ହାଇଦ୍ରାବାଦ:ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ବିବାଦ ପ୍ରସଙ୍ଗ । ଏଥିରେ ପଶୁ ଚର୍ବି ଓ ନିମ୍ନ ମାନର ସାମଗ୍ରୀ ମିଶୁଥିବା ଅଭିଯୋଗ ଆସିବା ପରେ ଏହାକୁ ନେଇ ଦେଶରେ ତେଜିଛି ବିବାଦ । ବର୍ତ୍ତମାନ ଏହି ପ୍ରସଙ୍ଗ ନେଇ ମୁହାଁମୁହିଁ ହୋଇଛନ୍ତି ସାଉଥ ତାରକା । ନିକଟରେ ଅଭିନେତା କାର୍ଥି ଏହି ମାମଲାକୁ ସମ୍ୱେଦନଶୀଳ କହି ହସିଥିବା ବେଳେ ଏହା ଉପରେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ । ଯାହାକୁ ନେଇ ଅସନ୍ତୋଷବ୍ୟକ୍ତ କରିବା ସହ କାର୍ଥିଙ୍କ ଉପରେ ବର୍ଷିଥିଲେ ପୱନ କଲ୍ୟାଣ । ବର୍ତ୍ତମାନ କାର୍ତ୍ତି ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ପୱନଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ।
କାର୍ତ୍ତିଙ୍କ ଉପରେ ବର୍ଷିଲେ ପୱନ କଲ୍ୟାଣ
ସେପ୍ଟେମ୍ବର 24 ରେ ବିଜୟୱାଡାରେ ଗଣମାଧ୍ୟମ ସହ କଥାବାର୍ତ୍ତା କରୁଥିବାବେଳେ ପୱନ କଲ୍ୟାଣ କାର୍ତ୍ତିଙ୍କ ମନ୍ତବ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସେ କହିଛନ୍ତି, ''ଯଦି ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକମାନେ ଏହି ବିଷୟରେ ଆଲୋଚନା କରିବାକୁ ଚାହାଁନ୍ତି, ତେବେ ସେମାନେ ଏହାକୁ ସମର୍ଥନ କରନ୍ତୁ ନଚେତ୍ ଏପରି ମନ୍ତବ୍ୟ ଦିଅନ୍ତୁ ନାହିଁ । ପୱନ ଏହି ବିଷୟରେ ମନ୍ତବ୍ୟ ଦେବା ପୂର୍ବରୁ ଲୋକଙ୍କୁ ଭଲ ଭାବରେ ଚିନ୍ତା କରିବାକୁ ପରାମର୍ଶ ଦେଇଛନ୍ତି । କାର୍ଥିଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଏହା କହିବାକୁ ସାହସ କରନ୍ତୁ ନାହିଁ । ବର୍ତ୍ତମାନ କାର୍ତ୍ତି ସୋସିଆଲ ମିଡିଆରେ ପୱନ କଲ୍ୟାଣଙ୍କୁ କ୍ଷମା ମାଗିଛନ୍ତି ।''
ପୱନ କଲ୍ୟାଣଙ୍କୁ କ୍ଷମା ମାଗିଲେ କାର୍ତ୍ତି
