ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ କାର୍ଯ୍ୟକାଳ ଆରମ୍ଭରେ ଭାରତର ପଡୋଶୀ ନୀତି ପ୍ରତିଫଳିତ ହୋଇଥିଲା । ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ହୋଇଥିଲେ ଦକ୍ଷିଣ-ଏସିଆର ରାଷ୍ଟ୍ରମୁଖ୍ୟମାନେ । ଦକ୍ଷିଣ ଏସୀୟ-ଦେଶର ନେତାମାନଙ୍କୁ ଆମନ୍ତ୍ରଣ କରି ମୋଦି ସରକାର ଏହା ସୂଚାଇ ଦେଇଛନ୍ତି ଯେ ତାଙ୍କର ସକ୍ରିୟ ବୈଦେଶିକ ନୀତିରେ ନିରନ୍ତରତା ଏହି ପାଳିରେ ମଧ୍ୟ ପୂର୍ବ ପରି ଜାରି ରହିବ ।
ଶପଥ ଗ୍ରହଣର କିଛି ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ପ୍ରଥମ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରି ଫେରିଛନ୍ତି, ଏହା ଥିଲା ଇଟାଲୀରେ ଆୟୋଜିତ ଜି-7 ଶିଖର ସମ୍ମିଳନୀ । ବିକଶିତ ପାଶ୍ଚାତ୍ୟ ଦେଶମାନଙ୍କ ସହ ଭାରତର କୂଟନୈତିକ ଅଂଶଗ୍ରହଣ ଏହି ସମ୍ମିଳନୀର ଏକ ବଡ ଦିଗ ଥିଲା । ଭାରତର ପ୍ରାଧ୍ୟାନ୍ୟତା ବୃଦ୍ଧିକୁ ଏକ ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ଶକ୍ତି ଭାବରେ ଦୋହରାଇବା ଏବଂ ଗ୍ଲୋବାଲ ସାଉଥ (ଦକ୍ଷିଣ ବିଶ୍ବ) ଚିନ୍ତାଧାରାକୁ ସ୍ପଷ୍ଟ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଂଶଗ୍ରହଣ ଏହି ସମ୍ମିଳନୀର ଏକ ଗୁରୁତ୍ବପୂର୍ଣ୍ଣ ଦିଗ ଥିଲା ।
ଚଳିତବର୍ଷ ଇଟାଲୀ ଅଧ୍ୟକ୍ଷତାରେ ଆୟୋଜିତ ଜି-7 ଶିଖର ସମ୍ମିଳନୀ 50ତମ ସଂସ୍କରଣରେ ପହଞ୍ଚିଛି । ଶୀତଳ ଯୁଦ୍ଧ ସମରେ ଏହି ଜି-7 ପ୍ରଥମେ ଗଠନ ହୋଇଥିଲା । ସେହି ସମୟର ପ୍ରମୁଖ ଉଦାରବାଦୀ ଗାଣତାନ୍ତ୍ରିକ ଅର୍ଥନୈତିକ ରାଷ୍ଟ୍ରମାନେ ଏହି ଶିଖର ସମ୍ମିଳନୀର ସଦସ୍ୟ ଭାବେ ରହିଥିଲେ । ଆଜି ମଧ୍ୟ ଜି-7ରେ ସେହି ସମାନ ଦେଶମାନେ ସେମାନଙ୍କର ସଦସ୍ୟତା ବଜାୟ ରଖିଛନ୍ତି । ଆମେରିକା, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ ଏବଂ ବ୍ରିଟେନ ଏହି ସମ୍ମିଳନୀର ସଦସ୍ୟ ଭାବରେ ରହିଛନ୍ତି ।
