ଅମ୍ରିତସର: 104 ପ୍ରବାସୀ ଭାରତୀୟଙ୍କୁ ନେଇ ସ୍ବଦେଶ ଫେରିଲା ଆମେରିକୀୟ ଯୁଦ୍ଧ ବିମାନ । C-17 ଯୁଦ୍ଧବିମାନ ଆଜି ଦିନ 2ଟା ବେଳେ ଅମ୍ରିତସରରେ ପହଞ୍ଚିଛି । ପାସେଞ୍ଜର ଟର୍ମିନାଲରେ ନ ପହଞ୍ଚି ବିମାନଟି ସିଧାସଳଖ ବାୟୁସେନାର ଏୟାରବେସରେ ଅବତରଣ କରିଛି ।
- ଆମେରିକାରୁ ଆସିଲେ ନିର୍ବାସିତ ଭାରତୀୟ
ଅମ୍ରିତସର ବିମାନ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଆମେରିକାରୁ ଆସିଥିବା ପ୍ରବାସୀଙ୍କ ଯାଞ୍ଚ ସରିଛି । ଇମିଗ୍ରେସନ ଓ କଷ୍ଟ୍ୟୁମ ବିଭାଗର ଯାଞ୍ଚ ପରେ ସେମାନଙ୍କୁ ପଞ୍ଜାବ ପୋଲିସକୁ ହସ୍ତାନ୍ତର କରାଯାଇଛି । ଆମେରିକା 205 ଜଣ ଭାରତୀୟଙ୍କ ତାଲିକା ଦେଇଥିବା ବେଳେ ଅନ୍ୟ ସମସ୍ତ ଯାତ୍ରୀ କୁଆଡେ ଗଲେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
ରିପୋର୍ଟ ଅନୁସାରେ ଆମେରିକୀୟ ଯୁଦ୍ଧ ବିମାନ ସି 17ରେ ପଞ୍ଜାବ ଓ ପଡୋଶୀ ରାଜ୍ୟର 104 ଅବୈଧ ଅପ୍ରବାସୀ ରହିଛନ୍ତି । ମନ୍ତ୍ରୀ କୁଳଦ୍ବୀପ ସିଂ ଘାଲିୱାଲ ଆମେରିକା ସରକାରଙ୍କ ନିଷ୍ପତ୍ତିରେ ନିରାଶ ପ୍ରକାଶ କରିଛନ୍ତି । ସେ କହିଛନ୍ତି ‘‘ଯେଉଁ ବ୍ୟକ୍ତିଙ୍କର ସେହି ଦେଶର ଅର୍ଥବ୍ୟବସ୍ଥାରେ ଯୋଗଦାନ ରହିଛି ସେମାନଙ୍କୁ ସ୍ଥାୟୀ କରିବା ପରିବର୍ତ୍ତେ ନିର୍ବାସିତ କରାଗଲା । କେତେକ ଭାରତୀୟ ୱାର୍କ ପରମିଟ୍ ଆଧାରରେ ଆମେରିକାରେ ରହୁଥିଲେ । କିନ୍ତୁ ତାଙ୍କ ଅବଧି ସମାପ୍ତ ହେଉଣୁ ତାଙ୍କୁ ସଙ୍ଗେସଙ୍ଗେ ଅବୈଧ ଅପ୍ରବାସୀ କୁହାଗଲା’’ ।
ଆମେରିକାରେ ରହୁଥିବା ଶିଖ ସମ୍ପ୍ରଦାୟଙ୍କ ଚିନ୍ତା ଓ ହିତ କଥା ଚିନ୍ତା କରି ସେ ଆଗାମୀ ସପ୍ତାହରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଆଲୋଚନା କରିବେ । ସେହିପରି ଅବୈଧ ରୂପେ ବିଦେଶ ଯାତ୍ରା ନ କରିବା ପାଇଁ ଶିଖ ସମ୍ପ୍ରଦାୟଙ୍କୁ ନିବେଦନ କରିଛନ୍ତି ମନ୍ତ୍ରୀ । ଆଇନଗତ ପ୍ରକ୍ରିୟା ଦେଇ ବିଦେଶ ଯାତ୍ରା ସୁନିଶ୍ଚିତ କରିବା ସହ ଶିକ୍ଷା ଓ ଭାଷା କୌଶଳରେ ପାରଙ୍ଗମ ହେବା ପାଇଁ ସେ ଗୁରୁତ୍ବ ଦେଇଛନ୍ତି ।
- ପଞ୍ଜାବ, ହରିୟାଣା ଓ ଗୁଜୁରାଟରୁ ସର୍ବାଧିକ ପ୍ରବାସୀ
