ହାଇଦ୍ରାବାଦ:ଆଉ କିଛିଦିନ ପରେ ଆରମ୍ଭ ହେବ ଶ୍ରାବଣ ମାସ । ଏହା ହରହର ମହାଦେବଙ୍କ ପ୍ରିୟ ମାସ । ଶ୍ରାବଣ ମାସର ସୋମବାର ସବୁଠାରେ ପବିତ୍ର ହୋଇଥାଏ । ଯଦି ଏହିଦିନ ଘରକୁ କିଛି ଶୁଭ ଫଳ ପ୍ରଦାନ କରୁଥିବା ଜିନିଷ ଅଣାଯାଏ ତେବେ ଭଗବାନ ଶଙ୍କରଙ୍କ କୃପା ହେବା ସହ ଦୁଃଖ କଷ୍ଟ ଦୂର ହୋଇ ଘର ସୁଖ ସମୃଦ୍ଧିରେ ପରିପୂର୍ଣ୍ଣ ହୋଇଥାଏ । ଚଳିତ ବର୍ଷ ଶ୍ରାବଣ ମାସ ଆସନ୍ତା ୨୨ ତାରିଖ ସୋମବାରରୁ ହିଁ ଆରମ୍ଭ ହେଉଛି । ତେବେ ଆସନ୍ତୁ ଜାଣିବା ଏହି ଦିନ ଘରକୁ କେଉଁ ସବୁ ଜିନିଷ ଆଣିବା ଶୁଭ ହୋଇଥାଏ ।
ଗଙ୍ଗାଜଳ: ଗଙ୍ଗାଜଳକୁ ସନାତନ ଧର୍ମରେ ସବୁଠାରୁ ଶୁଦ୍ଧ ବୋଲି ମନାଯାଏ । ଭଗବାନ ଶଙ୍କର ତାଙ୍କ ଜଟାରେ ମା' ଗଙ୍ଗାଙ୍କୁ ଧାରଣ କରିଛନ୍ତି । ଶ୍ରାବଣ ମାସରେ ଗଙ୍ଗାଜଳ ଘରକୁ ଆଣିବା ଓ ଗଙ୍ଗାଜଳରେ ସ୍ନାନ କରିବା ଦ୍ବାରା ପୂଣ୍ୟଲାଭ ହୋଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ, ଯଦି ଶ୍ରାବଣ ମାସ ସୋମବାର ଦିନ ଗଙ୍ଗାଜଳ ଆଣି ଏହାକୁ ରୋଷେଇଘରର ଏକ ସଫା ସ୍ଥାନରେ ରଖାଯାଏ ତେବେ ଘରେ ସୌଭାଗ୍ୟ ବୃଦ୍ଧି ହୋଇଥାଏ ।
ରୁଦ୍ରାକ୍ଷ:ମହାଦେବଙ୍କୁ ଅଶ୍ରୁରୁ ରୁଦ୍ରାକ୍ଷର ଉତ୍ପତି ହୋଇଛି । ତେଣୁ ରୁଦ୍ରାକ୍ଷ ଅତ୍ୟନ୍ତ ଶୁଭ ବୋଲି ବିଶ୍ବାସ କରାଯାଏ । ରୁଦ୍ରାକ୍ଷ ଅନେକ ପ୍ରକାରର ଥାଏ । ତେବେ ଶ୍ରାବଣ ମାସରେ ରୁଦ୍ରାକ୍ଷ ଧାରଣ କରିବା କିମ୍ବା ଏହାକୁ ଘରକୁ ଆଣିବା ଶୁଭ ହୋଇଥାଏ । ଶ୍ରାବଣ ମାସରେ ନୀତିନିୟମ ଅନୁସାରେ ରୁଦ୍ରାକ୍ଷ ପିନ୍ଧିବା ଉଚିତ । ରୁଦ୍ରାକ୍ଷ ଘରକୁ ଆଣିଲେ ଆର୍ଥିକ ସ୍ଥିତି ସୁଦୃଢ ହେବା ସହ ବୌବାହିକ ଜୀବନ ସୁଖମୟ ହୋଇଯାଏ । ଏହାସହ ରୋଗବ୍ୟାଧି ଦୂର ହେବା ସହ ଘରୁ ନକରାତ୍ମକ ଶକ୍ତିର ପ୍ରଭାବ ହ୍ରାସ ହୋଇଥାଏ ।
ତୁଳସୀ ଗଛ:ଯଦି ଆପଣଙ୍କ ଘରେ ତୁଳସୀ ଗଛ ନାହିଁ ଏବଂ ଆପଣ ଘରକୁ ତୁଳସୀ ଗଛ ଆଣିବା ପାଇଁ ଚାହୁଁଛନ୍ତି ତେବେ ଶ୍ରାବଣ ମାସ ସୋମବାର ଏଥିପାଇଁ ସବୁଠାରୁ ଭଲଦିନ । ଶ୍ରାବଣ ମାସରେ ଘର ଅଗଣାର ଉତ୍ତର ଦିଗରେ ତୁଳସୀ ଗଛ ଲଗାନ୍ତୁ । ଏହା ଦ୍ବାରା ବିବାହ ସମ୍ବନ୍ଧିୟ ଆସୁଥିବା ବାଧା ଦୂର ହୋଇଥାଏ ।