ଅସ୍ବାସ୍ଥ୍ୟକର ଜୀବନଶୈଳୀ ଯୋଗୁଁ ବର୍ତ୍ତମାନ ଡାଇବେଟିସ ବା ମଧୁମେହ ଏକ ସାଧାରଣ ରୋଗ ପାଲଟିଛି । ଲକ୍ଷ ଲକ୍ଷ ଲୋକ ଡାଇବେଟିସରେ ପୀଡିତ । ଏହି ରୋଗୀମାନେ ସର୍ବଦା ନିଜ ବ୍ଲଡସୁଗାର ନିୟନ୍ତ୍ରଣ ରଖିବା ଜରୁରୀ ହୋଇଥାଏ । କାରଣ ସୁଗାର ସ୍ତର ଅଧିକ ବଢିଲେ ବିଭିନ୍ନ ସ୍ବାସ୍ଥ୍ୟଗତ ଜଟିଳତା ଦେଖାଯାଇଥାଏ । ତେଣୁକରି ବ୍ଲଡସୁଗାର ବଢିବାରୁ ରୋକିବା ପାଇଁ ଡାଇବେଟିସ ରୋଗୀ ନିଜ ଖାଦ୍ୟପେୟ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ । ଏମିତି କିଛି ପନିପରିବା ଅଛି ଯାହାକୁ ଜୁସ୍ କରି ପିଇଲେ ବ୍ଲଡସୁଗାର ସ୍ତର ନିୟନ୍ତ୍ରଣରେ ରହିଥାଏ । ଆସନ୍ତୁ ଜାଣିବା ସେହି ପରିବାଗୁଡିକ ସମ୍ପର୍କରେ...
ଅଁଳା ଜୁସ୍:
ଡାଇବେଟିସ ରୋଗୀଙ୍କ ଅଁଳା ଜୁସ୍ ସେବନ ଅତ୍ୟନ୍ତ ଲାଭକାରୀ ମନେକରାଯାଏ । ଯଦି ଆପଣଙ୍କୁ ଡାଇବେଟିସ୍ ତାହେଲେ ଖାଲି ଅଁଳା ଜୁସ୍ ନହେଲେ ଅଁଳା ଓ ଆଲୋଭେରା ଜୁସ୍ ମିଶାଇ ପିଇପାରିବେ । ଏହା ଶୀତ ଦିନେ ବ୍ଲଡସୁଗାର ସ୍ତରକୁ କମ୍ କରିବାରେ ସାହାଯ୍ୟ କରେ । କାରଣ ଅଁଳା ଔଷଧୀୟ ଗୁଣରେ ଭରପୂର ହୋଇଥାଏ । ଏହା ରକ୍ତରେ ଗ୍ଲୁକୋଜ ବୃଦ୍ଧିକୁ ରୋକିଥାଏ । ଏନଆଇଏଚ ଅନୁସାରେ, ଅଁଳାରେ ଆଣ୍ଟିଡାଇବେଟିକ, ଆଣ୍ଟିକ୍ୟାନ୍ସର ଓ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ରହିଛି ।
କଲରା ଜୁସ୍:
ପାଟିକୁ ପିତା କିନ୍ତୁ ଦେହ ପାଇଁ ଭାରି ହିତକର କଲରା । ବିଶେଷକରି ଡାଇବେଟିସ ରୋଗୀଙ୍କ ପାଇଁ ଏହା କୌଣସି ଔଷଧଠୁ କମ୍ ନୁହେଁ । ଡାଇବେଟିସ ପୀଡିତ କଲରାକୁ ଜୁସ୍ ବନାଇ ପିଇପାରିବେ । ଏହା କେବଳ ବ୍ଲଡସୁଗାର କମ୍ କରେନି ବରଂ ଶରୀରରେ ଥିବା ବିଷାକ୍ତ ପଦାର୍ଥ ମଧ୍ୟ ବାହାର କରେ । ଦୂଷିତ ରକ୍ତ ପରିଷ୍କାର କରେ । କଲରା ଜୁସ୍ ସେବନ କଲେ ଇନସୁଲିନ ସ୍ତର ସନ୍ତୁଳିତ ରହିଥାଏ । ଅତିକମରେ ସପ୍ତାହକୁ ଦୁଇରୁ ତିନି ଥର କଲରା ଜୁସ୍ ପିଅନ୍ତୁ ।
କାକୁଡି ଜୁସ୍:
