ହାଇଦ୍ରାବାଦ:ଯେମିତି ଇଞ୍ଜିନକୁ ଚାଲିବା ପାଇଁ ପେଟ୍ରୋଲ ଦରକାର, ସେମିତି କାର୍ଯ୍ୟ କରିବା ପାଇଁ ଆମ ଶରୀରକୁ ଖାଦ୍ୟ ଦରକାର । ସୁସ୍ଥ ଶରୀର ଓ ନିରାମୟ ଜୀବନ ପାଇଁ ଖାଦ୍ୟ ସହ ଉପଯୁକ୍ତ ପୋଷଣ ମିଳିବା ବି ଜରୁରୀ । ଶରୀର ପାଇଁ ପୋଷଣ କେତେ ଜରୁରୀ, ତାହା ଯଦିଓ ସମସ୍ତେ ଜାଣିଛନ୍ତି କିନ୍ତୁ ବିଭିନ୍ନ କାରଣ ଯୋଗୁଁ ଅଧିକାଂଶ ଲୋକେ ବିଶେଷକରି ଶିଶୁମାନେ ପର୍ଯ୍ୟାପ୍ତ ମାତ୍ରାରେ ପୋଷଣ ଗ୍ରହଣ କରିପାରୁନାହାନ୍ତି ଓ କୁପୋଷଣର ଶିକାର ହେଉଛନ୍ତି । ସେହିପରି ଆଜିର ଧାଁ ଦୌଡ ଜୀବନରେ ମଣିଷକୁ ନିଜ ପାଇଁ ଯଥେଷ୍ଟ ସମୟ ମିଳୁନି । କାର୍ଯ୍ୟବ୍ୟସ୍ତତା ବ୍ୟସ୍ତତା ମଧ୍ୟରେ ନିଜ ସ୍ବାସ୍ଥ୍ୟକୁ ଅବହେଳା କରୁଛି । ଏହାକୁ ଦୃଷ୍ଟିରେ ରଖି ଜୀବନରେ ପୋଷଣ ବା ପୁଷ୍ଟିକର ଖାଦ୍ୟର ଗୁରୁତ୍ବପୂର୍ଣ୍ଣ ଭୂମିକା ସମ୍ପର୍କରେ ସଚେତନତା ବୃଦ୍ଧି ନିମନ୍ତେ ପ୍ରତିବର୍ଷ ଭାରତରେ ସେପ୍ଟେମ୍ବର 1ରୁ 7 ତାରିଖ ପର୍ଯ୍ୟନ୍ତ 'ଜାତୀୟ ପୋଷଣ ସପ୍ତାହ' ପାଳନ କରାଯାଏ । ଭାରତ ସରକାର ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ବାରା ଏହି ସଚେତନତା ଅଭିଯାନ ପରିଚାଳିତ ହୁଏ ।
- ଜାତୀୟ ପୋଷଣ ସପ୍ତାହର ଇତିହାସ
ଜାତୀୟ ପୋଷଣ ସପ୍ତାହର ମୂଳ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରତି ଜାଗ୍ରତ କରିବା ତଥା ପୋଷଣର ମହତ୍ତ୍ବ ସମ୍ପର୍କରେ ଜଣାଇବା । ମାର୍ଚ୍ଚ 1975ରେ ଆମେରିକୀୟ ଡାଏଟେଟିକ୍ ଆସୋସିଏସନ୍ ଦ୍ବାରା ପୋଷଣ ଶିକ୍ଷାର ଆବଶ୍ୟକତାତକୁ ଦୃଷ୍ଟିରେ ରଖି ଜନ ସଚେତନତା ବୃଦ୍ଧି ସହିତ ଡାଏଟିସିଆନ୍ ବୃତ୍ତିକୁ ପ୍ରୋତ୍ସାହିତ କରିବା ପାଇଁ 'ଜାତୀୟ ପୋଷଣ ସପ୍ତାହ' ଆରମ୍ଭ ହୋଇଥିଲା । ଏହା ସଫଳ ହେବା ପରେ ଲୋକପ୍ରିୟତା ହାସଲ କରିଥିଲା ଏବଂ ଭାରତ ସହିତ ବିଭିନ୍ନ ଦେଶରେ ପ୍ରତିବର୍ଷ ପାଳନ କରାଗଲା ।
