ଆଜିର ସମୟରେ ଡାଇବେଟିସ ଏକ ସାଧାରଣ ରୋଗ । ଆଧୁନିକ ଜୀବନଶୈଳୀ ଓ ଅନିୟମିତ ଖାଦ୍ୟପେୟ କାରଣରୁ ଏବେ ଏହି ରୋଗ ଯୁବକଠୁ ବୟସ୍କ ପର୍ଯ୍ୟନ୍ତ ସବୁ ଶ୍ରେଣୀର ଲୋକଙ୍କୁ ଗ୍ରାସ କରୁଛି । ବିଳମ୍ବରେ ଶୋଇବା, ଉଠିବା, ଖାଦ୍ୟପେୟରେ ଅନିୟମିତତା, ଅସ୍ବାସ୍ଥ୍ୟକର ଖାଦ୍ୟ ସେବନ, ବ୍ୟାୟାମ ନ କରିବା ଏହି ରୋଗର ପ୍ରମୁଖ କାରଣ । ବିଶେଷଜ୍ଞଙ୍କ ଅନୁସାରେ ଡାଇବେଟିସ ଦୁଇ ପ୍ରକାରର ଟାଇପ-1 ଓ ଟାଇପ-2 । ଟାଇପ-1 ବିଶେଷଭାବେ ଆନୁବଂଶିକ ହୋଇଥାଏ ଏବଂ ପିଲାଙ୍କ ମଧ୍ୟରେ ଅଧିକ ଦେଖାଯାଏ । ଟାଇପ୍-2 ସାଧାରଣତଃ 45 ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ହୋଇଥାଏ । ଏବେ 30 ବର୍ଷରୁ କମ୍ ଯୁବଗୋଷ୍ଠୀ ମଧ୍ୟ ଏହାର ଶିକାର ପାଲଟୁଛନ୍ତି ।
ଔଷଧ ସେବନ, ବ୍ୟାୟାମ ଓ ଜୀବନଶୈଳୀରେ ପରିବର୍ତ୍ତନ କରି ଡାଇବେଟିସ ନିୟନ୍ତ୍ରଣ କରାଯାଇପାରେ । ମୁଖ୍ୟତଃ ଖାଦ୍ୟପେୟର ପରିବର୍ତ୍ତନ ବ୍ଲଡସୁଗାର ସ୍ତର ସ୍ଥିର ରଖିବାରେ ସାହାଯ୍ୟ କରେ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଖାଦ୍ୟର ସ୍ବାଦ ବଢାଉଥିବା ଲାଲ ଲଙ୍କା ବ୍ଲଡସୁଗାର କମାଇବାରେ ଉପଯୋଗୀ ହୋଇଥାଏ ।
ଲାଲ ଲଙ୍କା ବ୍ଲଡସୁଗାର କଣ୍ଟ୍ରୋଲ:
ଲାଲ ଲଙ୍କାରେ କାପ୍ସାଇସିନ ଥାଏ ଯାହା ବ୍ଲଡସୁଗାର ନିୟନ୍ତ୍ରଣରେ ସାହାଯ୍ୟ କରେ । ଏକ ଅଧ୍ୟୟନରୁ ଜଣାପଡିଛି, କାପ୍ସାଇସିନ କୋଷିକାରେ ଗ୍ଲୁକୋଜ ଅବଶୋଷଣକୁ ବଢାଇ ମେଟାବୋଲିଜିମ ନିୟନ୍ତ୍ରିତ କରିବା ଓ ବ୍ଲଡସୁଗାରକୁ କମ୍ କରିବାରେ ସାହାଯ୍ୟ କରିଥାଏ । ନ୍ୟାସନାଲ ଲାଇବ୍ରେରୀ ଅଫ ମେଡିସିନରେ ପ୍ରକାଶିତ ଏକ ଆର୍ଟିକିଲରେ ଏହି ଅଧ୍ୟୟନ ଉଲ୍ଲେଖ କରାଯାଇଛି ।
ଲାଲ ଲଙ୍କା ପଲିଫେନୋଲ ନାମକ ଆଣ୍ଟିଅକ୍ସିଡାଣ୍ଟ ଭରପୂର ହୋଇଥାଏ ଯାହା ସେଲ ଡ୍ୟାମେଜ ରୋକିଥାଏ । ଲଙ୍କାରେ ଭିଟାମିନ ଏ, ସି, ଇ ଓ ବି6 ସହିତ ମାଙ୍ଗାନିଜ, କପର, ଜିଙ୍କ, ଆଇରନ, ଫରଫରସ ଓ ମ୍ୟାଗ୍ନେସିୟମ ଭଳି ମିନେରାଲ ରହିଛି । ସାଧାରଣତଃ ଖାଦ୍ୟର ସ୍ବାଦ ବୃଦ୍ଧି ପାଇଁ ଲଙ୍କାକୁ ମସାଲା ରୂପେ ବ୍ୟବହାର କରାଯାଏ । ଏଥିରେ ଥିବା ଯୌଗିକ କାପ୍ସାଇସିନ ଯନ୍ତ୍ରଣା ଉପଶମ (ଏନାଲଜେସିଆ) ପାଇଁ ଉପଯୋଗ କରାଯାଏ ।
ଲଙ୍କା ଖାଇବାର ସ୍ବାସ୍ଥ୍ୟଗତ ଲାଭ:
- ଓଜନ ନିୟନ୍ତ୍ରଣରେ ସାହାଯ୍ୟ କରେ
- ହୃଦୟ ସ୍ବାସ୍ଥ୍ୟ ଭଲ ରଖେ
- ରକ୍ତଚାପ ନିୟନ୍ତ୍ରଣରେ ସହାୟକ ହୁଏ
- ମୁଣ୍ଡବିନ୍ଧାରୁ ଉପଶମ ଦିଏ
- ଦୃଷ୍ଟିଶକ୍ତି ଉନ୍ନତ କରେ
- ହଜମ ପ୍ରକ୍ରିୟା ଠିକ୍ ରଖେ
- ପ୍ରତିରକ୍ଷା ପ୍ରଣାଳୀ ସୁଦୃଢ କରେ
- ତ୍ବଚା ଓ କେଶକୁ ସୁସ୍ଥ ରଖିପାରେ
- ଦାନ୍ତ ଯନ୍ତ୍ରଣା କମାଏ
ଏହା ମଧ୍ୟ ପଢନ୍ତୁ: ଚୀନରେ ନୂଆ ଭୂତାଣୁ ଆତଙ୍କ: ବ୍ୟାପୁଛି ସଂକ୍ରମଣ, ହସ୍ପିଟାଲ ମିଳୁନି ଜାଗା - HMPV OUTBREAK IN CHINA
ଏହା ମଧ୍ୟ ପଢନ୍ତୁ: ଗରମ ପାଣିରେ ଅଦା ମିଶାଇ ପିଅନ୍ତୁ, ଦେଖନ୍ତୁ ବଡ ଫାଇଦା
(Disclaimer- ଏଠାରେ ଦିଆଯାଇଥିବା ସମସ୍ତ ସୂଚନା ଓ ପରାମର୍ଶ କେବଳ ଆପଣଙ୍କ ଜାଣିବା ପାଇଁ । ଏହି ସୂଚନା ବୈଜ୍ଞାନିକ ଅନୁସନ୍ଧାନ, ଅଧ୍ୟୟନ, ଚିକିତ୍ସା ଓ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଆଧାରିତ । ତଥାପି ଏହା ଉପରେ ବିଚାର କରିବା ପୂର୍ବରୁ ନିଜ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।)