ଭୁବନେଶ୍ୱର/କଟକ:ବିବାଦରେ ଓଲିଉଡ କୁଇନ ରିୟା ଦେ । ଘରୋଇ ସହାୟିକାଙ୍କୁ ନିର୍ଯାତନା ଦେବା ଅଭିଯୋଗ । ଘରେ କାମ କରାଇବା ସହ ପଇସା ନ ଦେଇ ଘରୋଇ ସହାୟିକାଙ୍କୁ ରିୟା ଏବଂ ତାଙ୍କ ସ୍ୱାମୀ ସୁନୀଲ ନିର୍ଯାତନା ଦେଇଥବା ଅଭିଯୋଗ ହୋଇଛି । ଅଭିଯୋଗ ଆଧାର କରି ଅଭିନେତ୍ରୀ ଏବଂ ତାଙ୍କ ସ୍ୱାମୀଙ୍କ ନାଁରେ ମାମଲା ରୁଜୁ ହୋଇଛି । ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ ଘରୋଇ ସହାୟିକା । ତେବେ ରିୟା କଟକର ହୋଇଥିବାରୁ ବର୍ତ୍ତମାନ ଚନ୍ଦ୍ରଶେଖରପୁର ଥାନାରୁ ମାମଲାଟି ବିଡାନାସି ଥାନାକୁ ସ୍ଥାନାନ୍ତର କରାଯାଇଛି । ସେପଟେ ମାମଲାର ତଦନ୍ତ ମଧ୍ୟ ଆରମ୍ଭ କରିଛି ପୋଲିସ ।
ସୂଚନା ଅନୁସାରେ, ଘରୋଇ ସହାୟିକା ଜଣକ ଅଭିନେତ୍ରୀ ରିୟା ଦେ ତାଙ୍କୁ କାମରେ ଲଗାଇ ତାଙ୍କର ପାରିଶ୍ରମିକ ନ ଦେଇ ନିର୍ଯାତନା ଦେଇଥବା ଅଭିଯୋଗ କରିଛନ୍ତି । ଏନେଇ ସେ ଚନ୍ଦ୍ରଶେଖରପୁର ଥାନାରେ ମଙ୍ଗଳବାର ମାମଲା ରୁଜୁ କରିଛନ୍ତି ଏବଂ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସକୁ ଜଣାଇଛନ୍ତି । ଅଭିଯୋଗକାରିଣୀ ଅଭିଯୋଗରେ ଏହା ଦର୍ଶାଇଛନ୍ତି ଯେ, ରିୟା ତାଙ୍କୁ ମାନସିକ ଏବଂ ଶାରିରୀକ ନିର୍ଯାତନା ଦେଇ ପାରିଶ୍ରମିକ ଦେଇନଥିବା ଉଲ୍ଲେଖ କରିଛନ୍ତି ।
ଘରୋଇ ସହାୟିକାଙ୍କ କହିବା ଅନୁସାରେ, ସେ ସମ୍ବଲପୁର ନାକଟିଦେଉଳ ଅଞ୍ଚଳର । ପରିବାରରେ ତିନି ଭଉଣୀ ଓ ମା’ ଓ ବାପା ରୁହନ୍ତି । ଆର୍ଥିକ ଅନଟନ ଯୋଗୁଁ ଅନେକ ସମସ୍ୟାରେ ଗତି କରୁଥିଲେ । ତାଙ୍କର ଗାଁର ଜଣେ ଭଉଣୀ ଯୋଗାଯୋଗ କରି ରିୟାଙ୍କ ଘରେ କମ କରିବାକୁ ନେଇଥିଲେ । ଦୀର୍ଘ ଦେଢ ବର୍ଷ ତଳେ ରିୟାଙ୍କ କଟକ ସ୍ଥିତ ଘରେ କାମ କରି ରହି ଆସୁଥିଲେ । ଘର ପୋଛା ପୋଛି ଠୁ ଆରମ୍ଭ କରି ଘରର ନିତିଦିନିଆ କାମ କରୁଥିଲେ । ହେଲେ ଅଭିନେତ୍ରୀ ତାଙ୍କର ଉଚିତ୍ ପାରିଶ୍ରମିକ ମଧ୍ୟ ଦେଉନଥିଲେ । ତାଙ୍କୁ କାମ କରାଇବା ସହ ମାନସିକ ଏବଂ ଶାରିରୀକ ନିର୍ଯାତନା ଦେଉଥିଲେ ।