ନୂଆଦିଲ୍ଲୀ:ଅଶ୍ଲୀଳ ବିଷୟବସ୍ତୁ/କଣ୍ଟେଣ୍ଟ ପ୍ରଦର୍ଶିତ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ଉପରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ବଡ କାର୍ଯ୍ୟାନୁଷ୍ଠାନ । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଅନେକ ଚେତାବନୀ ପରେ ବି ଆପତ୍ତିଜନକ ବିଷୟବସ୍ତୁ ପ୍ରସାରିତ କରିବା ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦେଶର ୧୮ଟି ଓଟିଟି ପ୍ଲାଟଫର୍ମ, ୧୯ଟି ୱେବସାଇଟ୍, ୧୦ଟି ଆପ୍ ଏବଂ ୫୭ଟି ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ ଉପରେ ପ୍ରତିବନ୍ଧକ ଲଗାଇଛି କେନ୍ଦ୍ର ।
ଏହି ପ୍ଲାଟଫର୍ମଗୁଡିକ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ, ଭାରତୀୟ ଦଣ୍ଡ ସଂହିତା ଏବଂ ମହିଳାମାନଙ୍କର ଅଶ୍ଳୀଳ ପ୍ରତିନିଧିତା (ନିଷେଧ) ଆଇନର ନିୟମ ଉଲ୍ଲଂଘନ କରିଥିଲେ । ଏହି ସମସ୍ତ ପ୍ଲାଟଫର୍ମଗୁଡିକ ଆପତ୍ତିଜନକ ବିଷୟବସ୍ତୁ ସୃଷ୍ଟି କରିଥିବା ବେଳେ ଯାହାକୁ ନେଇ ବର୍ତ୍ତମାନ ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କେନ୍ଦ୍ର । ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ, ୨୦୦୦ ଅନୁଯାୟୀ ଭାରତ ସରକାରଙ୍କ ସଂପୃକ୍ତ ମନ୍ତ୍ରଣାଳୟ ଏବଂ ଗଣମାଧ୍ୟମ, ମନୋରଞ୍ଜନ, ମହିଳା ଅଧିକାର ଏବଂ ଶିଶୁ ଅଧିକାର କ୍ଷେତ୍ରରେ ବିଶେଷଜ୍ଞଙ୍କ ସହ ପରାମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଛି ।
ଆପତ୍ତିଜନକ ପ୍ଲାଟଫର୍ମ
ନିଷେଦ୍ଧ କରାଯାଇଥିବା ଓଟିଟି ପ୍ଲାଟଫର୍ମ ସହ ଅନେକ ୱେବସାଇଟ୍ ଏବଂ ମୋବାଇଲ୍ ଆପ୍ଲିକେସନ୍ ରହିଛି ଯେଉଁଥିରେ ଡ୍ରିମ୍ସ ଫିଲ୍ମସ୍, ୱୋଭି ଏବଂ ୟେସମା ପରି ବଡ ନାମ ଅନ୍ତର୍ଭୁକ୍ତ । ଏହି ପ୍ଲାଟଫର୍ମଗୁଡିକରେ ଏପରି ବିଷୟବସ୍ତୁ/କଣ୍ଟେଣ୍ଟ ପ୍ରଦାନ କରିଥିଲା ଯାହା କେବଳ ଆପତ୍ତିଜନକ ନୁହେଁ ବରଂ ମହିଳାମାନଙ୍କୁ ଅପମାନିତ କରିଥିଲା ।
ଏହା ମଧ୍ୟ ପଢନ୍ତୁ:ଡିପଫେକକୁ ନେଇ ସୋସିଆଲ ମିଡିଆକୁ କେନ୍ଦ୍ରର ଆଡଭାଇଜରୀ, 7ଦିନ ଭିତରେ ଏହି ରିପୋର୍ଟ ଦେବାକୁ ନିର୍ଦ୍ଦେଶ
କେଉଁ ପ୍ଲାଟଫର୍ମଗୁଡିକ ନିଷେଧ ହୋଇଛି?
ଡ୍ରିମ୍ସ ଫିଲ୍ମସ, ୱୁଭି, ୟେଶମା, ଅନକଟ ଆଡ୍ଡା, ଟ୍ରି ପ୍ଲିକ୍ସ, ଏକ୍ସ ପ୍ରାଇମ, ନିଓନ ଏକ୍ସ ଭିଆପି, ବେସରମସ, ହଣ୍ଟର୍ସ, ରାବିଟ, ଏକ୍ସଟ୍ରାମୁଡ, ନ୍ୟୁଫ୍ଲିକ୍ସ, ମୁଡ୍ସ, ମୋଜଫ୍ଲିକ୍ସ, ହଟ ସଟ୍ସ ଭିଆପି, ଫୁଗି, ଚିକୋଫ୍ଲିକ୍ସ, ପ୍ରାଇମ ପ୍ଲେ ଇତ୍ୟାଦି । ଉଲ୍ଲେଖଯୋଗ୍ୟ, ଗୋଟିଏ ଓଟିଟି ଆପ ୧ କୋଟିରୁ ଅଧିକ ଡାଉନଲୋଡ ଲାଭ କରିଥିବାବେଳେ ଗୁଗୁଲ୍ ପ୍ଲେ ଷ୍ଟୋରରେ ଅନ୍ୟ ଦୁଇଟିର ୫୦ ଲକ୍ଷରୁ ଅଧିକ ଡାଉନଲୋଡ୍ ରହିଥିଲା । ଏହି ପ୍ଲାଟଫର୍ମଗୁଡିକ ଫେସବୁକ୍, ଇନଷ୍ଟାଗ୍ରାମ, ଏକ୍ସ (ପୂର୍ବରୁ ଟ୍ୱିଟର) ଏବଂ ୟୁଟ୍ୟୁବ୍ ଭଳି ପ୍ଲାଟଫର୍ମରେ ୩୨ ଲକ୍ଷରୁ ଅଧିକ ୟୁଜର୍ସ ଏବଂ ଫୋଲର୍ସଙ୍କ ସହ ସୋସିଆଲ ମିଡିଆକୁ ବହୁଳ ଭାବରେ ବ୍ୟବହାର କରିଥିଲେ ।