜଣିଆ ‘ଏସଟିଏଫ‘ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସରଜମିନ୍ ତଦନ୍ତ କରିଛନ୍ତି l ଗତକାଲି ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ଆଜି ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେବି ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ମୃତକଙ୍କ ପରିବାରକୁ ସରକାରୀ ସହାୟତା ପାଇଁ ଦାବି ଉଠିଛି l
- ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ୨ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି
ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ସମବେଦନା ଜଣାଇ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ଏଥିସହ ଘଟଣାରେ ଆହତ ବ୍ୟକ୍ତିଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(CMO) ପକ୍ଷରୁ Xରେ ସୂଚନା ପ୍ରଦାନ କରାଯାଇଛି ।
- କେମିତି ଥିଲା ପୂରା ଘଟଣାକ୍ରମ
ଅପରାହ୍ନ ପ୍ରାୟ ଅଢେଇଟା ବେଳେ ୩ଟି ବାଇକରେ ୫ ଜଣ ଦୁର୍ବୃତ୍ତ ପଣ୍ଡା ସୁନା ଦୋକାନ ସାମ୍ନାରେ ପହଞ୍ଚିଥିଲେ । ଗ୍ରାହକ ଭାବେ ଦୋକାନରେ ପ୍ରବେଶ କରି ବନ୍ଧୁକ ମୁନରେ ସୁନା ଡକାୟତି କରିବା ପରେ ଦୁଇଟି ବାଇକ ଯୋଗେ ଖସି ପଳାଇବାକୁ ଚେଷ୍ଟା କରିଥିଲେ । ଦୋକାନ କର୍ମଚାରୀ ଓ ସ୍ଥାନୀୟ ଲୋକ ଦୁର୍ବୃତ୍ତଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଦୁର୍ବୃତ୍ତମାନେ ଗୁଳି ଚଳାଇଥିଲେ । ଡ଼କାୟତଙ୍କ ଗୁଳିରେ ସମ୍ପୃକ୍ତ ଅଳଙ୍କାର ଦୋକାନର ଜଣେ କର୍ମଚାରୀ ସହ ଦୁଇ ଜଣଙ୍କର ପ୍ରାଣ ଚାଲିଯାଇଥିଲା । ମୃତ କର୍ମଚାରୀ ଜଣକ ହେଲେ ସୁନିଲ ରାୟ ଓ ଅନ୍ୟ ଜଣେ ମୃତକ ହେଲେ ସୋତି ଗ୍ରାମର ନୀଳମାଧବ ପଣ୍ଡା, ଯିଏକି ସ୍ଥାନୀୟ ବିଦ୍ୟୁତ୍ ବିଭାଗର ଜଣେ କର୍ମଚାରୀ । ଦୁର୍ବୃତ୍ତଙ୍କ ଗୋଟିଏ ବାଇକ୍ ଉପରେ ଅଳଙ୍କାର ଦୋକାନୀଙ୍କ ଗାଡି ଡ୍ରାଇଭର ତାଙ୍କ କାର ଚଢାଇ ସେମାନଙ୍କୁ ରୋକିବାକୁ ପ୍ରୟାସ କରିଥିଲେ ।
ଯାଜପୁର ପାଣିକୋଇଲି ଗୁଳିକାଣ୍ଡ ଘଟଣାରେ
— CMO Odisha (@CMO_Odisha) January 5, 2025
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ନିମନ୍ତେ ₹୨ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ଏଥିସହ ଘଟଣାରେ ଆହତ ବ୍ୟକ୍ତିଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
- ସୃଷ୍ଟି ହୋଇଥିଲା ଆଇନ ଶୃଙ୍ଖଳା ସ୍ଥିତି
