ଆଲେଖ୍ୟ: ସି.ପି ରାଜେନ୍ଦ୍ରନ
ପ୍ରଫେସର, NIAS ବେଙ୍ଗାଲୁରୁ
ହାଇଦ୍ରାବାଦ:ଗତବର୍ଷ (2023) ରେ କେନ୍ଦ୍ର ସରକାରଙ୍କ ଦ୍ବାରା ପାରିତ ‘ବନ ସଂରକ୍ଷଣ ସଂଶୋଧନ ଅଧିନିୟମ-2023’ କୁ ସର୍ବୋଚ୍ଚ କୋର୍ଟ (ସୋମବାର) ରୋକ ଲଗାଇଛନ୍ତି । ସରକାର ଗତବର୍ଷ ଆଣିଥିବା ଏହି ସଂଶୋଧନ ଅଧିନିୟମରେ ଦେଶର ମୋଟ ଜଙ୍ଗଲ ଓ ଜଙ୍ଗଲଜମି ପରିମାଣର 15 ପ୍ରତିଶତ ଅଞ୍ଚଳରେ ‘ଇଜ ଅଫ ଡୁଇଁ ବିଜିନେସ’ ଓ ଖଣି ଖନନ ପାଇଁ ବ୍ୟବହାର କରିବାକୁ ବ୍ୟବସ୍ଥା କରିଥିଲେ । ସେତେବେଳେ ସରକାର ଏହି ବିଲ୍ ଯୁଗ୍ମ ସଂସଦୀୟ କମିଟିରେ ଆଗତ କିମ୍ବା ଚର୍ଚ୍ଚା ବିନା ଏହାକୁ ଗୃହରେ ଆଗତ କରିଥିବା ଅଭିଯୋଗ ମଧ୍ୟ ହୋଇଥିଲା । ସର୍ବୋଚ୍ଚ କୋର୍ଟ ଏହି ମାମଲାରେ ଅନ୍ତରୀଣ ରହିତାଦେଶ ଜାରି କରାଯାଇଛି । କୋର୍ଟଙ୍କ ଏହି ରାୟକୁ ପରିବେଶବିତମାନେ ସ୍ବାଗତ କରିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ 19 କୁ ସ୍ଥଗିତ ରଖାଯାଇଛି ।
1980 ମସିହା ଅକ୍ଟୋବର 25 ତାରିଖରେ ଦେଶରେ ଜଙ୍ଗଲ ଓ ଜଙ୍ଗଲଜମିର ସୁରକ୍ଷା ପାଇଁ ‘ବନ ସଂରକ୍ଷଣ ଅଧିନିୟମ’ ଲାଗୁ କରାଯାଇଥିଲା । 1995 ରେ ନୀଳଗିରି ଜଙ୍ଗଲରେ ବେଆଇନ ଜଙ୍ଗଲ କାଟ ଓ କାଠ ଟସ୍କରୀ ବିରୋଧରେ ଟି.ଏନ ଗୋଦାବର୍ମନ କୋର୍ଟରେ ଏକ ମାମଲା କରିଥିଲେ । 1996 ମସିହାରେ ଏହି ମାମଲାରେ କୋର୍ଟ ରାୟ ଦେଇଥିଲେ । 1980ର ବନ ସଂରକ୍ଷଣ ସଂଶୋଧନ ଅଧିନିୟକୁ ଆହୁରି ସ୍ପଷ୍ଟ ପରିଭାଷିତ କରି କୋର୍ଟ କହିଥିଲେ, ବନ ଶବ୍ଦର ବ୍ୟାପକ ଅର୍ଥ ଶବ୍ଦକୋଷର ସଂଜ୍ଞା ଆଧାରରେ ଗ୍ରହଣ କରିବାକୁ ପଡିବ । ବନଭୂମି ବୋଲି କୁହାଯାଉଥିବା ଅଞ୍ଚଳ ମଧ୍ୟ ଜଙ୍ଗଲର ଏକ ଅବିଚ୍ଛେଦ୍ଯ ଅଂଶ । ତେଣୁ ଏହା ମଧ୍ୟ ଜଙ୍ଗଲ ପରି ସଂରକ୍ଷଣ ପରିସରରେ ଆସିବାକୁ ବାଧ୍ୟ । ସେତେବେଳେ ଏହି ମାମଲାର ଶୁଣାଣି ବେଳେ କୋର୍ଟ ‘ଜାତୀୟ ବନନୀତି’ର ସମସ୍ତ ଦିଗକୁ ବିଚାରକୁ ନେଇ ରାୟ ଦେଇଥିଲେ ।
