ହାଇଦ୍ରାବାଦ: ଆମେରିକାରେ ପୁଣି ଥରେ ଆରମ୍ଭ ହେଲା ଟ୍ରମ୍ପ ଯୁଗ । ଦେଶର 47ତମ ରାଷ୍ଟ୍ରପତି ଭାବେ ଆଜି (ସୋମବାର) ଡୋନାଲ୍ଡ ଟ୍ରମ୍ପ ଶପଥ ଗ୍ରହଣ କରିଛନ୍ତି । ରାଜଧାନୀ ଓ୍ବାଶିଂଟନ-ଡିସିର କ୍ୟାପିଟାଲ ବିଲ୍ଡିଂ ଇନଡୋର ହଲରେ ଆୟୋଜିତ ଭବ୍ୟ ସମାରୋହରେ ଆମେରିକାର ପ୍ରଧାନ ବିଚାରପତି ଜନ୍ ରବର୍ଟସ୍ ଟ୍ରମ୍ପଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ପ୍ରଥମେ ଉପ-ରାଷ୍ଟ୍ରପତି ଭାବେ ଜେଡି ଭାନ୍ସ ଶପଥ ନେଇଥିଲେ । ଏହା ପରେ ଟ୍ରମ୍ପ ପୋଡିୟମକୁ ଆସି ଶପଥ ପାଠ କରିଛନ୍ତି । କାର୍ଯ୍ୟକ୍ରମରେ ବିଦାୟୀ ରାଷ୍ଟ୍ରପତି ଜୋ.ବାଇଡେନ ଓ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଓ ଜର୍ଜ ବୁସ ମଧ୍ୟ ଉପସ୍ଥିତ ଥିଲେ । ଶପଥ ନେବା ପରେ ବାଇଡେନ, ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହାପରେ ଆମେରିକୀୟ ପରମ୍ପରା ଅନୁସାରେ, ଟ୍ରମ୍ପ ଦେଶକୁ ସମ୍ବୋଧିତ କରିଛନ୍ତି ।
- ଆମେରିକା ପ୍ରଥମ ମୋର ନୀତି ହେବ:-
ଶପଥ ନେବା ପରେ ରାଷ୍ଟ୍ରକୁ ସମ୍ବୋଧିତ କରିଛନ୍ତି ଟ୍ରମ୍ପ । କହିଛନ୍ତି,‘‘ ଆମେରିକାର ସୁବର୍ଣ୍ଣ ଯୁଗ ଆରମ୍ଭ ହେଲା । ଆମେରିକା ‘ପ୍ରଥମ ନୀତି’ରେ ମୋ ପ୍ରଶାସନ କାର୍ଯ୍ୟ କରିବ । ଆମେରିକାର ସାର୍ବଭୌମତ୍ବ, ଜାତୀୟ ନିରାପତ୍ତା ଓ ନ୍ୟାୟକୁ ପ୍ରାଥମିକତା ମିଳିବ । ଆମେରିକାର ପୂର୍ବାପେକ୍ଷା ଦୃଢ ଓ ଶକ୍ତିଶାଳୀ ହେବ । ଆମେରିକାର ଶତ୍ରୁକୁ ପରାସ୍ତ କରିବା ପାଇଁ ସେନାକୁ ପୂର୍ଣ୍ଣ ସ୍ବାଧୀନତା ମିଳିବ ।’’
- ଆମେରିକା ମାଟିରେ କେହି ଅନୁପ୍ରବେଶ କରିପାରିବେ ନାହିଁ :ଟ୍ରମ୍ପ
ଟ୍ରମ୍ପ କହିଛନ୍ତି,‘‘ଏବେ ବିଶ୍ବରେ ଜାରି ରହିଥିବା ବିଶ୍ବାସ ଅଭାବର ସଙ୍କଟକୁ ଆମେରିକା ଦୂର କରିବ । 250 ବର୍ଷ ମଧ୍ୟରେ ସର୍ବାଧିକ ଆହ୍ବାନ ସାମ୍ନା କରିଥିବା ରାଷ୍ଟ୍ରପତି ମୁଁ ନିଜେ । ମୋତେ ହତ୍ୟା ଉଦ୍ୟମ ହୋଇଛି । ମୋତେ ମୋର ସୁରକ୍ଷାକର୍ମୀମାନେ ରକ୍ଷା କରିଥିଲେ । ମୋତେ ରକ୍ଷା କରିବାର ଉଦ୍ଦେଶ୍ୟ ଥିଲା ମହାନ ଆମେରିକାର ଆଉଥରେ ପୁନର୍ଗଠନ କରିବା । ଚଳିତବର୍ଷର ନିର୍ବାଚନ ଇତିହାସରେ ଉଲ୍ଲେଖ ହୋଇରହିବ । ଆମେରିକାର ପୁନର୍ଗଠନ ହେବ । ମୋ ପ୍ରଶାସନ ଦକ୍ଷିଣ-ସୀମାରେ ଜାତୀୟ ଜରୁରୀ ସ୍ଥିତି ଘୋଷଣା କରୁଛି । ବେଆଇନ ଅନୁପ୍ରବେଶକୁ ରୋକାଯିବ । ମୋକ୍ସିକୋ ସୀମାକୁ ସୈନ୍ୟ ପଠାଇବାକୁ ମୁଁ ନିର୍ଦ୍ଦେଶ ଦେବି ।’’
ଏହା ମଧ୍ୟ ପଢନ୍ତୁ:- |