ହାଇଦ୍ରାବାଦ:ଗୁରୁବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନର ଦରବାର ହଲରେ ଆୟୋଜିତ ଏକ ସମାରୋହରେ ୬୭ ବର୍ଷୀୟ ଅଭିନେତା ଚିରଞ୍ଜୀବୀ ଓ ୯୦ ବର୍ଷୀୟା ଭେଟେରାନ ଅଭିନେତ୍ରୀ ବୈଜୟନ୍ତୀମାଳାଙ୍କ ସିନେମା କ୍ଷେତ୍ରରେ ଉଚ୍ଚକୋଟୀର ଅବଦାନ ପାଇଁ ସେମାନଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ତେବେ ସମ୍ମାନରେ ସମ୍ମାନିତ ହେବା ପରେ ଅଭିନେତା ସୋସିଆଲ ମିଡିଆ ଜରିଆରେ ଫ୍ୟାନ୍ସ ସମେତ କଳାକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେପଟେ ପରିବାର ସମେତ ଫ୍ୟାନ୍ସ ତାଙ୍କୁ ଶୁଭକାମନା ଜଣାଇଛନ୍ତି ।
କୃତଜ୍ଞତା ଜଣାଇଲେ ଚିରଞ୍ଜୀବୀ
ଏକ୍ସରେ ଚିରଞ୍ଜୀବୀ ଏକ ପୋଷ୍ଟ ସେୟାର କରି କୃତଜ୍ଞତା ଜଣାଇଛନ୍ତି । ସେ ଲେଖିଛନ୍ତି, ''ପଦ୍ମଭୂଷଣ ପୁରସ୍କାର ପାଇ ମୁଁ ଅତ୍ୟନ୍ତ ଖୁସି । ମୋତେ ଏହି ପୁରସ୍କାର ଦେଇଥିବାରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଉଛି ଏବଂ ସେହି କଳାକାରମାନଙ୍କୁ ଯେଉଁମାନେ ମୋତେ କଳା କ୍ଷେତ୍ରରେ ସମର୍ଥନ କରିଥିଲେ, ଯେଉଁମାନେ ମୋତେ ଏତେ ଭଲ ପାଇବା ଦେଇଛନ୍ତି ମୁଁ ସେହିମାନଙ୍କୁ ମଧ୍ୟ କୃତଜ୍ଞତା ଜଣାଉଛି ।''
ଚିରଞ୍ଜୀବୀଙ୍କୁ ଶୁଭେଚ୍ଛା ଜଣାଇଲେ ଅଲ୍ଲୁ-ରାମ
ସେପଟେ ଏହି ସମ୍ମାନ ପାଇବା ପରେ ଚିରଞ୍ଜୀବୀଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ । ପରିବାର ସମେତ ଫ୍ୟାନ୍ସ ଏବଂ ସେଲିବ୍ରିଟି ଅଭିନେତାଙ୍କୁ ଶୁଭକାମନା ଜଣାଇଛନ୍ତି । ପୁଅ ରାମଚରଣଙ୍କ ଠାରୁ ଆରମ୍ଭ କରି ଉପାସନା, ଅଲ୍ଲୁ ଅର୍ଜୁନ ସମସ୍ତେ ଚିରଞ୍ଜୀବୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାମଚରଣ ନିଜ ଇନଷ୍ଟାଗ୍ରାମରେ ବାପା ଚିରଞ୍ଜୀବୀଙ୍କ ସହ ଏକ ଫଟୋ ସେୟାର କରି ଲେଖିଛନ୍ତି, ''ଶୁଭେଚ୍ଛା ବାପା । ଆମେ ଆପଣଙ୍କ ପାଇଁ ଗର୍ବିତ ।'' ସେପଟେ ସାଉଥ ଷ୍ଟାର ଅଲ୍ଲୁ ଅର୍ଜୁନ ମଧ୍ୟ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ''ପଦ୍ମ ବିଭୂଷଣରେ ସମ୍ମାନିତ ହୋଇଥିବାରୁ ଚିରଞ୍ଜୀବୀ ଜୀଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ, ଏହି ମୁହୂର୍ତ୍ତ ଆମ ସମସ୍ତଙ୍କ ପାଇଁ ଗର୍ବର ମୁହୂର୍ତ୍ତ ଏବଂ ଆମକୁ ଗର୍ବିତ କରିଥିବାରୁ ଧନ୍ୟବାଦ ।''
ଏହା ମଧ୍ୟ ପଢନ୍ତୁ:ଅଭିନେତା ଚିରଞ୍ଜୀବୀ ଓ ବୈଜୟନ୍ତୀମାଳାଙ୍କୁ ପଦ୍ମ ବିଭୂଷଣ ସମ୍ମାନ
ପୂର୍ବରୁ ଏହି ପୁରସ୍କାର ବି ନିଜ ନାଁରେ କରିଛନ୍ତି ଚିରଞ୍ଜୀବୀ
ସୂଚନା ଥାଉ କି, ଏହା ପୂର୍ବରୁ ମଧ୍ୟ ସେ ପଦ୍ମ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ଚିରଞ୍ଜୀବୀ ୨୦୦୬ରେ ପଦ୍ମ ଭୂଷଣ ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ତାଙ୍କୁ ପୁଣି ପଦ୍ମ ବିଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଛି । ଚିରଞ୍ଜୀବୀ ହିନ୍ଦୀ ଭାଷା ସମେତ ତେଲୁଗୁ, ତାମିଲ ଏବଂ କନ୍ନଡ ଭଳି ଅନେକ ଚଳଚ୍ଚିତ୍ରରେ ଚମତ୍କାର ଅଭିନୟରେ ଦର୍ଶକଙ୍କ ମନରେ ରାଜ କରିଆସିଛନ୍ତି ମେଗାଷ୍ଟାର ଚିରଞ୍ଜୀବୀ । ଏହି ଅଭିନେତା ପଦ୍ମ ସମ୍ମାନ ବ୍ୟତୀତ ସମ୍ମାନଜନକ ରଘୁପତି ଭେଙ୍କୟା ପୁରସ୍କାର, ତିନୋଟି ନନ୍ଦୀ ପୁରସ୍କାର ଏବଂ ନଅଟି ଫିଲ୍ମଫେୟାର ପୁରସ୍କାର ମଧ୍ୟ ପାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