ସ୍ଥାନୀୟ ଲୋକଙ୍କ ଦ୍ବାରା ପ୍ରଥମେ ଜଣେ ଦୁର୍ବୃତ୍ତ ଓ ପରେ ଦୋକାନ ମଧ୍ୟରେ ଲୁଚିଥିବା ଅନ୍ୟ ଜଣେ ଦୁର୍ବୃତ୍ତକୁ ପୋଲିସ ହେପାଜତକୁ ନେଇଥିଲା । ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଗୋଟିଏ ଦୁର୍ବୃତ୍ତ ଦୋକାନ ମଧ୍ୟରେ ଲୁଚିଥିବା ବେଳେ ବାହାରେ ହଜାର ହଜାର ଲୋକେ ରୁଣ୍ଡ ହେବାରୁ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଥିଲା । କେନ୍ଦ୍ରାଞ୍ଚଳ ଡିଆଇଜି ଚରଣ ସିଂ ମୀନା ଏବଂ ଯାଜପୁର ଏସପି ୟଶ ପ୍ରତାପ ଶ୍ରୀମଲଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଘଟଣାର ତଦନ୍ତ ଜାରି ରହିଛି । ଏଥିପାଇଁ ସାଇଣ୍ଟିଫିକ ଟିମ୍, ପୋଲିସ କୁକୁରର ସହାୟତା ନିଆଯାଇଛି ।
- ସିସିଟିଭି ଫୁଟେଜରୁ ଫେରାର ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ
ପୋଲିସ ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ ସଂଗ୍ରହ କରି ଘଟଣାର ତଦନ୍ତ ଜାରି ରଖିଛି । ପୋଲିସ ଦୋକାନୀଙ୍କ ଏତଲାକୁ ଆଧାର କରି ଅଳଙ୍କାର ଦୋକାନର ବାହାର ଏବଂ ଭିତର ପଟର ଯାଞ୍ଚ ଚଳାଇଛି । ପୋଲିସର ପ୍ରାଥମିକ ତଦନ୍ତରୁ ଲୁଟ୍ ଗୁଳିକାଣ୍ଡ ଘଟାଇଥିବା ଡକାୟତ ମାନେ ଝାଡ଼ଖଣ୍ଡ ରାଜ୍ୟ ଚାପ୍ରା ଜିଲ୍ଲାର ବୋଲି ଜଣାପଡିଛି । ଫେରାର ହୋଇଥିବା ଡକାୟତମାନଙ୍କୁ ଠାବ କରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ଦିଗରୁ ଅନୁସନ୍ଧାନ ଜାରି ରହିଛି ।
ଏହା ମଧ୍ୟ ପଢନ୍ତୁ:- ଲୁଟେରାଙ୍କ ଗୁଳିରେ 2 ମୃତ, ସଟର ଭିତରେ ଲୁଚିଥିଲା ଦୁର୍ବୃତ୍ତ ନାବାଳିକାକୁ ହତ୍ୟା ପରେ କାଟିବା ଘଟଣା, ଅପରାଧ ପୂର୍ବରୁ କ୍ରାଇମ ସୋ' ଦେଖିଥିଲା ଅଭିଯୁକ୍ତ ! |
- ପରିବାରକୁ ହସ୍ତାନ୍ତର ହେଲା ଦୁଇ ଯୁବକଙ୍କ ମୃତଦେହ
ସେପଟେ ଆଜି ଦୁଇ ମୃତ ଯୁବକ ନୀଳମାଧବ ପଣ୍ଡା ଓ ସୁନୀଲ ରାୟଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ସେମାନଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି l ନୀଳମାଧବଙ୍କ ମୃତଦେହ ଘରେ ପହଞ୍ଚିବା ପରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହେଇଥିଲା l ତେବେ ନୀଳମାଧବଙ୍କ ପରିବାର ଏକ ଗରିବ ଶ୍ରେଣୀରେ ହେଇଥିବା ଏକମାତ୍ର ରୋଜଗାରକ୍ଷମ ପୁଅକୁ ହରାଇ ଅସହାୟ ହୋଇପଡିଛି ପରିବାର । ଏପରି ସ୍ଥିତିରେ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ଜେଜେମା । ତେବେ ସ୍ଥାନୀୟ ବିଧାୟକ ଆକାଶ ଦାସନାୟକ ମୃତ ନୀଳମାଧବଙ୍କ ଘରେ ପହଞ୍ଚି ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି । ଏହାସହ ଆକାଶ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି l
ଏହା ମଧ୍ୟ ପଢନ୍ତୁ:-
ଭୟଙ୍କର ବାଣ ବିସ୍ଫୋରଣରେ ଉଡିଲା ଛାତ ଭାଙ୍ଗିଲା ଘର, 2 ମୃତ
ଇଟିଭି ଭାରତ, ଯାଜପୁର