ତେବେ ଆମେରିକାରୁ ଭାରତର ଅମ୍ରିତସରରେ ଆସିଥିବା ପହଞ୍ଚିଥିବା ଅବୈଧ ପ୍ରବାସୀଙ୍କ ମଧ୍ୟରେ ସର୍ବାଧିକ ପଞ୍ଜାବ, ହରିୟାଣା ଓ ଗୁଜୁରାଟରୁ ରହିଛନ୍ତି । 33 ଜଣ ହରିୟାଣା ଓ ଗୁଜୁରାଟରୁ ଥିବାବେଳେ ପଞ୍ଜାବରୁ 30 ଜଣ ରହିଛନ୍ତି । ସେହିପରି ମହାରାଷ୍ଟ୍ରରୁ 3, ଉତ୍ତର ପ୍ରଦେଶ ଓ ଚଣ୍ଡିଗଡରୁ 2 ଜଣ ଲେଖାଏଁ ରହିଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ପରିବାର ରହିଛି । ଏହା ସହ 8ରୁ 10 ବର୍ଷୀୟ ଶିଶୁ ମଧ୍ୟ ରହିଛନ୍ତି । ଜଣେ ଅଧିକାରୀଙ୍କ କହିବାନୁସାରେ ପଞ୍ଜାବ, ହରିୟାଣା ଓ ଚଣ୍ଡିଗଡର ଲୋକଙ୍କୁ ସଡକମାର୍ଗରେ ସେମାନଙ୍କ ଘରକୁ ପଠାଯିବାର ବ୍ୟବସ୍ଥା କରାଯିବ । ଗୁଜୁରାଟ, ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶ ଲୋକଙ୍କୁ ବିମାନ ଯୋଗେ ସେମାନଙ୍କ ଘରକୁ ପଠାଯିବ ।
ଆମେରିକା ଯୁଦ୍ଧ ବିମାନ ସେଠାରୁ ଫେବୃଆରୀ 4ରେ ଭାରତୀୟ ସମୟାନୁସାରେ ସେଠାରୁ ମଧ୍ୟରାତ୍ରି 3ଟାରେ ବାହାରିଥିଲା । ପ୍ରଥମ ଥର ପାଇଁ ପ୍ରବାସୀକୁ ପଠାଇବା ପାଇଁ ଆମେରିକା ଯୁଦ୍ଧ ବିମାନର ବ୍ୟବହାର କରିଛି । ଗତ ମାସରେ ଆମେରିକା ରାଷ୍ଟ୍ରପତି ଦାୟିତ୍ବ ନେବା ପରେ ଦେଶର ଅବୈଧ ପ୍ରବାସୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଥିଲେ । ପଞ୍ଜାବର ଅଧିକାଂଶ ଲୋକେ ଯେଉଁମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଅବୈଧ ରୂପେ ଆମେରିକାରେ ପ୍ରବେଶ କରିଥିଲେ ଏବେ ସେମାନେ ନିର୍ବାସନର ସାମନା କରୁଛନ୍ତି । ରାଷ୍ଟ୍ରପତି ଭାବେ ଶପଥ ନେଉ ନେଉ ଆକ୍ସନ ମୋଡରେ ଆସିଥିଲେ ଡୋନାଲ୍ଡ ଟ୍ରମ୍ପ । ବେଆଇନ ଅନୁପ୍ରବେଶକାରୀଙ୍କୁ ଦେଶରେ ରହିବାକୁ ଦିଆନଯିବା ନେଇ ଟ୍ରମ୍ପ ଘୋଷଣା କରି ସାରିବା ପରେ ଏବେ ଅନେକ ପ୍ରବାସୀଙ୍କ ମନରେ ଛନକା ।
ଏହା ମଧ୍ୟ ପଢନ୍ତୁ ଗାଜାକୁ ନିୟନ୍ତ୍ରଣକୁ ନେବ ଆମେରିକା, ନେତାନ୍ୟାହୁଙ୍କ ଉପସ୍ଥିତିରେ ଟ୍ରମ୍ପଙ୍କ ଘୋଷଣା
ଏହା ମଧ୍ୟ ପଢନ୍ତୁ ଆମେରିକା ଯିବେ ପ୍ରଧାନମନ୍ତ୍ରୀ ମୋଦି, 13 ରେ ଟ୍ରମ୍ପଙ୍କ ସହ ଭେଟଘାଟ୍
- ଆମେରିକାରେ ବେଆଇନ ଭାବେ ଅଛନ୍ତି ୧୮ ହଜାର ଭାରତୀୟ ପ୍ରବାସୀ
ଆମେରିକାରେ ବେଆଇନ ଭାବେ ପାଖାପାଖି ୧୮ହଜାର ଭାରତୀୟ ପ୍ରବାସୀ ରହୁଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି । ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, " ଆମେରିକାରେ ବେଆଇନ ଭାବେ ରହୁଥିବା ୧୮ ହଜାର ଭାରତୀୟଙ୍କ ପ୍ରବାସୀଙ୍କ ମଧ୍ୟରେ ଅଧିକାଂଶ ପଞ୍ଜାବ ଓ ଗୁଜରାଟର । ଆମେରିକାର ଗୃହ ବିଭାଗର 2023 ରିପୋର୍ଟ ଅନୁଯାୟୀ, ଏହି ସଂଖ୍ୟା ବହୁତ ଅଧିକ ହୋଇପାରେ, 2022 ସୁଦ୍ଧା ଆମେରିକାରେ 2.2 ଲକ୍ଷ ଅନଧିକୃତ ଭାରତୀୟ ପ୍ରବାସୀ ରହିଥିଲେ ।