ହାଇଦ୍ରାବାଦ:ବଲିଉଡ ଲୋକପ୍ରିୟ ଦମ୍ପତି ରଣଭୀର ସିଂ ଏବଂ ଦୀପିକା ପାଦୁକୋନ ଖୁବଶୀଘ୍ର ମାତାପିତା ହେବାକୁ ଯାଉଛନ୍ତି । ଏହି ଦମ୍ପତି ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ । ଏହାରି ମଧ୍ୟରେ ଆଉ ଜଣେ ଦମ୍ପତି ଗୁଡ ନ୍ୟୁଜ ଦେବେ ବୋଲି ଚର୍ଚ୍ଚା ଜୋର ଧରିଛି । ସେହି ଦମ୍ପତି ହେଲେ ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ । ଅନେକ ଦିନରୁ କ୍ୟାଟ୍ରିନା କୈଫ ଗର୍ଭବତୀ ଥିବା ଖବର ସାମ୍ନାକୁ ଆସିଛି । ଆଜି କ୍ୟାଟ୍ରିନା କୈଫଙ୍କ ଜନ୍ମଦିନ ଅବସରରେ ଏହି ଦମ୍ପତି ଖୁସି ଖବର ଦେବେ ବୋଲି ଆଶା କରାଯାଉଛି । ଏହାରି ମଧ୍ୟରେ ବର୍ତ୍ତମାନ କ୍ୟାଟ୍ରିନାଙ୍କ ପ୍ରେଗନ୍ସି ନେଇ ବର୍ତ୍ତମାନ ମୁହଁ ଖୋଲିଛନ୍ତି ସ୍ୱାମୀ ବିକି ।
ବାପା ହେବା ଖବର ଉପରେ ବିକିଙ୍କ ପ୍ରତିକ୍ରିୟା
ନିକଟରେ ଏକ ପ୍ରମୋସନାଲ ଇଭେଣ୍ଟରେ ବାପା ହେବା ଖବର ଉପରେ ପ୍ରତିକ୍ରିୟା ଦେଇଛନ୍ତି ବିକି କୌଶଲ । ଏହି ସମୟରେ ଜୁଲାଇ ୧୬ରେ କ୍ୟାଟ୍ରିନାଙ୍କ ଜନ୍ମଦିନ ପାଳନ କରିବାକୁ ସେମାନଙ୍କର ଯୋଜନା ଏବଂ କୌଣସି "ଗୁଡ୍ ନ୍ୟୁଜ୍" ଖବର ଦେବା ବିଷୟରେ ପଚରାଗଲା । ଏହି ପ୍ରଶ୍ନରେ ବିକି ଉତ୍ତର ଦେଇ କହିଛନ୍ତି," ଧନ୍ୟବାଦ! ଏହା ଏକ ବିଶେଷ ଦିନ । ଏକତ୍ର କିଛି ସମୟ ବିତାଇବାକୁ ଯୋଜନା କରିଛୁ । କିନ୍ତୁ କ୍ୟାଟ୍ରିନା ମାଆ ହେବା ଖବରରେ କୌଣସି ସତ୍ୟତା ନାହିଁ । ଏହା କେବଳ କଳ୍ପନାଜଳ୍ପନା ଏବଂ ରୁମର ଅଟେ । ଯଦି ଏବଳି ଘଟେ । ମୁଁ ଆପଣଙ୍କ ସହ ଏହି ଗୁଡ୍ ନ୍ୟୁଜ ସେୟାର କରି ବେଶ ଖୁସି ହେବି। ସେପର୍ଯ୍ୟନ୍ତ 'ବ୍ୟାଡ ନ୍ୟୁଜ' ଉପଭୋଗ କରନ୍ତୁ। ଚଳଚ୍ଚିତ୍ରରେ ବହୁତ ଭଲ ଉକ୍ତି ଅଛି - 'ଓ ବ୍ୟକ୍ତିଗତ ହୁଅ ନାହିଁ ।''
ସୂଚନା ଥାଉ କି, ଶୁକ୍ରବାର ଦିନ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହରେ କ୍ୟାଟ୍ରିନାଙ୍କୁ ବିକି କୌଶଲଙ୍କ ସହ ଦେଖିବାକୁ ମିଳିଥିଲା । ସୁନା ଅଳଙ୍କାର ସହ ସେ ଏକ ଲାଲ୍ ଶାଢୀରେ ନଜର ଆସିଥିଲେ । ଏହି ଦମ୍ପତିଙ୍କ ଭିଡିଓ ଭାଇରାଲ ହୋଇଥିଲା । ଯାହା ପରେ ଲୋକେ କ୍ୟାଟ୍ରିନାଙ୍କ ଗର୍ଭଧାରଣ ବିଷୟରେ କଳ୍ପନା କରିବା ଆରମ୍ଭ କରିଥିଲେ ।