ହାଇଦ୍ରାବାଦ:2 ଦିନିଆ ୟୁଏଇ ଓ କତାର ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିଜ ଦୁଇ ଦେଶୀୟ ଗସ୍ତ ଶେଷ କରି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି । ଆଜି ସେ ନିଜ କତାର ପ୍ରତିପକ୍ଷ ତଥା ସ୍ଥାନୀୟ ଅମିର ତାମିମ ବିନ୍ ହମଦ ଅଲ ଥାନିଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି । ଗୁପ୍ତଚରଗିରି ଅଭିଯୋଗରେ ଗିରଫ ହୋଇ ମୃତ୍ୟୁଦଣ୍ଡ ପାଇଥିବା ଭାରତୀୟ ନୌସେନାର 8 ପୂର୍ବ ଅଧିକାରୀଙ୍କ ମୁକ୍ତି ପାଇଁ ସେ କତାର ଅମିରଙ୍କୁ ଧନ୍ୟବାଦ ଦେବା ସହ ଭାରତ ଆସିବା ପାଇଁ ନିମନ୍ତ୍ରଣ ମଧ୍ୟ କରିଛନ୍ତି ।
ଗସ୍ତର ପ୍ରଥମ ଭାଗରେ ପ୍ରଧାନମନ୍ତ୍ରୀ ଆବୁଧାବିରେ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସ୍ଥାନୀୟ ରାଷ୍ଟ୍ରପତି ନ୍ୟାହାନଙ୍କ ସହ ଦୁଇ ଦେଶର ପାରସ୍ପାରିକ ପ୍ରସଙ୍ଗରେ ଆଲୋଚନା କରିଥିଲେ । ପରେ ସେ ଆବୁଧାବିର ଜାଏଦ ଷ୍ଟାଡିୟମରେ ଆୟୋଜିତ ‘ଆଲାନ ମୋଦି’ କାର୍ଯ୍ୟରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିଥିଲେ । ଆବୁଧାବିରେ ନିର୍ମିତ ଭବ୍ୟ ହିନ୍ଦୁ ମନ୍ଦିରର ଉଦଘାଟନ ମଧ୍ୟ କରିଥିଲେ । ଗତକାଲି ସଂଧ୍ୟାରେ ସେ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ଶେଷ କରିବା ସହ କତାର ରାଜଧାନୀ ଦୋହା ଅଭିମୁଖେ ଯାତ୍ରା କରିଥିଲେ ।
ଦୋହାରେ ପହଞ୍ଚିବା ପରେ ସ୍ଥାନୀୟ ଅମିର ତାମିମ ବିନ ହମଦ ଅଲ ଥାନି ତାଙ୍କୁ ବିମାନ ବନ୍ଦରରେ ସ୍ବାଗତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ସ୍ଥାନୀୟ ସେନା ଦ୍ବାରା ଗାର୍ଡ-ଅଫ-ଅନର ମଧ୍ୟ ଗ୍ରହଣ କରିଥିଲେ । ଆଜି ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଭାରତ-କତାର ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । କତାରରେ ଗିରଫ ଓ ଦଣ୍ଡାଦେଶ ପାଇଥିବା ପୂର୍ବତନ ଭାରତୀୟ ନୌସୈନିକଙ୍କ ମୁକ୍ତି ନିଷ୍ପତ୍ତି ପାଇଁ ସେ ନିଜ ପ୍ରତିପକ୍ଷ ତଥା କତାର ଅମିରଙ୍କୁ ଧନ୍ୟବାଦ ଦେବା ସହ ଭାରତ ଗସ୍ତ କରିବା ପାଇଁ ନିମନ୍ତ୍ରଣ କରିଛନ୍ତି । ସଂଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀ ଅଭିମୁଖେ ଉଡାଣ ଭରିଛନ୍ତି ।