ଭାରତରେ ଜନସାଧାରଣ, ବିଶେଷକରି ପିଲାମାନଙ୍କ ମଧ୍ୟରେ ପୁଷ୍ଟିହୀନତା ହାର ହ୍ରାସ କରିବା ଏବଂ ପୋଷଣ ଗୁରୁତ୍ବ ବାବାଦରେ ଶିକ୍ଷା ଦେବା ଓ ସଚେତନତା ବୃଦ୍ଧି କରିବା ଲକ୍ଷରେ ଭାରତ ସରକାରଙ୍କ ଖାଦ୍ୟ ଓ ପୋଷଣ ବୋର୍ଡ ଦ୍ବାରା 1982 ମସିହାରେ 1 ସେପ୍ଟେମ୍ବରରୁ 7 ସେପ୍ଟେମ୍ବର ପର୍ଯ୍ୟନ୍ତ ଜାତୀୟ ପୋଷଣ ସପ୍ତାହ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଗଲା । ସେବେଠୁ ପ୍ରତିବର୍ଷ ଏହି ସପ୍ତାହ ପାଳନ କରାଯାଏ । ଏହାର ଉଦ୍ଦେଶ୍ୟ ଜନସାଧାରଣଙ୍କ ମଧ୍ୟରେ ପୋଷଣ ଓ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା ବଢାଇବା, ଯାହାକି ଉତ୍ପାଦନ, ଅର୍ଥନୈତିକ ଅଭିବୃଦ୍ଧି ଓ ଜାତୀୟ ବିକାଶ ଉପରେ ଗଭୀର ପ୍ରଭାବ ପକାଇଥାଏ । ଚଳିତ ବର୍ଷର ପୋଷଣ ସପ୍ତାହ ଥିମ୍ ରହିଛି, 'ଆରମ୍ଭରୁ ସଠିକ୍ ଭୋଜନ ଦେବା' ।
- 6 ଆବଶ୍ୟକ ପୋଷକ ତତ୍ତ୍ବ
ଆମ ଶରୀର ପାଇଁ 6ଟି ଆବଶ୍ୟକୀୟ ପୋଷକ ତତ୍ତ୍ବ ହେଲା- ଭିଟାମିନ, ମିନେରାଲ, ପ୍ରୋଟିନ, ଫ୍ୟାଟ, ଜଳ ଓ କାର୍ବୋହାଇଡ୍ରେଟ । ଶରୀରର ସଠିକ୍ କାର୍ଯ୍ୟ ପାଇଁ ଲୋକମାନେ ଖାଦ୍ୟପଦାର୍ଥରୁ ଏହି ପୋଷକ ତତ୍ତ୍ବ ଆବଶ୍ୟକ କରନ୍ତି । ଏହି ପୋଷଣ ତତ୍ତ୍ବକୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇଛି,
ମାଇକ୍ରୋନ୍ୟୁଟ୍ରିଏନ୍ସ: ଶରୀର ପାଇଁ ଏହି ପୋଷକ ତତ୍ତ୍ବର ଆବଶ୍ୟକତା କମ୍ । ମାଇକ୍ରୋନ୍ୟୁଟ୍ରିଏନ୍ସ ଭିଟାମିନ ଓ ମିନେରାଲ ଅଟେ । ଯଦିଓ ଶରୀରକୁ ଏହାର କମ୍ ପରିମାଣ ଆବଶ୍ୟକ କିନ୍ତୁ ଏସବୁ ଅଭାବରେ ସ୍ବାସ୍ଥ୍ୟ ଖରାପ ହୁଏ ।