ଭୁବନେଶ୍ୱର: ୯ ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର । ଆଜି (ଶୁକ୍ରବାର) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୯ ଟି ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ମହିଳା ଏବଂ ଶିଶୁ ବିକାଶ, ଯୋଗାଣ ଓ ଶକ୍ତି ବିଭାଗ ସମ୍ପର୍କିତ ଯୋଜନା ସମ୍ପର୍କରେ ବଡ଼ ଘୋଷଣା ହୋଇଛି ।
ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା କହିଛନ୍ତି, "କ୍ୟାବିନେଟ ବୈଠକରେ ୯ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇ ଅନୁମୋଦନ କରାଯାଇଛି । ଗୋଟିଏ ପ୍ରସ୍ତାବ ସପ୍ତଦଶ ବିଧାନସଭାର ୨ୟ ଅଧିବେଶନର ସତ୍ରାବସାନ ସଂପର୍କିତ ଥିଲା । ସେହିପରି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ, ଯୋଜନା ଏବଂ ସଂଯୋଜନା, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, କୃଷି ଓ କୃଷକ ସଶକ୍ତିକରଣ, ମହିଳା ଏବଂ ଶିଶୁ ବିକାଶ, ଶକ୍ତି ବିଭାଗର ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି ।"
ସୁଭଦ୍ରା ଯୋଜନା ନେଇ ବଡ ଘୋଷଣା :-
ଗତବର୍ଷ ୨୨ ଅଗଷ୍ଟରେ ରାଜ୍ୟ କ୍ୟାବିନେଟ ସୁଭଦ୍ରା ଯୋଜନାକୁ ଅନୁମୋଦନ କରିଥିଲେ । ମହିଳାଙ୍କୁ ଆର୍ଥିକ ଭାବେ ସଶକ୍ତ ଓ ସେମାନଙ୍କ ପରିବାରକୁ ଆର୍ଥିକ ସୁରକ୍ଷା ଦେବା ପାଇଁ ଯୋଜନାରେ ୫ ବର୍ଷ ପାଇଁ ବଜେଟରେ ୫୫ ହଜାର ୮୨୫ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ବର୍ତ୍ତମାନ ସୁଦ୍ଧା ସୁଭଦ୍ରାରେ ୧ କୋଟି ୬ ଲକ୍ଷରୁ ଅଧିକ ଆବେଦନ ପଞ୍ଜୀକୃତ ହୋଇଛି । ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ୮୦,୨୯,୭୪୧ ଜଣଙ୍କୁ ପ୍ରଥମ କିସ୍ତିର ୫୦୦୦ ଟଙ୍କା ବିତରଣ କରାଯାଇଛି । ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ନଥିବା ଅବଶିଷ୍ଟ ଆବେଦନଗୁଡ଼ିକ ବିଚାରାଧୀନ ରହିଛି । ସହାୟତା ବିତରଣ ନିମିତ କ୍ଷେତ୍ରୀୟ ସ୍ତରରେ କ୍ଷେତ୍ର ଅନୁସନ୍ଧାନ ଟିମ୍ ଦ୍ବାରା ଗାଇଡଲାଇନ୍ ଅନୁଯାୟୀ ସେମାନଙ୍କର ଯୋଗ୍ୟତା ନିର୍ଦ୍ଧାରଣ କରିବା ପାଇଁ ଯାଞ୍ଚ କରାଯାଉଛି ।
୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବିନା କୌଣସି ଶେଷ ତାରିଖ ଥାଇ ସୁଭଦ୍ରା ଅଧୀନରେ ଆବେଦନ ଗ୍ରହଣ କରାଯାଉଛି । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସୁଭଦ୍ରାରେ ପଞ୍ଜୀକରଣର ଶେଷ ତାରିଖ ମାର୍ଚ୍ଚ ୩୧ ତାରିଖ ଧାର୍ଯ୍ୟ ହୋଇଛି । ମାର୍ଚ୍ଚ ୩୧ ଭିତରେ ଆବେଦନ କଲେ ହିତାଧିକାରୀଙ୍କୁ ଚଳିତ ଆର୍ଥିକ ବର୍ଷରେ ୨ କିସ୍ତି ଟଙ୍କା ଅର୍ଥାତ୍ ୧୦ ହଜାର ଟଙ୍କା ମିଳିବ ।
ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୫ ବର୍ଷ ପାଇଁ ୮୭୪.୧୪ କୋଟି :-