1996 ମସିହାରେ କୋର୍ଟଙ୍କ ଏହି ରାୟକୁ ବନ ସଂରକ୍ଷଣ ମାମଲାରେ ଐତିହାସିକ ବୋଲି ବିବେଚନା କରାଯାଏ । ଏହା ପରେ ଦେଶରେ ବିଭିନ୍ନ କୋଣରେ ଜଙ୍ଗଲ କ୍ଷୟ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା । ବନଭୂମିରେ ସମସ୍ତ ପ୍ରକାର ନିର୍ମାଣ ଓ ଖନନ କାମକୁ ବେଆଇନ ଘୋଷଣା କରାଯାଇଥିଲା । କାଠ ଟସ୍କରୀ ରୋକିବା ପାଇଁ ମଧ୍ୟ ବିଭିନ୍ନ ଟାକ୍ସଫୋର୍ସ ଗଠନ କରାଗଲା । ମାତ୍ର 2023 ମସିହାରେ କେନ୍ଦ୍ର ସରକାର ଏହି ଅଧିନିୟମରେ ସଂଶୋଧନ ଆଣିବାକୁ ପ୍ରୟାସ କଲେ । ଏହି ସଂଶୋଧିତ ଅଧିନିୟମ ସଂସଦରେ ପାରିତ ମଧ୍ୟ ହେଲା । ଏହି ନୂତନ ବିଲରେ ଥିବା ନିୟମ ଜଙ୍ଗଲ ବା ବନ ସଂଜ୍ଞାକୁ ପୂର୍ବ ସଂଜ୍ଞା ଠାରୁ ପୃଥକ ରଖିବା ସହ ବନଭୂମିରେ ଭିତ୍ତିଭୂମି ନିର୍ମାଣର ସୁଯୋଗ ରଖିବା ପାଇଁ ବ୍ୟବସ୍ଥା ରଖାଗଲା ।
ଏହି ସଂଶୋଧନ ବିଲ୍ ଅନୁସାରେ, ରାଜନୈତିକ ଉଗ୍ରବାଦ ସକ୍ରିୟ ଥିବା ଏରିଆରେ 10 ହେକ୍ଟର କିମ୍ବା 5 ହେକ୍ଟର ବନଭୂମିକୁ ସରକାର ବିଭିନ୍ନ ଦିଗରେ ବ୍ୟବହାର କରିପାରିବେ । ସୁରକ୍ଷା ସମ୍ପର୍କିତ ଭିତ୍ତିଭୂମି ନିର୍ମାଣ, ପ୍ରତିରକ୍ଷା ଯୋଜନା, କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ ପାଇଁ କ୍ୟାମ୍ପ ପ୍ରତିଷ୍ଠା ଓ ସାର୍ବଜନୀନ ବ୍ୟବସ୍ଥା ପାଇଁ ନିର୍ମାଣ ହେବାକୁ ଥିବା ଭିତ୍ତିଭୂମି ଉଦ୍ଦେଶ୍ୟରେ ଏହାକୁ ବ୍ୟବହାର କରାପାରିବ । ସେହିପରି ରେଳ ଧାରଣା ବିଛାଯିବା କିମ୍ବା ସଡକ ନିର୍ମାଣ ପାଇଁ ମୋଟ ଜଙ୍ଗଲଜମିର 0.10 ପ୍ରତିଶତ ବ୍ୟବହାର କରାଯାଇପାରିବ । ସେହିପରି ଦେଶର ଅନ୍ତର୍ଜାତୀୟ ସୀମା କିମ୍ବା ନିୟନ୍ତ୍ରଣ ରେଖାର 100 କି.ମି ସଲଗ୍ନ ଜଙ୍ଗଲ ଜମିରେ ମଧ୍ୟ ସରକାର କୌଣସି ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ କରିବାରେ ଏହି ସଂଶୋଧିତ ଅଧିନିୟମ ଅନୁସାରେ ସଫଳ ହେବେ ।
