ପୁରୀ: କୋଣାର୍କ ରୋଡର ବାଲିଘାଇ ଛକରେ ନିଗମାନନ୍ଦ ସାର୍ବଭୌମ ଭକ୍ତ ସମ୍ମିଳନୀରେ ଅଘଟଣ । କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ୨ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଛି । ୨ ଜଣଙ୍କୁ ପୁରୀ ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଭକ୍ତ ସମ୍ମିଳନୀ ଚାଲିଥିବାବେଳେ ପଶ୍ଚିମବଙ୍ଗ ମେଦିନାପୁରର ରବିନ୍ଦ୍ରନାଥ ପଲ ଓ କଟକର ଜଗନ୍ନାଥ ସାମଲ ଅସୁସ୍ଥ ହୋଇପଡିଥିଲେ । ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ପୁରୀ ବଡ ଡାକ୍ତରଖାନା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ପ୍ରାଥମିକ ତଦନ୍ତରୁ ଉଭୟ ହୃଦଘାତର ଶିକାର ହୋଇଥିବାର ଜଣାପଡିଛି । ତେବେ ଅତ୍ୟଧିକ ଭକ୍ତଙ୍କ ସମାଗମ ଯୋଗୁଁ ଏଭଳି ଘଟିଥାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଥିବାବେଳେ ଘଟଣାର ତଦନ୍ତ କରୁଛି ପୁରୀ ସଦର ଥାନା ପୋଲିସ । ସେହିପରି ଶୁକ୍ରବାର ଗଞ୍ଜାମର ପ୍ରଭାଶିନୀ ପାଣିଗ୍ରାହୀ ନାମକ ଜଣେ ମହିଳା ମୃତ୍ୟବରଣ କରିଥିବାର ସୂଚନା ମିଳିଛି ।
୨ ଭକ୍ତ ମୃତ :
କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଜଣେ କର୍ମକର୍ତ୍ତା କହିଛନ୍ତି, "କଟକରୁ ଆସିଥିବା ଜଗନ ସାମଲ ଆଜିର କାର୍ଯ୍ୟକ୍ରମରେ ସେବା କାର୍ଯ୍ୟରେ ଲାଗିଥିଲେ । ହଠାତ୍ ତାଙ୍କ ଶରୀର ଅସୁସ୍ଥ ହୋଇ ପଡ଼ିଲା । ଫଳରେ ତାଙ୍କୁ ଡାକ୍ତରଖାନା ନେବାକୁ ପଡ଼ିଲା । ମେଡ଼ିକାଲରେ ଡାକ୍ତର ତାଙ୍କୁ ହୃଦଘାତରେ ମୃତ୍ୟୁ ବରଣ କରିଥିବା କହିଥିଲେ । ମୃତ୍ୟୁ ବରଣ କରିଥିବା ଅନ୍ୟ ବ୍ୟକ୍ତି ଜଣଙ୍କ ପଶ୍ଚିମବଙ୍ଗରୁ ଆସିଥିଲେ । ତାଙ୍କର ବି ଆଜି ଦେହ ଅସୁସ୍ଥ ହୋଇଥଲା । ପରେ ମେଡ଼ିକାଲକୁ ନେବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥଲା । ମେଡିକାଲରେ ଡାକ୍ତର ତାଙ୍କୁ ହୃଦଘାତରେ ମୃତ୍ୟୁ ବରଣ କରିଥିବା ଘୋଷଣା କରିଥିଲେ । ଆମର ୪୫ ଏକର ଜମି ଉପରେ କ୍ୟାମ୍ପ କରଯାଇଛି । ପର୍ଯ୍ୟାପ୍ତ ଖୋଲା ସ୍ଥାନ ରହିଛି । ତେଣୁ ଅଣନିଃଶ୍ବାସୀ ହୋଇ ମୃତ୍ୟୁ ବରଣ କରିଥିବା କେବେବି ସମ୍ଭବ ନୁହେଁ । ମୃତ୍ୟୁ ବରଣ କରିଥିବା କଟକର ଜଗନ ସାମଲଙ୍କ ଦେହ ପୂର୍ବରୁ ଅସୁସ୍ଥ ଥିଲା । ତାଙ୍କର ଡେଇବେଟିସ ଥିଲା । ତାଙ୍କ ପରିବାର ଲୋକ ଏହି କଥା ଆଜି ଆମକୁ କହିଛନ୍ତି ।"
ଭକ୍ତ ସମ୍ମିଳନୀରେ ଭକ୍ତଙ୍କ ହୃଦଘାତ:
ଏନେଇ ପୁରୀ ସଦର ଥାନା ଆଇଆଇସି ଭାବଗ୍ରାହୀ ରାଉତଙ୍କ କହିବା ଅନୁଯାୟୀ, ଜଗନ୍ନାଥ ସାମଲ ସମ୍ମିଳନୀରେ କ୍ଷୀରି ପରସୁଥିବା ବେଳେ ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତତ୍କ୍ଷଣାତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ । ସେହିଭଳି ପଶ୍ଚିମବଙ୍ଗର ରବୀନ୍ଦ୍ର ନିଜ ପରିବାର ସଦସ୍ୟଙ୍କ ସହ ସମ୍ମିଳନୀରେ ବୁଲୁଥିବା ବେଳେ ଦିନ ପ୍ରାୟ ୧୨ଟା ସମୟରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତେଣୁ ସେ ନିକଟସ୍ଥ ମେଡିସିନ ଦୋକାନରୁ ଔଷଧ ଆଣି ଖାଇଥିଲେ । ଅପରାହ୍ନରେ ସେ ବିଶ୍ରାମ ନେବା ବେଳେ ଆଉ ଉଠି ନଥିଲେ । ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ ବୋଲି ସୂଚନା ଦେଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...କୋରାପୁଟ ବସ୍ ଦୁର୍ଘଟଣା: ୪ ମୃତ, ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା ଏହା ମଧ୍ୟ ପଢ଼ନ୍ତୁ...ପୁରୀରେ ରଥଟଣା ବେଳେ ଭକ୍ତଙ୍କ ମୃତ୍ୟୁ, ୪ ଲକ୍ଷର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ - Puri DEVOTEE DIES |
ତେବେ ସଦ୍ଗୁରୁ ପରମହଂସ ସ୍ୱାମୀ ନିଗମାନନ୍ଦ ସରସ୍ୱତୀଦେବଙ୍କ ପ୍ରବର୍ତ୍ତିତ ସାର୍ବଭୌମ ଭକ୍ତ ସମ୍ମିଳନୀର ୧୧୦ତମ ଅଧିବେଶନ ପୁରୀ ବାଲିଘାଇ ସ୍ଥିତ କ୍ରିୟାଯୋଗ ଆଶ୍ରମ ସମ୍ମୁଖସ୍ଥ ପ୍ରାଙ୍ଗଣରେ ଗତ ୨୬ ତାରିଖ ଗୁରୁବାର ଠାରୁ ଆରମ୍ଭ ହୋଇଛି । ଉକ୍ତ ସମ୍ମଳନୀରେ ସାରା ଭାରତର କୋଣ ଅନୁକୋଣରୁ ୨୫ ହଜାରରୁ ଅଧିକ ଶିଷ୍ୟ ଓ ଭକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ବେଳେ ୫୦୦ରୁ ଅଧିକ ସାଧୁସନ୍ଥ ଯୋଗଦାନ କରିଛନ୍ତି ।