ହାଇଦ୍ରାବାଦ: ବାଂଲାଦେଶରେ ପୁଣି ହିଂସା । ନିର୍ବାସିତ ହୋଇ ଭାରତରେ ଶରଣ ନେଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପିତା ତଥା ବଙ୍ଗବନ୍ଧୁ ଶେଖ୍ ମୁଜିବୁର ରେହମାନଙ୍କ ବାସଭବନ ଓ ସ୍ମାରକୀରେ ଆକ୍ରମଣ ହୋଇଛି । ଗତକାଲି(ବୁଧବାର) ସଂଧ୍ୟାରେ ହସିନା ଭର୍ଚ୍ଚୁଆଲି ତାଙ୍କ ଦଳ ‘ଆଓ୍ବାମୀ ଲିଗ’କୁ ସମ୍ବୋଧିତ କରିବା ପରେ ତାଙ୍କ ବିରୋଧୀମାନେ ସିଧା ତାଙ୍କ ପିତା ତଥା ବାଂଲାଦେଶ ପ୍ରତିଷ୍ଠାତା ମୁଜିବୁର ରେହମାନଙ୍କ ପୈତୃକ ବାସଭବନରେ ଆକ୍ରମଣ, ଜଳାପୋଡା କରିଛନ୍ତି । ରାତି ତମାମ ଆକ୍ରମଣ କରିବା ପରେ ଆଜି ସକାଳୁ ଉକ୍ତ କୋଠାକୁ ସମ୍ପୂର୍ଣ୍ଣ ମାଟିରେ ମିଶାଇ ଦିଆଯାଇଛି ।
- ଏହି କୋଠାରେ ବାଂଲାଦେଶ ମୁକ୍ତି ସଂଗ୍ରାମର ରଣନୀତି କରୁଥିଲେ ମୁଜିବୁର
ରାଜଧାନୀ ଢାକାରେ ଥିବା ଏହି ଘର ହସିନାଙ୍କ ପିତା ମୁଜିବୁର ରେହମାନଙ୍କ ପୈତୃକ ବାସଭବନ ଥିଲା । ବାଂଲାଦେଶ ସ୍ବାଧୀନତା ଆନ୍ଦୋଳନର ନେତୃତ୍ବ ନେଇଥିବା ମୁଜିବୁର ଏହି ଘରେ ରହୁଥିଲେ । 1971 ରେ ବାଂଲାଦେଶର ଆତ୍ମପ୍ରକାଶ କରିଥିଲା । 1975 ରେ ବଙ୍ଗବନ୍ଧୁଙ୍କୁ ହତ୍ୟା କରାଯିବା ପରେ ଏହା ଏକ ଜାତୀୟ ସ୍ମାରକର ପରିଚୟ ମଧ୍ୟ ହାସଲ କରିଥିଲା । କେବଳ ହସିନାଙ୍କ ପୈତୃକ ସ୍ମରକୀ ନୁହେଁ ବରଂ ସ୍ବାଧୀନତା ବାଂଲାଦେଶ ଆନ୍ଦୋଳନ ଓ 1971 ଯୁଦ୍ଧର ଗରିମା ସହ ଏହି ଅଟ୍ଟାଳିକାକୁ ଯୋଡାଯାଉଥିଲା ।
#WATCH | Following the vandalisation of the memorial and residence of Bangladesh’s founding father Sheikh Mujibur Rahman at Dhanmondi 32 in Bangladesh by an angry mob, his residence is being demolished this morning. A man also seen waving a Palestinian flag at the spot.
— ANI (@ANI) February 6, 2025
The mob… pic.twitter.com/xitK2g3myJ
- ଭାରତରୁ ସମ୍ବୋଧନ କରୁଥିଲେ ହସିନା
ଗତକାଲି (ବୁଧବାର) ହସିନା ଆଭାସୀ ମାଧ୍ୟମରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ଏହି ସମ୍ବୋଧନ ବିଶେଷ ଭାବେ ସେ ତାଙ୍କ ପାର୍ଟି ଆଓ୍ବାମୀ ଲିଗର କାର୍ଯ୍ୟକର୍ତ୍ତା ଓ ସମର୍ଥକଙ୍କ ଉଦ୍ଦେଶ୍ୟରେ ରଖିଥିଲେ । ଏବେ ବାଂଲାଦେଶରେ କ୍ଷମତାରେ ଥିବା ଅନ୍ତରୀଣ ସରକାରକୁ ବିରୋଧ କରିବା ପାଇଁ ସେ ସମ୍ବୋଧନରେ ନିବେଦନ କରିଥିଲେ । ହସିନାଙ୍କ ଭାଷଣର ସିଧା ପ୍ରସାରଣ ଶେଷ ହେବା ପୂର୍ବରୁ ଶତାଧିକ ସଂଖ୍ୟାରେ ତାଙ୍କ ବଦ୍ରୋହୀ ଆନ୍ଦୋଳନକାରୀମାନେ ସିଧା ତାଙ୍କ ପୈତୃକ ବାସଭବନରେ ପ୍ରବେଶ କରିଥିଲେ । ପୂରା ଅଟ୍ଟାଳିକାରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଥିଲେ । ନାରାବାଜୀ ମଧ୍ୟ କରିଥିଲେ । ଆଜି ସକାଳୁ ଉକ୍ତ କୋଠାକୁ ବୁଲଡୋଜର ମାଧ୍ୟମରେ ଭଙ୍ଗା ଯାଉଥିବା ମଧ୍ୟ ଦେଖିବାକୁ ମିଳିଛି ।
- ଭାରତରେ ଶରଣ ନେଇଛନ୍ତି ହସିନା
2024 ଅଗଷ୍ଟରୁ କ୍ଷମତା ସହ ଦେଶ ଛାଡିଥିବା ଶେଖ ହସିନା ଏବେ ଭାରତ ଶରଣରେ ଅଛନ୍ତି । ତାଙ୍କ ପରବର୍ତ୍ତୀ ସ୍ଥିତି କ’ଣ ହେବ, ସେନେଇ ଅନିଶ୍ଚିତତା ଲାଗି ରହିଛି । ସେ ଭାରତରେ କିଛି ଦିନ ରହିବା ପରେ ବ୍ରିଟେନ ଯିବେ ବୋଲି ଚର୍ଚ୍ଚା ହୋଇଥିଲେ ସୁଦ୍ଧା ସେ ଏବେ ସୁଦ୍ଧା ମଧ୍ୟ ଭାରତ ଛାଡ଼ି ନାହାନ୍ତି । ଅନ୍ୟପଟେ ବାଂଲାଦେଶରେ ପ୍ରଫେସର ମହମ୍ମଦ ୟୁନୁସଙ୍କ ନେତୃତ୍ବରେ ଏକ ଅନ୍ତରୀଣ ସରକାର କାମ କରୁଛି । ତଥାପି ଦେଶବ୍ୟାପୀ ହସିନା ଓ ତାଙ୍କ ପରିବାର ପ୍ରତି ଆନ୍ଦୋଳନକାରୀଙ୍କ କ୍ରୋଧ ନରମ ପଡିନି ।
ଇଟିଭି ଭାରତ, ବ୍ୟୁରୋ