ନୂଆଦିଲ୍ଲୀ: ଏଥର ବି କମିବନି EMI ବୋଝ । କାରଣ ଭାରତୀୟ ରିଜର୍ଭ ବ୍ୟାଙ୍କ ସୁଧହାରରେ କୌଣସି ପରିବର୍ତ୍ତନ ଆଣୁନାହିଁ । ଲଗାତାର ନବମ ଥର ପାଇଁ ରେପୋ ରେଟ୍ 6.5 ପ୍ରତିଶତରେ ସ୍ଥିର ରଖିଛି ଆରବିଆଇ । କେନ୍ଦ୍ର ବଜେଟ ପରେ ଅନୁଷ୍ଠିତ ପ୍ରଥମ ମୁଦ୍ରାନୀତି କମିଟିର ବୈଠକରେ ରେପୋ ରେଟ୍ ଅପରିବର୍ତ୍ତିତ ରହିବା ନେଇ ନିଷ୍ପତ୍ତି ହୋଇଛି । ଏନେଇ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି (ଗୁରୁବାର) ଘୋଷଣା କରିଛନ୍ତି । ଏହାର ଅର୍ଥ ଏଥର ମଧ୍ୟ ଲୋନ EMIରେ କୌଣସି ଆଶ୍ୱସ୍ତି ମିଳିବ ନାହିଁ ।
ଅଭିବୃଦ୍ଧି ହାର 7.2% ଆକଳନ:
ଶକ୍ତିକାନ୍ତ ଦାସ କହିଛନ୍ତି, ''ମୁଦ୍ରାନୀତି କମିଟିର (MPC) 6 ସଦସ୍ୟଙ୍କ ମଧ୍ୟରୁ 4 ଜଣ ରେପୋ ରେଟ୍ରେ ଅପରିବର୍ତ୍ତିତ ରଖିବାକୁ ମତ ଦେଇଥିଲେ । ବିକାଶଶୀଳ ସାମଗ୍ରିକ ଅର୍ଥନୀତି ଓ ଆର୍ଥିକ ସ୍ଥିତିର ବିସ୍ତୃତ ମୂଲ୍ୟାଙ୍କନ କରାଯିବା ପରେ କମିଟି 4:2 ବହୁମତରେ ରେପୋ ରେଟ୍ 6.5% ପ୍ରତିଶତରେ ସ୍ଥିର ରଖିବାକୁ ନିଷ୍ପତ୍ତି ନେଇଛି ।'' ଏହି କ୍ରମରେ ସ୍ଥାୟୀ ଜମା ସୁବିଧା (SDF) 6.25% ଓ ସୀମାନ୍ତ ଜମା ସୁବିଧା (MSF) 6.75%ରେ ଅପରିବର୍ତ୍ତିତ ରହିଛି । ଏଥିସହ ରିଜର୍ଭ ବ୍ୟାଙ୍କ 2025 ଆର୍ଥିକ ବର୍ଷ ପାଇଁ ବାସ୍ତବ ଜିଡିପି ଅଭିବୃଦ୍ଧି ହାର 7.2% ଆକଳନ କରିଛି । ସେହିପରି ମୁଦ୍ରାସ୍ଫୀତି ଅନୁମାନ 4.5% ରଖାଯାଇଛି ।