ଖାରତୁମ: ସୁଦାନ ସୀମାରେ ହିଂସା । ସୁଦାନ ଓ ଦକ୍ଷିଣ ସୁଦାନ ସୀମାବର୍ତ୍ତୀ ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ । ଏହି ଆକ୍ରମଣରେ 54ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ମହିଳା, ଶିଶୁ ସମେତ ଜାତିସଂଘର 2 ଜଣ ଶାନ୍ତିଦୂତ ଥିବା ସୂଚନା ରହିଛି । ଦକ୍ଷିଣ ସୁଦାନର ଓ୍ବାରାପ ରାଜ୍ୟର କିଛି ସଶସ୍ତ୍ର ଯୁବକ ଶନିବାର ଦିନ ପଡୋଶୀ ଆବେଇ ଅଞ୍ଚଳରେ ପଶି ଆକ୍ରମଣ କରି ଏହି ହତ୍ୟାକାଣ୍ଡ ଘଟାଇଥିବା ନେଇ ଆବେଇର ସୂଚନା ମନ୍ତ୍ରୀ ବୁଲିସ କୋଚ ସୋମବାର ଦିନ କହିଛନ୍ତି । ତେବେ 2021 ପରଠୁ ସୁଦାନର ସୀମା ବିବାଦ ଜଡିତ ଘଟଣା ମଧ୍ୟରେ ଏହା ସବୁଠୁ ଅଧିକ ଭୟଙ୍କର ବୋଲି କୁହାଯାଉଛି ।
ଉଭୟ ସୁଦାନ ଏବଂ ଦକ୍ଷିଣ ସୁଦାନ ସୀମାବର୍ତ୍ତୀ ଅଞ୍ଚଳରେ ଥିବା ତେଲ ଖଣିରେ ଭରପୁର ଆବେଇ ଅଞ୍ଚଳକୁ ଉଭୟ ନିଜ ମାଲିକାନାରେ ଥିବା ଦାବି କରିଥାନ୍ତି । ସୋମବାର ଦିନ ଆବେଇର ସୂଚନା ମନ୍ତ୍ରୀ ବୁଲିସ କୋଚ କହିଛନ୍ତି ଯେ, ଦକ୍ଷିଣ ସୁଦାନର ଓ୍ବାରାପ ରାଜ୍ୟର କିଛି ସଶସ୍ତ୍ର ଯୁବକ ପଡୋଶୀ ଆବେଇ ରାଜ୍ୟରେ ପଶି ଆକ୍ରମଣ କରିଥିଲେ । ଆକ୍ରମଣର କାରଣ ଜଣାପଡିନଥିବା ବେଳେ ଏହି ହିଂସାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ସମଗ୍ର ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଥିବା ନେଇ ବୁଲିସ କୋଚ କହିଛନ୍ତି ।
ଏହାମଧ୍ୟ ପଢନ୍ତୁ..ଆମେରିକା ମିଲିଟାରୀ ପୋଷ୍ଟ ଉପରେ ଡ୍ରୋନ ଆଟାକ, 3 ସେନା ମୃତ 25ରୁ ଅଧିକ ଆହତ