ନୂଆଦିଲ୍ଲୀ: ସ୍ବାଧୀନତାର ୭୮ତମ ବର୍ଷ ପାଳନ କରିଛି ଭାରତ, ଏହି ୮ ଦଶନ୍ଧି ମଧ୍ୟରେ ଔପନିବେଶିକ ଶାସନ ଅଧୀନରେ ଥିବା ଏକ ଗରୀବ ଦେଶରୁ ଇର୍ଷଣୀୟ ସଫଳତା ହାସଲ ସହିତ 'ବିକାଶତ ଭାରତ' ପଥରେ ଅଗ୍ରସର ହେଉଛି । ଆଜି ବିଶ୍ବ ରାଜନୀତିରେ ଭାରତକୁ ଏକ ବଡ଼ ଖିଲାଡି ଏବଂ ଆର୍ଥିକ ମହାଶକ୍ତି ଭାବରେ ଦେଖାଯାଉଛି । ଭାରତ ସେହି ଦେଶମାନଙ୍କ ମଧ୍ୟରୁ ଅନ୍ୟତମ, ଯେଉଁମାନେ ଦ୍ବିତୀୟ ବିଶ୍ବଯୁଦ୍ଧ ପରବର୍ତ୍ତୀ ସମୟରେ ସାମ୍ରାଜ୍ୟବାଦର ଜଞ୍ଜିର ଭାଙ୍ଗି ସ୍ବାଧୀନ ହୋଇଥିଲେ ।
୧୯୪୭ ମସିହାରେ ପାକିସ୍ତାନ ସହିତ ଭାରତକୁ ସ୍ବାଧୀନତା ମିଳିଥିଲା । ୧୯୪୮ରେ ଶ୍ରୀଲଙ୍କା ଏବଂ ମିଆଁମାର ବ୍ରିଟିଶ ଶାସନରୁ ମୁକ୍ତ ହୋଇଥିଲେ । ଅପରପକ୍ଷେ, ୧୯୪୯ ମସିହାରେ ଚୀନ ଏକ ସ୍ବତନ୍ତ୍ର ରାଷ୍ଟ୍ର ହୋଇଥିଲା । ଅନେକ ଏପରି ଏସୀୟ ରାଷ୍ଟ୍ର ମଧ୍ୟ ଥିଲେ ଯେଉଁମାନେ ବିଳମ୍ବରେ ସ୍ବାଧୀନତା ପାଇଥିଲେ । ୧୯୬୫ରେ ମାଳଦ୍ବୀପ ଏବଂ ୧୯୭୧ରେ ପଡୋଶୀ ବାଂଲାଦେଶ ସ୍ବାଧୀନ ହୋଇଥିଲା । ତେବେ, ଜାପାନ କେବେବି ଏହି ଉପନିବେଶବାଦ ଶାସନର ବଶବର୍ତ୍ତୀ ନଥିଲା ତେଣୁ ଏଠାରେ ସ୍ବାଧୀନତା ଦିବସ ପାଳନ ହୁଏ ନାହିଁ ।
ୟୁରୋପ, ଆଫ୍ରିକା ଓ ମଧ୍ୟପ୍ରାଚ୍ୟର ମଧ୍ୟ ଅନେକ ଦେଶ ଭାରତ ସହିତ ନଚେତ୍ ଭାରତ ପରେ ସ୍ବାଧୀନତା ପାଇଥିଲେ । ଏହିସବୁ ଦେଶ ଏବଂ ଏସୀୟ ଦେଶଗୁଡିକ ମଧ୍ୟରେ ସାମାଜିକ, ଆର୍ଥିକ, ଧାର୍ମିକ ଓ ସାଂସ୍କୃତିକ କ୍ଷେତ୍ରରେ ଅନେକାଂଶରେ ସମାନତା ଦେଖାଯାଏ । ଏମିତିରେ ଭାରତ ସହିତ ନିଜର ସ୍ବାଧୀନ ଯାତ୍ରା ଆରମ୍ଭ କରିଥିବା ଏହି ଦେଶଗୁଡିକ ତୁଳନାରେ ଆମର ସ୍ଥିତି କ'ଣ ? ଏଥିପାଇଁ ଆମକୁ ଭାରତର ଅବିଶ୍ବସନୀୟ ବିକାଶର କାହାଣୀ ବୁଝିବାର ଆବଶ୍ୟକତା ଅଛି ।
ଭାରତର ବିକାଶ କାହାଣୀ:
ପ୍ରାୟତଃ ଦୁଇ ଶତାବ୍ଦୀ ଧରି ଭାରତ ଔପନିବେଶବାଦ ଶାସନର ଅଧୀନ ଥିଲା । ୧୯୪୭ ମସିହା ସ୍ବାଧୀନତା ପର୍ଯ୍ୟନ୍ତ ଏକ ଗରୀବ ଦେଶର ପରିଚୟ ମୁଣ୍ଡାଇଥିଲା । ପ୍ରସିଦ୍ଧ କ୍ୟାମ୍ବିଜ ଐତିହାସିକ ଅଙ୍ଗସ ମାଡିସନଙ୍କ ପ୍ରକାଶିତ ତଥ୍ୟ ଅନୁଯାୟୀ, ୧୭୦୦ ମସିହାରେ ବିଶ୍ବର ମୋଟ ଆୟରେ ଭାରତ ଯୋଗଦାନ ୨୨.