କେନ୍ଦୁଝର: ତିନି ଦିନିଆ କେନ୍ଦୁଝର ଗ୍ରସ୍ତରେ ଆସି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାନ୍ତାଳୀ ଭାଷାର ବିକାଶ କରିବା ନେଇ ଘୋଷଣା କରିଛନ୍ତି । ଅଲ ଇଣ୍ଡିଆ ସାନ୍ତାଳୀ ରାଇଟର ଆସୋସିଏସନ କାର୍ଯ୍ୟକ୍ରମରେ ଯୋଗ ଦେଇ 'ସାନ୍ତାଳୀ ଭାଷାର ବିକାଶ ପାଇଁ କାର୍ଯ୍ୟ କରିବି' ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ତିନି ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ
ତିନି ଦିନିଆ କେନ୍ଦୁଝର ଜିଲ୍ଲା ଗ୍ରସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି (ମଙ୍ଗଳବାର) ୧୨ଟାରେ ରାଇସୁଆଁ ଏୟାର ଷ୍ଟ୍ରିପରେ ପହଞ୍ଚି ପ୍ରଥମେ ଅଲ ଇଣ୍ଡିଆ ସାନ୍ତାଳୀ ରାଇଟର ଆସୋସିଏସନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ସ୍ଥଳରେ ପହଁଚିବା ପରେ ତାଙ୍କୁ ଆସୋସିଏସନ୍ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା । କାର୍ଯ୍ୟକ୍ରମରେ ସାନ୍ତାଳୀ ସମ୍ପ୍ରଦାୟର ଉଲ୍ଲେଖନୀୟ ଅବଦାନ ଦେଇଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

'ସାନ୍ତାଳୀ ଭାଷାର ବିକାଶ ପାଇଁ କାର୍ଯ୍ୟ କରିବି'
ଏହି କାର୍ଯ୍ୟକ୍ରମରେ ସାନ୍ତାଳୀ ଭାଷା ଭାରତର ଅନ୍ୟ ଆଦିବାସୀ ଭାଷା ତୁଳନାରେ ଏକ ନମ୍ୱର ସ୍ଥାନ ଅଧିକାର କରିଥିବା ନେଇ ପ୍ରକାଶ କରିଥିଲେ । ସାନ୍ତାଳୀ ଭାଷାଭାଷୀ ଲୋକେ ଦେଶର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଅବସ୍ଥାପିତ ହୋଇଥିବା ବେଳେ ନିଜ ଜାତି ଓ ଭାଷାର ବିକାଶ ପାଇଁ ଆହୁରି କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ ମୁଖ୍ୟମନ୍ତ୍ରୀ । ସାନ୍ତାଳୀ ଭାଷାର ବିକାଶ ପାଇଁ ବାଜପେୟୀ ସରକାରରେ ପ୍ରଥମେ ପ୍ରାଧାନ୍ୟ ଦିଆଯାଇଥିବା ବେଳେ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଭାଷାଭାଷୀ ସମ୍ପ୍ରଦାୟର ବିକାଶ ପାଇଁ ବଦ୍ଧପରିକର ବୋଲି ସଭାରେ ମୁଖ୍ୟମନ୍ତ୍ରୀ କହିଥିଲେ । କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ଼ ଜିଲ୍ଲାରେ ଏହି ସାନ୍ତାଳୀ ସମ୍ପ୍ରଦାୟର ଆଦିବାସୀମାନେ ବସବାସ କରିଥିବା ବେଳେ ଏହି ଜାତିର ଦୀର୍ଘଦିନ ଧରି ବହୁ ଦାବିକୁ ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ସାନ୍ତାଳୀ ସମାଜର ଦାବି ଓ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, "ଏହି ସମାଜର ଭାଷା, ସାହିତ୍ୟକୁ ନେଇ ଯାହା ଯାହା ସମସ୍ୟା ଅଛି ଓ ତାଙ୍କର ଯେଉଁ ସବୁ ବିଭିନ୍ନ ଦାବି ରହିଛି ତାହା ଆଗାମୀ ଦିନରେ ଆଲୋଚନା କରି ଗ୍ରହଣ କରିବା ପାଇଁ ଓ ବିଚାର କରିବା ପାଇଁ ମୁଁ ପ୍ରତିଶ୍ରୁତି ଦେଇଛି । ନିଶ୍ଚିତ ତାଙ୍କୁ ସାହାଯ୍ୟ କରିବି ବୋଲି ତାଙ୍କୁ ପୂର୍ଣ୍ଣ ପ୍ରତିଶ୍ରୁତି ଦେଇଛି ।"

ଆଜିର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିଜ ସାନ୍ତାଳୀ ଭାଷାରେ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସମସ୍ତ ଦର୍ଶକ ବେଶ ଅଭିଭୂତ ହୋଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ମୁକୁନା ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀରେ ଭାଗ ନେଇଥିବା ବେଳେ ପରେ ଏକ ଫୁଟବଲ ମ୍ୟାଚ ଓ କେନ୍ଦୁଝରଗଡ ସରସ୍ଵତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସୂଚୀ:
ସେହିପରି ବୁଧବାର ଦିନ କେନ୍ଦୁଝର ପୁରୁଣା ସହର ନିକଟସ୍ଥ ସିଦ୍ଧମଠକୁ ଯାଇ ଠାକୁର କେଶବଙ୍କ ଆଶ୍ରମରେ ଏକ ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ମଧ୍ୟାହ୍ନ ୧୨ଟା୧୫ ମିନିଟରେ କେନ୍ଦୁଝର ଅଡିଟୋରୟମରେ ସ୍ୱେଚ୍ଛାସେବୀ ସଂସ୍ଥା ଇଣ୍ଡିଆନ ବାୟ ବାର୍ଥ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ସଂଧ୍ୟାରେ ଗୋନାସିକା-କେନ୍ଦୁଝର ମହୋତ୍ସବରେ ଯୋଗ ଦେବେ । ୧୯ତାରିଖ ପୂର୍ବାହ୍ନ ୧୧ଟାରେ ଚମ୍ପୁଆ ମହତାବ ହାଇସ୍କୁଲକୁ ଯାଇ ଏହାର ହୀରକ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ସେ ଅପରାହ୍ନ ୩ଟା୦୫ରେ ରାଇସୁଆଁ ଏଆରଷ୍ଟ୍ରିପକୁ ଯାଇ ଭୁବନେଶ୍ଵର ଫେରିବ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଇଟିଭି ଭାରତ, କେନ୍ଦୁଝର