ହାଇଦ୍ରାବାଦ: ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ 'ଫାଇଟର' କାଲି(ଜାନୁଆରୀ ୨୫)ରେ ରିଲିଜ ହେବ । ଫିଲ୍ମକୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ନିର୍ମାତା ଏବଂ ଫ୍ୟାନ୍ସଙ୍କୁ ଝଟକା ମିଳିଛି । ରିଲିଜର ଦିନକ ପୂର୍ବରୁ ଏହି ଫିଲ୍ମକୁ କିଛି ସ୍ଥାନରେ ବ୍ୟାନ କରାଯାଇଛି । ୟୁଏଇକୁ ଛାଡି ସମସ୍ତ ଗଲ୍ଫ ଦେଶରେ ଏହି ଫିଲ୍ମକୁ ବ୍ୟାନ କରାଯାଇଛି ।
ଗଲ୍ଫ ଦେଶଗୁଡିକରେ 'ଫାଇଟର' ରିଲିଜ କାହିଁକି ବନ୍ଦ କରାଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସୂଚନାନୁସାରେ, ୟୁଏଇ ବ୍ୟତୀତ ସମସ୍ତ ଗଲ୍ଫ ଦେଶରେ ଏହି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହି ଚଳଚ୍ଚିତ୍ରଟି ୟୁଏଇରେ PG15 ବର୍ଗୀକରଣ ସହ ମୁକ୍ତିଲାଭ କରିବ । ସେପଟେ ଏହି ଫିଲ୍ମ ବ୍ୟାନ ନେଇ ନିର୍ମାତାଙ୍କ ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ମିଡିଆ ରିପୋର୍ଟ ଅନୁସାରେ, ଜାନୁଆରୀ ୧୦ରେ, 'ଫାଇଟର' ଜିସିସି ସେନ୍ସର ବୋର୍ଡ ପାସ କରିବାରେ ବିଫଳ ହୋଇଥିଲା । ଏଥିସହ, ଜାନୁୟାରୀ ୨୩ରେ, ଜିସିସି ସେନ୍ସର ବୋର୍ଡ ଫିଲ୍ମ 'ଫାଇଟର'କୁ ଗଲ୍ଫ ଦେଶରେ ମୁକ୍ତିଲାଭ କରିବାକୁ ବାରଣ କରିଥିଲା । ଅନ୍ୟପଟେ ଟ୍ରେଲରରେ ଦେଖିବାକୁ ମିଳିଛି ଯେ ଫିଲ୍ମଟି POK (ପାକିସ୍ତାନ ଅକ୍ତିଆର କାଶ୍ମୀର) ଉପରେ ଧ୍ୟାନ ଦିଆଯାଇଛି । ଯେଉଁଥିପାଇଁ ଫିଲ୍ମକୁ ବିରୋଧ କରାଯାଇଥିବା ଅନୁମାନ କରାଯାଉଛି । ବର୍ତ୍ତମାନ ଫିଲ୍ମ ଉପରେ ନିଷେଧାଦେଶର ପ୍ରକୃତ କାରଣ ଜଣାପଡିନାହିଁ, କିନ୍ତୁ ସୋସିଆଲ ମିଡିଆରେ ଏହି ଘଟଣାକୁ ନେଟିଜେନ୍ସମାନେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖରାପ ସମ୍ପର୍କ ସହ ଯୋଡିଛନ୍ତି ।
ଏହା ମଧ୍ୟ ପଢନ୍ତୁ:'ଫାଇଟର'ର ଦମଦାର ଟ୍ରେଲର ରିଲିଜ, ଦେଖିବାକୁ ମିଳିଲା ବାୟୁସେନାଙ୍କ ସାହାସ ଓ ବଳିଦାନର ଝଲକ
ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଏରିୟଲ ଆକ୍ସନ ଫିଲ୍ମର କାହାଣୀ ଭାରତୀୟ ବାୟୁସେନା ଯୁଦ୍ଧ ବିମାନ ପାଇଲଟଙ୍କ ଉପରେ ଆଧାରିତ । ଭିଆକମ୍ 18 ଷ୍ଟୁଡିଓ ଏବଂ ମାର୍ଫ୍ଲିକ୍ସ ପିକ୍ଚର୍ସ ଦ୍ୱାରା ଏହି ଚଳଚ୍ଚିତ୍ରଟି ପ୍ରସ୍ତୁତ କରାଯାଇଛି । ଏହି ଫିଲ୍ମରେ ଦୀପିକା ପାଦୁକୋନ, ହ୍ରିତିକ ରୋଶନ, ସୁନୀଲ ଗ୍ରୋଭର ଏବଂ ଅନୀଲ କପୁର, ଅକ୍ଷୟ ଅବରୋଏ ନଜର ଆସିବେ । ତେବେ ଦୀପିକା, ଅନୀଲଙ୍କ ସହ ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିବେ ହ୍ରିତିକ । ତେବେ ଏହି ଫିଲ୍ମ ଦେଶଭକ୍ତି ଉପରେ ଆଧାରିତ ହୋଇଥିବା ବେଳେ ଜାନୁଆରୀ ୨୬ ଅବସରରେ ରିଲିଜ ହେବ ।