୬% ଏବଂ ୟୁରୋପରେ ୨୩.୩% ଥିଲା । କିନ୍ତୁ ୧୯୫୨ ବେଳକୁ ଏହି ହାର ରହିଥିଲା ମାତ୍ର ୩.୮% । ଏଥିରୁ ଜଣାପଡେ, ବ୍ରିଟିଶ ଶାସନ କାଳରେ ଭାରତକୁ କେମିତି ଶୋଷଣର ଶିକାର ହେବାକୁ ପଡିଥିଲା । ଆଜି ଆଜାଦିର ୭୮ ବର୍ଷ ପରେ ଭାରତ ୩.୭ ଟ୍ରିଲିୟନ ଡଲାର ଜିଡିପି ସହିତ ବିଶ୍ବର ୫ମ ବୃହତ୍ ଅର୍ଥବ୍ୟବସ୍ଥା ଭାବେ ଉଭା ହୋଇଛି ।
ଏକ ଉଦାରବାଦୀ ଗରୀବ ରାଷ୍ଟ୍ରରୁ ଦ୍ରୁତ ବିକାଶଶୀଳ ତଥା ଶକ୍ତିଶାଳୀ ରାଷ୍ଟ୍ରର ଏହି ଯାତ୍ରା ଭାରତ ପାଇଁ ଆଦୌ ସହଜସାଧ୍ୟ ନଥିଲା । ସ୍ବାଧୀନତାର ପ୍ରାରମ୍ଭିକ ସମୟରେ ମଧ୍ୟ ଭାରତର ଅର୍ଥନୈତିକ ବିକାଶ ଅତି ଶିଥିଳ ରହିଥିଲା, କିନ୍ତୁ ରାଜ୍ୟମାନେ ଆର୍ଥିକ ବ୍ୟାପାରରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ସହିତ ଅର୍ଥନୀତିକୁ ଗତି ମିଳିଥିଲା । ଏହି ସମାଜବାଦୀ ମଡେଲ ଆରମ୍ଭରେ ଯଦିଓ ଫଳାଫଳ ଦେଇଥିଲା, କିନ୍ତୁ ଲାଇସେନ୍ସ ଓ ପରମିଟ୍ ଦ୍ବାରା ଚାଳିତ ଏକ ରିଗ୍ରେସିଭ ଇକୋନୋମିକ ରିଜାଇମରେ ରୂପାନ୍ତରିତ ହୋଇଥିଲା । ଏହା ଶିଳ୍ପାୟନ ଓ ଘରୋଇ ଉଦ୍ୟୋଗୀକରଣକୁ ଅଟକାଇ ଦେଶର ଅର୍ଥନୀତିକୁ ପଛକୁ ଠେଲି ଦେଇଥିଲା ।
ପରବର୍ତ୍ତୀ ସମୟରେ ଭାରତ ନିଜର ତ୍ରୁଟି ସୁଧାରି ଆର୍ଥିକ ନୀତିରେ ବ୍ୟାପକ ସଂସ୍କାର ଆଣିଥିଲା ଏବଂ ୧୯୯୧ରେ ଉଦାରୀକରଣ, ଜଗତୀକରଣ ଓ ଘରୋଇକରଣକୁ ଗ୍ରହଣ କଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାରତ ୪ ଥର (ପାକିସ୍ତାନ ସହ ତିନୋଟି ଏବଂ ଚୀନ ସହିତ ଗୋଟିଏ) ଯୁଦ୍ଧ ଲଢିଥିଲେ ହେଁ ଉଲ୍ଲେଖନୀୟ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିବାରେ ସଫଳ ହୋଇଛି ଏବଂ ସମ୍ପ୍ରତି ୧.୪୫ ମିଲିୟନ ସୈନ୍ୟବାହିନୀ ସହିତ ବିଶ୍ବର ଦ୍ବିତୀୟ ସର୍ବବୃହତ ସେନା ରହିଛି । ୩.୭ ଟ୍ରିଲିୟନ ଜିଡିପି ଏବଂ ୨ ମିଲିୟନ ସକ୍ରିୟ ସେନାବାହିନୀର ଏଭଳି ଇର୍ଷଣୀୟ ଉପଲବ୍ଧି ଚୀନ ବ୍ୟତୀତ ଭାରତ ଭଳି ଅନ୍ୟ କୌଣସି ଏସୀୟ ଦେଶ ହାସଲ କରିପାରି ନାହିଁ । ଭାରତର ଏହି ସଫଳତା ସରକାରଙ୍କ ଉପଯୁକ୍ତ ବୈଦେଶିକ ଓ ମୁଦ୍ରାନୀତି ଏବଂ ଉପଯୁକ୍ତ ଦୃଷ୍ଟିକୋଣ ଯୋଗୁଁ ସମ୍ଭବ ହୋଇପାରିଛି ।