ଭାରତ ବିଶ୍ବର ଶ୍ରେଷ୍ଠ ପାଞ୍ଚ ଅର୍ଥନୀତି ମଧ୍ୟରୁ ଗୋଟିଏ ହୋଇଥିବା ବେଳେ ଏହା ଜି-7ର ସଦସ୍ୟ ରାଷ୍ଟ୍ର ନୁହେଁ । ଏହାର ପ୍ରମୁଖ କାରଣ ହେଉଛି, ଭାରତ ଏପର୍ଯ୍ୟନ୍ତ ଏକ ବିକାଶଶୀଳ ଦେଶ ଭାବେ ପରିଗଣିତ ହେଉଛି । ବିକଶିତ ଦେଶ ଭାବେ ମାନ୍ୟତା ପାଇନାହିଁ । ନିକଟ ଅତୀତରେ, ଭାରତର ଅର୍ଥନୀତିରେ ଚମତ୍କାର ଅଭିବୃଦ୍ଧି ମଧ୍ୟ ହୋଇଛି । ଅର୍ଥବ୍ୟବସ୍ଥାକୁ ବାଦ ଦେଲେ ଭାରତ ହେଉଛି ବିଶ୍ବର ସର୍ବବୃହତ ଗଣତନ୍ତ୍ର । ଏପର୍ଯ୍ୟନ୍ତ ଭାରତ 11ଟି ଜି7 ସମ୍ମିଳନୀରେ ଅଂଶଗ୍ରହଣ କରିସାରିଛି । ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ରରେ କ୍ଷମତାସୀନ ହେବା ପରେ କ୍ରମାଗତ ପାଞ୍ଚଟି ବୈଠକରେ ଭାରତକୁ ପ୍ରତିନିଧିତ୍ବ କରିଛନ୍ତି । ଏହି ଅଂଶଗ୍ରହଣ ଫଳରେ ଭାରତର ଅନେକ ଜି-7 ଦେଶମାନଙ୍କ ସହ ଅର୍ଥନୈତିକ ଏବଂ ବାଣିଜ୍ୟିକ ସମ୍ପର୍କ ବୃଦ୍ଧି ପାଉଛି । ତେଣୁ ଅନ୍ତର୍ଜାତୀୟ ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ପ୍ଲାଟଫର୍ମରେ ନୂଆଦିଲ୍ଲୀ ଏହି ଦେଶଗୁଡିକ ସହିତ ଯୋଗାଯୋଗ କରିବା ବର୍ତ୍ତମାନ ସମୟରେ ଅତ୍ୟନ୍ତ ଜରୁରୀ ହୋଇପଡିଛି ।
ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ସହ ମୋଦିଙ୍କ ଆଲୋଚନା:-
ଜି-7 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକାର ରାଷ୍ଟ୍ରପତି ଜୋ.ବାଇଡେନ, ଜର୍ମାନ ଚାନ୍ସେଲର ଓଲାଫ ସ୍କୋଲଜ, ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ଭଳି ଅନେକ ରାଷ୍ଟ୍ରମୁଖ୍ୟଙ୍କ ବ୍ୟକ୍ତିଗତ ଆଲୋଚନା ମଧ୍ୟ କରିଛନ୍ତି । ଏହା ଏକ ସଫଳ ବୈଦେଶିକ ସମ୍ପର୍କ ମଧ୍ୟ । ଭାରତ ଏବଂ ଚଳିତଥରର ଆୟୋଜକ ଇଟାଲୀ ମଧ୍ୟରେ ସ୍ୱଚ୍ଛ ଓ ନବୀକରଣଯୋଗ୍ୟ ଶକ୍ତି, ଉତ୍ପାଦନ, ମହାକାଶ ଏବଂ ଟେଲିକମ କ୍ଷେତ୍ରରେ ଆଲୋଚନା ହୋଇଛି । ସେହିପରି ଜାପାନ ପ୍ରତିପକ୍ଷ ଫ୍ୟୁମିଓ କିଶିଦାଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କର ଆଲୋଚନା ହୋଇଛି । ଜାପାନ-ଭାରତ ମଧ୍ୟରେ ବହୁଚର୍ଚ୍ଚିତ ଯୋଗାଯୋଗ ପ୍ରକଳ୍ପ ମୁମ୍ବାଇ-ଅହମ୍ମଦାବାଦ ହାଇସ୍ପିଡ ରେଳ ପ୍ରକଳ୍ପ (ବୁଲେଟ ଟ୍ରେନ) ଉପରେ ମଧ୍ୟ ଆଲୋଚନା କରିଥିଲେ ଉଭୟ ରାଷ୍ଟ୍ରମୁଖ୍ୟ ।