କୃଷି ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ ଏବଂ ନିଯୁକ୍ତି ସୃଷ୍ଟି କରିବା ପାଇଁ ଜୁନ ୨୦୧୮ରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ପ୍ରଣୟନ ହୋଇଛି । ଯାହାକି ଡ଼ିସେମ୍ବର ୨୦୨୦ ଓ ଜାନୁଆରୀ ୨୦୨୪ରେ ପୁନଃ ସଂଶୋଧନ ହୋଇଛି । ରାଜ୍ୟରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବ୍ୟବସାୟିକ କୃଷି ଉଦ୍ୟୋଗ ପ୍ରତିଷ୍ଠାକୁ ପ୍ରୋତ୍ସାହିତ କରିବା ଏବଂ ରୋଜଗାର ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏହାର ଲକ୍ଷ୍ୟ ଅଟେ ।
ଏହି ଯୋଜନାକୁ ସଠିକ ଭାବେ ଉପଯୋଗ କରିବା ତଥା ରାଜ୍ୟରେ ପ୍ରଚୁର ସୁଯୋଗ ଯୋଗାଇ ଦେଇ କୃଷକମାନଙ୍କର ରୋଜଗାର ବୃଦ୍ଧି କରିବା ପାଇଁ ରାଜ୍ୟ କ୍ୟାବିନେଟ ୨୦୨୧-୨୨ ଆର୍ଥିକ ବର୍ଷ ଠାରୁ ୨୦୨୫-୨୬ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ପାଇଁ ୮୭୪.୧୪ କୋଟି ଟଙ୍କାର ଖର୍ଚ୍ଚ ଅଟକଳକୁ ଅନୁମୋଦନ କରିଛନ୍ତି । ଯାହା କୃଷି ଉଦ୍ୟୋଗୀମାନଙ୍କୁ ସବସିଡ଼ି ପ୍ରଦାନରେ ସହାୟକ ହେବ । ଏହା ଦ୍ବାରା କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଅନେକ ସମ୍ଭାବନା ସୃଷ୍ଟି ହେବ । ଫଳସ୍ବରୂପ କୃଷି କ୍ଷେତ୍ରରେ ଦ୍ରୁତ ଆଧୁନିକୀକରଣ ହୋଇପାରିବ ।
ଧାନ କିଣା ପାଇଁ ୧୭ ହଜାର ୫୦୦ କୋଟି ଋଣ ଗ୍ୟାରେଣ୍ଟି :-
ଓଡିଶା ରାଜ୍ୟ ଯୋଗାଣ ନିଗମ ଚାଷୀଙ୍କଠାରୁ ଧାନ କ୍ରୟ କରି ୨୪ରୁ ୪୮ ଘଣ୍ଟା ମଧ୍ୟରେ ସର୍ବନିମ୍ନ ସହାୟକ ମୂଲ୍ୟ ବା MSP ନିଜସ୍ବ ସମ୍ବଳରୁ ପ୍ରଦାନ କରିଥାଏ । ଏହା ବ୍ୟତୀତ ସଂଗୃହିତ ଧାନରୁ କଷ୍ଟମ ମିଲଡ ଚାଉଳ ବା CMR ପାଇବା ପାଇଁ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟୟ ମଧ୍ୟ ଓଡିଶା ରାଜ୍ୟ ଯୋଗାଣ ନିଗମ ବହନ କରେ । ଏହି ସମସ୍ତ ଖର୍ଚ୍ଚ ଯୋଗାଣ ନିଗମ ବ୍ୟାଙ୍କ ଋଣ ନେଇ କାର୍ଯ୍ୟକାରୀ କରେ । କେନ୍ଦ୍ର ସରକାରଙ୍କଠାରୁ ସବସିଡି ପାଇବା ପରେ ଋଣ ପରିଶୋଧ କରେ ।
ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଲିମିଟେଡ ଦ୍ବାରା କାର୍ଯ୍ୟକାରୀ ହେଉଥିବା ଜନସ୍ବାର୍ଥ ସମ୍ବଳିତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି କ୍ୟାବିନେଟ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଲିମିଟେଡର ନୂତନ ବ୍ୟାଙ୍କ ଋଣ ପାଇଁ ସରକାରୀ ଗ୍ୟାରେଣ୍ଟି ଲାଗୁ କରିବା ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଏହା ଦ୍ବାରା ରାଜ୍ୟରେ ଧାନ ସଂଗ୍ରହଣ ଓ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ସୁଚାରୁରୂପେ ସମ୍ପାଦନ କରିପାରିବ ।
