ମଖାନା ବଜାରରେ ମିଳୁଥିବା ଏକ ପୌଷ୍ଟିକ ଡ୍ରାଏ ଫ୍ରୁଟ ଅଟେ । ଶରୀର ପାଇଁ ଅତ୍ୟନ୍ତ ସ୍ବାସ୍ଥ୍ୟକର ହୋଇଥାଏ । ମଖାନାକୁ ଫାକ୍ସ ନଟ୍ସ ବା ପଦ୍ମ ମଞ୍ଜି ମଧ୍ୟ କୁହାଯାଏ । ଏହା ଅନେକ ପୌଷ୍ଟିକ ଗୁଣରେ ଭରପୂର, ଯେଉଁଥିରେ ପୋଟାସିୟମ, ମ୍ୟାଗ୍ନେସିୟମ, ଆଇରନ, ଫସଫରସ୍, ଜିଙ୍କ, ଫାଇବର ଆଦି ପୋଷକ ତତ୍ତ୍ବ ପ୍ରଚୁର ମାତ୍ରାରେ ରହିଥାଏ । ଏହା ଓଜନ କମାଇବାରେ ସାହାଯ୍ୟ କରେ । ବ୍ଲଡପ୍ରେସର ଓ ବ୍ଲଡସୁଗାର ନିୟନ୍ତ୍ରଣ କରିଥାଏ । ଏଥିରୁ ମିଳୁଥିବା ପୋଟାସିୟମ ଓ ମ୍ୟାଗ୍ନେସିୟମ ଆମର ହୃଦୟ ସ୍ବାସ୍ଥ୍ୟ ଓ ହାଡ ମଜଭୁତ ରଖିବାରେ ସାହାଯ୍ୟ କରେ । ନିୟମିତ ମଖାନା ଖାଇଲେ ଶରୀରକୁ ଏପରି ଅନେକ ପ୍ରକାରେ ଲାଭ ମିଳିଥାଏ । ଏହାକୁ ଆପଣ ଘିଅରେ ଭାଜି କ୍ଷୀର ସହ ସ୍ନାକ୍ସ ଭାବେ ଖାଇପାରିବେ ନଚେତ୍ ଖିରି ବନାଇ ଖାଇପାରିବେ ।
ମଖାନା ଖାଇଲେ ଶରୀରକୁ ମିଳେ ଏହି ଫାଇଦା:
ବ୍ଲଡସୁଗାର ନିୟନ୍ତ୍ରଣ କରେ: ମଧୁମେହ ରୋଗୀଙ୍କ ପାଇଁ ମଖାନା ଅତ୍ୟନ୍ତ ଲାଭଦାୟକ । ଏହାକୁ ସେମାନେ ଜଳଖିଆ ଭାବେ ଖାଇପାରିବେ । ମଖାନାର ଗ୍ଲାଇସେମିକ ଇଣ୍ଡେକ୍ସ ଖୁବ୍ କମ୍, ଯାହା ମଧୁମେହ ନିୟନ୍ତ୍ରଣରେ ସାହାଯ୍ୟ କରେ । ମଖାନା ଖାଇଲେ ବ୍ଲଡସୁଗାର ବଢି ନଥାଏ । ମଧୁମେହ ପୀଡିତ ନିୟମିତ ରୂପେ ଏହାକୁ ସେବନ କରିପାରିବେ ।
ଓଜନ ହ୍ରାସ: ଓଜନ କମାଇବାକୁ ଚାହୁଁଥିବା ବ୍ୟକ୍ତି ହେଲ୍ଦି ସ୍ନାକ୍ସ ଭାବେ ମଖାନା ସେବନ କରିପାରିବେ । ମଖାନାରେ କମ୍ କ୍ୟାଲୋରୀ ଓ ଅଧିକ ଫାଇବର ଥାଏ । ଯଦି ଆପଣ ଭୋକିଲା ଅନୁଭବ କରୁଛନ୍ତି, ମଖାନା ଖାଇଲେ ପେଟ ଭର୍ତ୍ତି ରହିବା ଭଳି ଅନୁଭବ ହୁଏ । ଅଧିକ ଖାଦ୍ୟ ଖାଇବାକୁ ଇଚ୍ଛା ହୁଏନି ଏବଂ ଏହା ଓଜନ ନିୟନ୍ତ୍ରଣରେ ସହାୟକ ହୋଇଥାଏ । ହେଲ୍ଦି ସ୍ନାକ୍ସ ପାଇଁ ମଖନା ଏକ ଭଲ ବିକଳ୍ପ ।
ଆଣ୍ଟି-ଅକ୍ସିଡାଣ୍ଟରେ ଭରପୂର: ମଖାନାରେ ଫ୍ଲାଭୋନଏଡ ଓ ପଲିଫେନୋଲ ଭଳି ଆଣ୍ଟିଅକ୍ସିଡାଣ୍ଟ ରହିଛି । ଏହା କ୍ଷତିକାରକ ଫ୍ରି ରାଡିକାଲ୍ସରୁ ଶରୀରକୁ ରକ୍ଷା କରେ । ଅକ୍ସିଡେଟିଭ ଷ୍ଟ୍ରେସ କମ୍ କରି ସେଲ୍ ଡ୍ୟାମେଜ ରୋକିଥାଏ ଏବଂ କ୍ରନିକ ରୋଗ ଆଶଙ୍କା କମାଇଥାଏ ।
ଏନିମିଆ ଓ ଦୁର୍ବଳତା ଦୂର କରେ: ମଖାନାରେ ଭରପୂର ମାତ୍ରାରେ ଆଇରନ ଥାଏ । ଯେଉଁମାନଙ୍କ ରକ୍ତହୀନତା ବା ଏନିମିଆ ସମସ୍ୟା ରହିଛି ଏବଂ ସବୁବେଳେ ଦୁର୍ବଳ ଅନୁଭବ କରୁଛନ୍ତି ସେମାନେ ନିୟମିତ ମଖାନା ଖାଇଲେ ଫାଇଦା ମିଳିଥାଏ ।
ଶୁକ୍ରାଣୁ ସଂଖ୍ୟା ବୃଦ୍ଧି କରାଏ: ମଖାନା ଖାଇଲେ ପୁରୁଷଙ୍କ ଯୌନ ସ୍ବାସ୍ଥ୍ୟ ଉନ୍ନତ ରହିଥାଏ । ଏଥିରୁ ମିଳୁଥିବା ପ୍ରଚୁର ଆଣ୍ଟିଅକ୍ସିଡାଣ୍ଟ ଓ ଜରୁରୀ ନ୍ୟୁଟ୍ରଏନ୍ସ ପୁରୁଷଙ୍କ ଶୁକ୍ରାଣୁ ସଂଖ୍ୟା ଓ କ୍ବାଲିଟି ବୃଦ୍ଧି ପାଇଥାଏ । ତେଣୁ ଯୌନ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଭୋଗୁଥିବା ପୁରୁଷମାନେ ନିଜ ଡାଏଟରେ ମଖାନା ସାମିଲ କରିପାରିବେ ।