କାକୁଡି ଡାଏଟାରୀ ଫାଇବର ଓ ଭିଟାମିନ ସିରେ ଭରପୂର । କାକୁଡି ଜୁସ୍ ପିଇଲେ ଆପଣଙ୍କ ବ୍ଲଡସୁଗାର ସ୍ତର ନିୟନ୍ତ୍ରିତ ରହିଥାଏ । ତେଣୁ ଡାଇବେଟିସ ରୋଗୀଙ୍କ ପାଇଁ ଏହା ଏକ ଭଲ ବିକଳ୍ପ । କାକୁଡି ଜୁସ୍ ବ୍ଲଡସୁଗାର କଣ୍ଟ୍ରୋଲ କରିବା ସହିତ ହାଇଡ୍ରେସନ ଏବଂ ଓଜନ ନିୟନ୍ତ୍ରଣରେ ମଧ୍ୟ ଖୁବ୍ ସହାୟକ ହୋଇଥାଏ । କାକୁଡିରେ କମ୍ କାର୍ବୋହାଇଡ୍ରେଟ ଓ ଅଧିକ ଜଳ ଥାଏ । ଏଥିସହ ପ୍ରଚୁର ମାତ୍ରାରେ ଭିଟାମିନ, ମିନେରାଲ ଓ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ ।
ଲାଉ ଜୁସ୍:
ଅଧିକାଂଶ ଲୋକେ ଲାଉ ଖାଇବାକୁ ପସନ୍ଦ କରିନଥାନ୍ତି । କିନ୍ତୁ ଏହି ସବୁଜ ପରିବା ବ୍ଲଡସୁଗାର ନିୟନ୍ତ୍ରଣ କରିବାରେ ପ୍ରଭାବଶାଳୀ । ଶୀତ ଦିନେ ଡାଇବେଟିସ ରୋଗୀ ଲାଉ ଜୁସ୍ ପିଇପାରିବେ । ଏଥିରେ ସୁଗାର ସ୍ତର ନିୟନ୍ତ୍ରଣ କରାଯାଇପାରେ । ନିୟମିତ ଅଧାରୁ ଗୋଟିଏ ଗ୍ଲାସ ଲାଉ ଜୁସ୍ ପିଇପାରିବେ । ଲାଉରେ ଭିଟାମିନ ସି, କେ, କ୍ୟାଲସିୟମ, ଫାଇବର ଓ ଅନ୍ୟାନ୍ୟ ପୋଷକ ତତ୍ତ୍ବ ରହିଥାଏ ଯାହା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ।
ଟମାଟୋ ଜୁସ୍:
ଟାଇପ୍-2 ଡାଇବେଟିସ୍ ପୀଡିତଙ୍କ ପାଇଁ ଟମାଟୋ ଜୁସ୍ ଉପଯୋଗୀ ହୋଇପାରେ । NIH ଅନୁସାରେ, ଟମାଟୋରେ ପ୍ରଚୁର ମାତ୍ରାରେ ଲିକୋପେନ, ବି-କାରୋଟିନ, ଭିଟାମିନ ସି, ପୋଟାସିୟମ, ଫ୍ଲାଭୋନଏଡ, ଫୋଲେଟ ଓ ଭିଟାମିନ ଇ ରହିଥାଏ ଯାହାକି ଟାଇପ-2 ଡାଇବେଟିସରୁ ରକ୍ଷା କରିପାରେ । ଏହି ଦୃଷ୍ଟିରୁ ଡାଇବେଟିସ ରୋଗୀମାନେ ଟମାଟୋ ଜୁସ୍ ସେବନ କରିବା ଲାଭଦାୟକ ।
ଏହା ମଧ୍ୟ ପଢନ୍ତୁ: ଶରୀରରେ ଏହି 8 ଲକ୍ଷଣ ହୋଇପାରେ ଓରାଲ କ୍ୟାନ୍ସର ଆରମ୍ଭ ଏହା ମଧ୍ୟ ପଢନ୍ତୁ: ଶୀତ ଦିନେ ଖାଆନ୍ତୁ ମୂଳା, ମଧୁମେହ ନିୟନ୍ତ୍ରଣରୁ ନେଇ କ୍ୟାନ୍ସର ଯାଏ... |
(Disclaimer- ଏଠାରେ ଦିଆଯାଇଥିବା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ କୌଣସି ସ୍ବାସ୍ଥ୍ୟ ବିଶେଷଜ୍ଞ କିମ୍ବା ଡାକ୍ତରଙ୍କ ପରାମର୍ଶ ନେବା ଭଲ ।)