କାର୍ତ୍ତି ସୋସିଆଲ ମିଡିଆରେ କ୍ଷମା ମାଗି ଲେଖିଛନ୍ତି, "ପ୍ରିୟ ପୱନ କଲ୍ୟାଣ ସାର୍, ଆପଣଙ୍କ ପ୍ରତି ଗଭୀର ସମ୍ମାନ ସହିତ, ମୁଁ ଭୁଲ ବୁଝାମଣା ପାଇଁ କ୍ଷମା ମାଗୁଛି ଯାହା ଅଜାଣତରେ ଘଟିଥାଇପାରେ। ପ୍ରଭୁ ଭେଙ୍କଟେଶ୍ୱରଙ୍କ ଜଣେ ନମ୍ର ଭକ୍ତ ଭାବରେ ମୁଁ ସର୍ବଦା ଆମର ପରମ୍ପରାକୁ ଅନୁସରଣ କରେ। ମୁଁ ତାଙ୍କୁ ପ୍ରିୟ ବୋଲି ମନେ କରେ ।'' ସୂଚନା ଥାଉ କି, ସୋମବାର ଯେତେବେଳେ କାର୍ତ୍ତିଙ୍କୁ ଲଡୁ ବିବାଦ ବିଷୟରେ ପଚରାଯାଇଥିଲା, ସେ କହିଥିଲେ, ''ସେ ବର୍ତ୍ତମାନ ଲଡୁ ବିଷୟରେ କଥାବାର୍ତ୍ତା କରିବା ଉଚିତ୍ ନୁହେଁ କାରଣ ଏହା ଏକ ସମ୍ବେଦନଶୀଳ ବିଷୟ ଅଟେ । ଯାହା ପରେ ସେ ହସିଦେଇଥିଲେ ।'' ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ପୱନ ।
ଏହା ମଧ୍ୟ ପଢନ୍ତୁ:ତିରୁପତି ଲଡୁ ବିବାଦ; 11 ଦିନ ଉପବାସରେ ପୱନ କଲ୍ୟାଣ, କନକ ଦୁର୍ଗା ମନ୍ଦିରର କଲେ ଶୁଦ୍ଧିକରଣ
ସୂଚନା ଥାଉ କି, YSRCP ସରକାର ସମୟରେ ତିରୁପତି ମନ୍ଦିର ପ୍ରସାଦରେ ପଶୁ ଚର୍ବି ମିଶୁଥିବା ସେପ୍ଟେମ୍ବର 19 ତାରିଖରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅଭିଯୋଗ ଆଣିଥିଲେ । ଯାହା ପରେ ସାରା ଦେଶରେ ଏହାକୁ ନେଇ ବିବାଦ ତେଜିବାରେ ଲାଗଛି । ସେପଟେ ଘଟଣା ନେଇ ଜନସେନା ପାର୍ଟି ମୁଖ୍ୟ ତଥା ଡେପୁଟି ସିଏମ୍ ତଥା ଅଭିନେତା ପୱନ କଲ୍ୟାଣ ପ୍ରାୟଶ୍ଚିତ ଆରମ୍ଭ କରିଛନ୍ତି । ନିକଟରେ ସେ ଏକ୍ସରେ ଏକ ପୋଷ୍ଟ କରି ବାଲାଜୀଙ୍କ ପ୍ରସାଦରେ ଅପମିଶ୍ରଣ ବିଷୟ ତାଙ୍କୁ ଆଘାତ ଦେଇଥିବା କହି ସେ ଏହାର ପ୍ରାୟଶ୍ଚିତ କରିବେ କହିଛନ୍ତି । ଏହି ମାସର 22 ତାରିଖରୁ ସେ ପ୍ରାୟଶ୍ଚିତ କରିବା ଆରମ୍ଭ କରିଛନ୍ତି । ପ୍ରାୟଶ୍ଚିତ ପାଇଁ 11 ଦିନ ଉପବାସରେ ରହିଛନ୍ତି । 22 ସେପ୍ଟେମ୍ୱରରୁ ସେ ଉପବାସରେ ରହିଥବା ବେଳେ ଆଜି ତୃତୀୟ ଦିନରେ ସେ ବିଜୟୱାଡାର କନକଦୁର୍ଗା ଅମାଭରୀ ମନ୍ଦିର ପରିଦର୍ଶନ କରି ମନ୍ଦିରର ଶୁଦ୍ଧିକରଣ କରିଛନ୍ତି । ତେବେ ଅକ୍ଟୋବର 2 ରେ ତିରୁମାଲା ବାଲାଜୀଙ୍କ ଦର୍ଶନ କରି ଏହି ଉପବାସ ବ୍ରତ ଭାଙ୍ଗିବେ ।
ଏହା ମଧ୍ୟ ପଢନ୍ତୁ:ତିରୁପତି ଲଡୁ ବିବାଦ; ତଦନ୍ତ ପାଇଁ ଗଠନ ହେଲା SIT, ସୁଦ୍ଧିକରଣ ପାଇଁ ମନ୍ଦିରରେ ଶାନ୍ତି ହୋମ ଆରମ୍ଭ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