ଏହାକୁ ପରିବେଶବିତମାନେ ନାପସନ୍ଦ କରିବା ସହ ଏହି 2023 ସଂଶୋଧିତ ଅଧିନିୟମ, 1980 ସଂରକ୍ଷଣ ଅଧିନିୟମକୁ ଦୁର୍ବଳ କରୁଛି ଓ ପ୍ରଭାବହୀନ କରିଛି ବୋଲି ଅଭିଯୋଗ କରିଥିଲେ । ଏହା ସହ 2006 ରେ କାର୍ଯ୍ୟକାରୀ ହୋଇଥିବା ‘ବନ ଅଧିକାର ଅଧିନିମୟ’ ସହ ମଧ୍ୟ ଏହି ନିୟମ ବିବାଦ ସୃଷ୍ଟି କରିବ ବୋଲି ଚେତାବନୀ ଦେଇଥିଲେ । କାରଣ ବନ ଅଧିକାର ଅଧିନିୟମ ଜଙ୍ଗଲଜମିର ବ୍ୟବହାର ଅନୁମତି ସ୍ଥାନୀୟ ନିବାସୀ ଓ ଗ୍ରାମସଭାର ନିଷ୍ପତ୍ତି ଉପରେ ନିର୍ଭର ଥିଲା । ଏହି ନିୟମ କାର୍ଯ୍ୟକାରୀ ହେବା ପରେ ଉଭୟ ନିୟମ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି ହେବାର ଯଥେଷ୍ଟ ଆଶଙ୍କା ରହିଥିବା ପରିବେଶବିତମାନେ ଯୁକ୍ତି ବାଢିଥିଲେ ।
ଚଳିତ ମାସ (ଫେବୃଆରୀ) 19 ତାରିଖରେ କୋର୍ଟ ଦେଇଥିବା ଅନ୍ତରୀଣ ରାୟ ଅନୁସାରେ, 1980 ର ଗୋଦାବର୍ମନ ମାମଲାରେ କୋର୍ଟ ଦେଇଥିବା ତତ୍କାଳୀନ ନିର୍ଦ୍ଦେଶର ସମସ୍ତ ଖଣ୍ଡ ପାଳନ କରିବା ବାଧ୍ୟତାମୂଳକ । ଯେଉଁଥିରେ ଜଙ୍ଗଲର ଯେଉଁ ମୂଳ ପରିଭାଷା ବର୍ଣ୍ଣନା କରାଯାଇଛି, ତାହାର ସୁରକ୍ଷା ନିଶ୍ଚିତ କରିବା ପାଇଁ କୁହାଯାଇଥିଲା । ଏହା ସହ କୋର୍ଟ କେନ୍ଦ୍ର ସରକାର ଓ ସମସ୍ତ ରାଜ୍ୟ ସରକାରକୁ ନିଜ ଅଧିନରେ ଆସୁଥିବା ସମସ୍ତ ଜଙ୍ଗଲଜମି ବା ବନଭୂମି ସମ୍ପର୍କରେ ବିସ୍ତୃତ ତଥ୍ୟ ମାର୍ଚ୍ଚ 31 ତାରିଖ ସୁଦ୍ଧା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ତଥ୍ୟ କୋର୍ଟରେ ଦାଖଲ ହେବା ପରେ ଏହାକୁ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରଣାଳୟ ଡିଜିଟାଲ ଡାଟାରେ ପରିବର୍ତ୍ତନ କରି ସାର୍ବଜନୀନ କରିବ । ନ୍ୟାୟାଳୟକଙ୍କ ଅନୁମତି ବିନା ସଂରକ୍ଷିତ ଜଙ୍ଗଲରେ ସଫାରୀ କିମ୍ବା ଅନ୍ୟ ପର୍ଯ୍ୟଟନ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନନେବା ପାଇଁ କୋର୍ଟ ନିଜ ନିର୍ଦ୍ଦେଶରେ ସ୍ପଷ୍ଟ କରିଥିଲେ । 2023 ବନ ସଂରକ୍ଷଣ ସଂଶୋଧନ ଅଧିନିୟମ (AFCA- 2023) ର ବୈଧତାକୁ ଚ୍ୟାଲେଞ୍ଜ କରି କରାଯାଇଥିବା ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ 19 ତାରିଖକୁ ସ୍ଥଗିତ ରଖାଯାଇଛି ।
2017 ରେ ମିଳିତ ଜାତିସଂଘ ମହାସଭା ବିଶ୍ବ ଜଙ୍ଗଲ ସୁରକ୍ଷା ସହ ଜଡିତ ‘ସଂଯୁକ୍ତ ରାଷ୍ଟ୍ର ରଣନୈତିକ ଯୋଜନା-2030’ କୁ ସମର୍ଥନ କରିଥିଲା । ଜଳବାୟୁ ଶିଖର ସମ୍ମିଳନୀରେ ମଧ୍ୟ 2030 ସୁଦ୍ଧା ଜଙ୍ଗଲ କଟାଯିବାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବା ନେଇ ସଙ୍କଳ୍ପ ପାରିତ ହୋଇଥିଲା । ଏଥିରେ ଭାରତ ମଧ୍ଯ ଏକ ପକ୍ଷ ଭାବେ ପ୍ରଭାବୀ ଭୂମିକା ଗ୍ରହଣ କରିଥିଲା । ଏହି ନୀତି ଅନୁସାରେ, ଜଙ୍ଗଲ କ୍ଷୟ ରୋକାଯିବା ସହ ପୁନଃବନୀକରଣ, ଜଙ୍ଗଲ କ୍ଷୟ ପ୍ରସଙ୍ଗରେ ଏକ ପ୍ରଭାବୀ ତଥା ସ୍ଥାୟୀ ମୁକାବିଲା ରଣନୀତି ପ୍ରସ୍ତୁତ କରିବା ହିଁ ଏକମାତ୍ର ଉଦ୍ଦଶ୍ୟ ଥିଲା । ହେଲେ ମୋଦି ସରକାର 2023 ରେ ପାରିତ କରିଥିବା ବନ ସଂରକ୍ଷଣ ସଂଶୋଧନ ଅଧିନିୟମକୁ ଜଙ୍ଗଲ ସୁରକ୍ଷା ନୀତିର ବିପରୀତ ବୋଲି ବିବେଚନା କରାଯାଇ ସମାଲୋଚନା କରାଯାଉଥିଲା । ଏହା ଉପରେ ସର୍ବୋଚ୍ଚକୋର୍ଟ ଅନ୍ତରୀଣ ସ୍ଥଗିତାଦେଶ ଜାରି କରିବା ପରେ ପରିବେଶବିତମାନେ ସନ୍ତୋଷ ପ୍ରକାଶ କରିଛନ୍ତି ।
ଏହା ଲେଖକଙ୍କ ସମ୍ପୂର୍ଣ୍ଣ ନିଜସ୍ବ ମତ...