ଓଡିଶା

odisha

ETV Bharat / international

ଇସ୍ତଫା ପୂର୍ବରୁ ଦେଶକୁ ସମ୍ବୋଧିତ କରିବାକୁ ଚାହୁଁଥିଲେ ହସିନା: ଷଡଯନ୍ତ୍ର ପଛରେ ଏହି ଦେଶ, ଅଧୁରା ଭାଷଣରେ ରହିଛି ଗୁମର - Sheikh Hasina Undelivered Speech

Bangladesh crisis: ଇସ୍ତଫା ପୂର୍ବରୁ ଦେଶକୁ ସମ୍ବୋଧିତ କରିବାକୁ ଚାହୁଁଥିଲେ ଶେଖ ହସିନା । ସାମ୍ନାକୁ ଆସିଲା ଅଧୁରା ଭାଷଣ କଥା । ଆମେରିକା ଉପରେ ଗମ୍ଭୀର ଅଭିଯୋଗ । ଆନ୍ଦୋଳନକାରୀଙ୍କୁ ଏହି ବାର୍ତ୍ତା ଦେବାକୁ ଚାହୁଁଥିଲେ । ଅଧିକ ପଢନ୍ତୁ

ଇସ୍ତଫା ପୂର୍ବରୁ ଦେଶକୁ ସମ୍ବୋଧିତ କରିବାକୁ ଚାହୁଁଥିଲେ ହସିନା, ଅଧୁରା ଭାଷଣରେ ଷଡଯନ୍ତ୍ରର ଗୁମର
ଇସ୍ତଫା ପୂର୍ବରୁ ଦେଶକୁ ସମ୍ବୋଧିତ କରିବାକୁ ଚାହୁଁଥିଲେ ହସିନା, ଅଧୁରା ଭାଷଣରେ ଷଡଯନ୍ତ୍ରର ଗୁମର (ETV Bharat Odisha)

By ETV Bharat Odisha Team

Published : Aug 11, 2024, 3:11 PM IST

ହାଇଦ୍ରାବାଦ:ଇସ୍ତଫା ଦେବା ପୂର୍ବରୁ ଦେଶକୁ ସମ୍ବୋଧିତ କରିବାକୁ ଚାହୁଁଥିଲେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା । ଦେଶବାସୀ ଓ ବିଶେଷ କରି ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ଲକ୍ଷ ଲକ୍ଷ ଛାତ୍ରଙ୍କୁ ହସିନା ନିଜର ବାର୍ତ୍ତା ଦେବାକୁ ଚାହୁଁଥିଲେ । ଏଥିପାଇଁ ଅଭିଭାଷଣ ମଧ୍ୟ ପ୍ରସ୍ତୁତ ହୋଇସାରିଥିଲା । ହେଲେ ସ୍ଥିତି ଏପରି ଅଣାୟତ୍ତ ହେଲା ଯେ, ସମ୍ବୋଧନ କରିବାକୁ ମଧ୍ୟ ସୁଯୋଗ ମିଳିଲା ନାହିଁ । ଇସ୍ତଫା ଦେବାର ମାତ୍ର କିଛି ମିନିଟ୍‌ ମଧ୍ୟରେ ଦେଶ ଛାଡିବାକୁ ବାଧ୍ୟ ହେଲେ । ହସିନାଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଓ ସମ୍ବୋଧିତ ନହୋଇପାରି ଅଧୁରା ରହିଥିବା ଅଭିଭାଷଣ ସମ୍ପର୍କରେ କିଛି ରୋଚକ ତଥ୍ୟ ଏବେ ସମ୍ନାକୁ ଆସିଛି । ଦେଶରେ ଏପରି ହିଂସକ ଆନ୍ଦୋଳନ ପାଇଁ ନିଜ ସମ୍ବୋଧନରେ କାହାକୁ ଦାୟୀ କରିଥିଲେ ହସିନା ? ଉତ୍ତେଜିତ ଛାତ୍ରଛାତ୍ରୀଙ୍କୁ କ’ଣ ବାର୍ତ୍ତା ଦେବାକୁ ଚାହୁଁଥିଲେ ସେନେଇ ଉତ୍କଣ୍ଠା ପ୍ରକାଶ ପାଇଛି ।

ଷଡଯନ୍ତ୍ର ପଛରେ ଆମେରିକା !

