ୱାଶିଂଟନ:ଆମେରିକାରେ ଅସୁରକ୍ଷିତ ଭାରତୀୟ ଛାତ୍ର । ବାରମ୍ବାର ଏଠାରୁ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସୁଛି । ଏହାରି ଭିତରେ ଆମେରିକାରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାମ ଶ୍ରେୟାସ ରେଡ୍ଡି । ଓହିଓ ରାଜ୍ୟର ସିନସିନାଟିରେ ଶ୍ରେୟାସଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ତାଙ୍କର ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିଲେ ହେଁ ଏହା ଏକ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ଗତ ସପ୍ତାହେ ଭିତରେ ଭାରତୀୟ ଛାତ୍ର ମୃତ୍ୟୁର ଏହା ତୃତୀୟ ଘଟଣା ।
ସୂଚନା ମୁତାବକ, ଶ୍ରେୟାସ ରେଡ୍ଡି ଲିଣ୍ଡର ସ୍କୁଲ ଅଫ୍ ବିଜନେସର ଛାତ୍ର ଥିଲେ । ସିନସିନାଟିରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । କେମିତି ତାଙ୍କର ମୃତ୍ୟୁ ଘଟିଲା ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ନ୍ୟୁୟର୍କରେ ସ୍ଥିତ ଭାରତୀୟ ଦୂତାବାସ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତ ଛାତ୍ରଙ୍କ ପରିବାର ସହ ଯୋଗାଯୋଗ କରାଯାଉଥିବା ସୂଚନା ଦିଆଯାଇଛି । ଦୂତାବାସ ପକ୍ଷରୁ କୁହାଯାଇଛି, ଓହିଓରେ ଭାରତୀୟ ବଂଶୋଦ୍ଭବ ଶ୍ରେୟାସ ରେଡ୍ଡି ବେନିଗେରିଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁରେ ଆମେ ମର୍ମାହତ । ପୋଲିସ ମାମଲାର ତଦନ୍ତ କରୁଛି । ମୃତକଙ୍କ ପରିବାର ସହ ନିରନ୍ତର ଯୋଗାଯୋଗରେ ଅଛୁ ଏବଂ ସେମାନଙ୍କୁ ଯଥାସମ୍ଭବ ସହାୟତା ପ୍ରଦାନ କରୁଛୁ ।