ନୂଆଦିଲ୍ଲୀ: ଟ୍ରାଭେଲ୍ ବୁକିଂ କମ୍ପାନୀ ଓୟୋ (OYO)ର ନୂଆ ପଲିସି । ଏଣିକି ଅବିବାହିତ ଯୋଡି ଓୟୋ ପାର୍ଟନର୍ସିପ ଥିବା ହୋଟେଲରେ କରିପାରିବେ ନାହିଁ ବୁକିଂ । ନୂଆବର୍ଷ କମ୍ପାନୀ ନୂଆ ଗାଇଡଲାଇନ ଆଣିଛି ।
ଅବିବାହିତ ଦମ୍ପତିଙ୍କୁ ବୁକିଂ ମନା:
ନୂଆ ବର୍ଷରେ ପୂର୍ବ ନିୟମରେ ଓୟୋ ପକ୍ଷରୁ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ନିଜର ଆଧାରକାର୍ଡ କିମ୍ବା ଅନ୍ୟ ପରିଚୟପତ୍ର ଦ୍ବାରା OYO ପାର୍ଟନରସିପ୍ ହୋଟେଲରେ ଅବିବାହିତ ଦମ୍ପତି ରହିପାରୁଥିଲେ । ହେଲେ ଏବେ ସେଥିରେ ପରିବର୍ତ୍ତନ କରାଯାଇଛି । ଏଣିକି ଯଦି କୌଣସି ଅବିବାହିତ ଯୋଡି ବା ପ୍ରେମୀଯୁଗଳ ଗୋଟିଏ ରୁମରେ ରହିବାକୁ ବୁକିଂ କରୁଛନ୍ତି ତେବେ ତାହା ଗ୍ରହଣ ହେବ ନାହିଁ । ହୋଟେଲ ପକ୍ଷରୁ ବୁକିଂ କ୍ୟାନସେଲ (Decline)ହୋଇଯିବ । ପ୍ରଥମ ପର୍ଯ୍ୟାୟରେ ଏହା କେବଳ ଉତ୍ତରପ୍ରଦେଶର ମୀରଟରେ ଲାଗୁ କରାଯାଇଛି । ଆଗକୁ ଏହି ନିୟମ ଆବଶ୍ୟକସ୍ଥଳେ ଅନ୍ୟ ସହର ପାଇଁ ବି ଲାଗୁ ହୋଇପାରେ ବୋଲି କମ୍ପାନୀ ପକ୍ଷରୁ କୁହାଯାଉଛି ।
କାହିଁକି ମୀରଟରେ ନିୟମ ପରିବର୍ତ୍ତନ କଲା OYO?
ସୂଚନା ଅନୁସାରେ, ମୀରଟର ସିଭିଲ ସୋସାଇଟି ପକ୍ଷରୁ ବହୁ ଅଭିଯୋଗ ଆସିଥିଲା । ଗ୍ରାଉଣ୍ଡରୁ ମିଳିଥିବା ଫିଡ୍ ବ୍ୟାକ ଆଧାରରେ କମ୍ପାନୀ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ସେହିପରି ଅନ୍ୟ ସହର ମାନଙ୍କରେ ମଧ୍ୟ ଏହି ନିୟମ ଆଗକୁ ଲାଗୁ ହେବାର ସମ୍ଭାବନା ରହିଛି ।
'ଗ୍ରାହକଙ୍କର ସୁରକ୍ଷା ପାଇଁ ବଦ୍ଧପରିକର'
ଓୟୋର ଉତ୍ତରାଞ୍ଚଳ ମୁଖ୍ୟ ( OYO North Region Head)କହିଛନ୍ତି, "ଓୟୋ ନିଜ ଗ୍ରାହକଙ୍କର ସୁରକ୍ଷା ପାଇଁ ବଦ୍ଧପରିକର । ସମସ୍ତଙ୍କ ବ୍ୟକ୍ତିଗତ ସ୍ବାଧୀନତାକୁ ଆମେ ସମ୍ମାନ କରୁ । ହେଲେ ସୋସାଇଟି ପ୍ରତି ମଧ୍ୟ ଆମର ଦାୟିତ୍ବ ରହିଛି । କିଛି ନିୟମ ମଧ୍ୟ ଆମକୁ ମାନିବାକୁ ହେବ । ଏହାକୁ ଦୃଷ୍ଟିରେ ରଖି ଆମେ ପଲିସିରେ ପରିବର୍ତ୍ତନ ଆଣିଛୁ । ଆମେ ଏହି ପଲିସିର ସମୀକ୍ଷା କରିବୁ । କିପରି ପ୍ରଭାବ ରହୁଛି ଜାଣିବା ପରେ ପରବର୍ତ୍ତୀ ପଦକ୍ଷେପ ନେବୁ ।"
ସେ ଆହୁରି କହିଛନ୍ତି, "OYO ପକ୍ଷରୁ ପାନ୍ ଇଣ୍ଡିଆ ଇନିସିଏଟିଭ (PAN India Initiative)ରେ ଜଏଣ୍ଟ ସେମିନାର କରାଯାଉଛି । ଯେଉଁଥିରେ ପୋଲିସ ଏବଂ ହୋଟେଲ ପାର୍ଟନର ଅଂଶଗ୍ରହଣ କରୁଛନ୍ତି । ବେଆଇନ କାମ ହେଉଥିବା ହୋଟେଲଗୁଡିକୁ ବ୍ଲାକ ଲିଷ୍ଟେଡ୍ କରାଯାଇଛି । ଗ୍ରାହକଙ୍କ ଭରସା ବଜାୟ ରଖିବା ସହ ରିପିଟ୍ ବୁକିଂ ଏବଂ ଅଧିକ ସମୟ ଧରି ହୋଟେଲରେ କିପରି ରହିପାରିବେ ତାହା ହିଁ ଆମର ଲକ୍ଷ୍ୟ ।"
ଏହା ବି ପଢନ୍ତୁ...ନୂଆବର୍ଷ ସେଲିବ୍ରେସନ; ଜୋମାଟୋଠୁ ଓୟୋ ରେକର୍ଡ ବୁକିଂ
ଏହା ବି ପଢନ୍ତୁ...ସର୍ବାଧିକ ରୁମ ବୁକିଂ ଲିଷ୍ଟରେ ହାଇଦ୍ରାବାଦ ସର୍ବାଗ୍ରେ: Oyo