ତେବେ ଦିଲ୍ଲୀରେ ଥିବା ହସିନାଙ୍କ କିଛି ଘନିଷ୍ଠ ସହଯୋଗୀ ନାମ ଗୋପନ ରଖି କିଛି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ହସିନା ବାଂଲାଦେଶରେ କ୍ଷମତା ପରିବର୍ତ୍ତନ ଓ ତାଙ୍କୁ ଗାଦିଚ୍ୟୁତ କରାଯିବା ପାଇଁ ସିଧା ଆମେରିକାକୁ ଦାୟୀ କରିଛନ୍ତି । ସେ ଆମେରିକାକୁ ବଙ୍ଗୋପସାଗର ମଧ୍ୟରେ ବାଂଲାଦେଶ ଉପକୂଳରେ ଥିବା ସେଣ୍ଟ-ମାର୍ଟିନ ଦ୍ବୀପ ହସ୍ତାନ୍ତର କରିଥିଲେ ତାଙ୍କ ବିରୋଧରେ ଏହି ଷଡଯନ୍ତ୍ର ହୋଇନଥାଆନ୍ତା । ଆମେରିକା ବାଂଲାଦେଶ ସୀମାରେ ଥିବା ସେଣ୍ଟ ମାର୍ଟିନ ଦ୍ବୀପରେ ସାମରିକ ବେସ ପ୍ରସ୍ତୁତ କରିବାକୁ ଚାହୁଁଥିଲା । ମାତ୍ର ହସିନା ସରକାର ଏହାକୁ ଅନୁମତି ଦେଉନଥିଲେ । ଫଳରେ ଆମେରିକା ତାଙ୍କ ବିରୋଧରେ ଏହି ଷଡଯନ୍ତ୍ର କଲା ବୋଲି ହସିନାଙ୍କ ନିକଟତମ ସୂତ୍ରରୁ ସୂଚନା ମିଳିଛି ।

ଚମକାଇଦେବା ଭଳି କଥା ଉଲ୍ଲେଖ କରିଥିଲେ ହସିନା:

ପ୍ରସ୍ତାବିତ ସମ୍ବୋଧନରେ ହସିନା ଉଲ୍ଲେଖ କରିଥିଲ,‘‘ସେମାନେ ଛାତ୍ରଙ୍କ ମୃତଦେହ ଉପରେ ଚଢି କ୍ଷମତା ହାସଲ କରିବାକୁ ଚାହୁଁଥିଲେ । ଏହା ମୁଁ ଚାହୁଁନଥିଲି । ମୁଁ ଅଧିକ ହିଂସା ଚାହୁଁନଥିଲି । ସେଥିପାଇଁ ଇସ୍ତଫା ଦେଲି । ଲୋକମାନେ ମତେ ନିର୍ବାଚିତ କରିଥିଲେ । ଦେଶର ଶାସନ ବ୍ୟବସ୍ଥା ଦେଇଥିଲେ । ହେଲେ ବର୍ତ୍ତମାନ ସ୍ଥିତିକୁ ଦେଖି ମୁଁ ଏହି ନିଷ୍ପତ୍ତି ଗ୍ରହଣ କରିଛି । ଦେଶର ବିଭିନ୍ନ ସ୍ଥାନରେ ଆଓ୍ବାମୀ ଲିଗର ନେତା ଓ କର୍ମୀଙ୍କୁ ଆକ୍ରମଣ ମତେ ଆଘାତ ଦେଇଛି ।’’

ଏହା ମଧ୍ୟ ପଢନ୍ତୁ :-ବାଂଲାଦେଶରେ ରାଜରାସ୍ତାକୁ ଓହ୍ଲାଇଲେ ହଜାର ହଜାର ହିନ୍ଦୁ, ମାଗିଲେ ସୁରକ୍ଷା - Minority Hindu protest in Dhaka

ସେହିପରି ବିବାଦୀୟ ‘ରଜାକାର’ ମନ୍ତବ୍ୟ ନେଇ ମଧ୍ୟ ନିଜ ପ୍ରସ୍ତାବିତ ଭାଷଣରେ ଉଲ୍ଲେଖ କରିଥିଲେ । ସେ ଏପରି କିଛି କହିନାହାନ୍ତି । ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ସେ କହିଥିଲେ, ଯଦି ସ୍ବାଧୀନତା ସଂଗ୍ରାମୀଙ୍କ ବଂଶଜଙ୍କୁ ସଂରକ୍ଷଣ ନମିଳିବ, ତେବେ କ’ଣ ରଜାକାରଙ୍କ ପିଲାମାନଙ୍କୁ ମିଳିବ । ଆନ୍ଦୋଳନକାରୀଙ୍କ ଉଦ୍ଦେଶ୍ୟରେ କୌଣସି ‘ରଜାକାର’ ଶବ୍ଦ ପ୍ରୟୋଗ କରାଯାଇନଥିଲା । ଏହାକୁ ଭୁଲ ଭାବେ ଉପସ୍ଥାପିତ କରାଗଲା । ଆନ୍ଦୋଳନକାରୀମାନେ ଓ ଏହାକୁ ବିରୋଧ କରୁଥିବା ବ୍ୟକ୍ତିବିଶେଷ ସେହି ଭିଡିଓକୁ ସମ୍ପୂର୍ଣ୍ଣ ଭାବେ ଦେଖିବାକୁ ମଧ୍ୟ ଭାଷଣରେ ଅନୁରୋଧ କରିଥିଲ ହସିନା । ଆନ୍ଦୋଳନକାରୀମାନେ କଠୋରପନ୍ଥୀଙ୍କ ପ୍ରରୋଚନାରେ ଆସି ଉତ୍ତେଜିତ ହୋଇ ହିଂସା ନକରନ୍ତୁ ବୋଲି ମଧ୍ୟ ସେ ଅପିଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details