ଓଡିଶା ରାଜ୍ୟ ଯୋଗାଣ ନିଗମ ଦ୍ବାରା ଆଗାମୀ ୫ ବର୍ଷ ପାଇଁ ନିଆଯିବାକୁ ଥିବା ନୂତନ ଋଣ ପାଇଁ ୧୭ ହଜାର ୫୦୦ କୋଟି ଟଙ୍କାର ସରକାରୀ ଗ୍ୟାରେଣ୍ଟି ପ୍ରଦାନ କରାଯିବ । ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରଖିବା, ସାଧାରଣ ବଣ୍ଟନ ବ୍ୟବସ୍ଥାର ସୁଦୃଢୀକରଣ ଓ ଅନ୍ୟାନ୍ୟ ପରିଚାଳନା ଖର୍ଚ୍ଚ ବହନ କରିବା ପାଇଁ ଓଡିଶା ରାଜ୍ୟ ଯୋଗାଣ ନିଗମ ଆବଶ୍ୟକ କରୁଥିବା ବ୍ୟାଙ୍କ ଋଣ, ସ୍ବଳ୍ପ ସୁଧ ହାର ଓ ସହଜରେ ହାସଲ କରିପାରିବ । ଯେହେତୁ ଓଡିଶା ରାଜ୍ୟ ଯୋଗାଣ ନିଗମ ଲିମିଟେଡ ଏକ ବିନା ଲାଭ-କ୍ଷତି ସଂସ୍ଥା, ଚାଷୀ ଓ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି OGFR, 2023ର ଧାରା-342 ଅନୁସାରେ ଗ୍ୟାରେଣ୍ଟି କମିଶନ ଦେୟ 437.5 କୋଟି ଛାଡ କରାଯିବା ପାଇଁ ନିଷ୍ପତ୍ତି ହୋଇଛି ।
ସୌର ପ୍ରକଳ୍ପ ପାଇଁ ୫ ବର୍ଷରେ ଖର୍ଚ୍ଚ ହେବ ୧୮୦୦ କୋଟି :-
ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାକୁ ଲୋକପ୍ରିୟ ଓ ଗ୍ରାହକଙ୍କ ଆର୍ଥିକ ଅଂଶଦାନକୁ କମାଇବା ପାଇଁ ରାଜ୍ୟ ସରକାର ଘର ପିଛା ସର୍ବାଧିକ ୩ କିଲୋୱାଟ କ୍ଷମତା ସମ୍ପନ୍ନ ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନ କରିବା ପାଇଁ କିଲୋୱାଟ ପିଛା ୨୫ ହଜାର ଟଙ୍କା ହିସାବରେ ଦୁଇ କିଲୋୱାଟ ପର୍ଯ୍ୟନ୍ତ ଏବଂ ତୃତୀୟ କିଲୋୱାଟ୍ ପାଇଁ ଆଉ ୧୦ ହଜାର ଟଙ୍କାର ଅତିରିକ୍ତ ସବସିଡି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
ଗ୍ରୁପ ହାଉସିଂ ସୋସାଇଟି ଏବଂ ରେସିଡେନ୍ସିଆଲ ୱେଲଫେୟାର ଆସୋସିଏସନରେ EV ଚାର୍ଜିଂ ତଥା ବିଦ୍ଯୁତର ସର୍ବ-ସାଧାରଣ ବ୍ୟବହାର ପାଇଁ ସର୍ବାଧିକ ୫୦୦ କିଲୋୱାଟ ପର୍ଯ୍ୟନ୍ତ ରୁଫ-ଟପ ସୌର ପ୍ରକଳ୍ପ ସ୍ଥାପନ କରିବା ପାଇଁ କିଲୋୱାଟ ପିଛା ୧୮ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏହି ଯୋଜନାକୁ ଫଳପ୍ରଦ କରାଇବା ପାଇଁ ରାଜ୍ୟ ବଜେଟରୁ ଆର୍ଥିକ ବର୍ଷ ୨୦୨୪ -୨୫ ରୁ ୨୦୨୬-୨୭ ମଧ୍ୟରେ ୧୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ରାଜ୍ୟର ପ୍ରାୟ ୩ ଲକ୍ଷ ଘରୋଇ ବିଜୁଳି ଉପଭୋକ୍ତା ଲାଭାନ୍ବିତ ହେବେ ।
ଚଳିତ ମାସରୁ ୮୦ ବର୍ଷ ଉର୍ଦ୍ଧ୍ବ ଏବଂ ୮୦ % ଭିନ୍ନକ୍ଷମଙ୍କୁ ୩୫୦୦ ଟଙ୍କା :-
ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧିନରେ ୮୦ ବର୍ଷ କିମ୍ବା ତଦୁର୍ଦ୍ଧ ବୟସ୍କ ଭତ୍ତା ହିତାଧିକାରୀ ଏବଂ ଶତକଡା ୮୦ କିମ୍ବା ତଦୁର୍ଦ୍ଧ ଭିନ୍ନକ୍ଷମ ହିତାଧିକାରୀଙ୍କ ଭତ୍ତା ରାଶିକୁ ୩୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାକୁ ଜାନୁଆରୀ ୨୦୨୫ ମାସରୁ ଲାଗୁ କରାଯିବ । ଉଭୟ ଯୋଜନାରେ ଆଗରୁ ମିଳୁଥିଲା ୧୨୦୦ ଟଙ୍କା ।
ଇଟିଭି ଭାରତ, ଭୁବନେଶ୍ୱର