ଡେରାଡୁନ/ଦିଲ୍ଲୀ:ଚଳିତ ମାସ 8 ତାରିଖରେ ଉତ୍ତରାଖଣ୍ଡ ହଲଦ୍ବାନୀରେ ଘଟିଥିବା ସାମ୍ପ୍ରଦାୟିକ ହିଂସାକାଣ୍ଡର ମାଷ୍ଟରମାଇଣ୍ଡ ଅବଦୁଲ୍ଲ ମଲ୍ଲିକକୁ ଦିଲ୍ଲୀରୁ ଗିରଫ କରାଯାଇଛି । ଏପର୍ଯ୍ୟନ୍ତ ଘଟଣାରେ ପ୍ରାୟ 70 ରୁ ଅଧିକ ଅଭିଯୁକ୍ତ ଗିରଫ ହୋଇସାରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଅବଦୁଲ୍ଲ ସେବେଠାରୁ ଫେରାର ଥିଲା । ତା’ ମୁଣ୍ଡରେ 50 ହଜାର ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଥିଲା । ଆଜି ଉତ୍ତରାଖଣ୍ଡ ପୋଲିସର ଏକ ଟିମ୍ କୌଣସି ସୂତ୍ରରୁ ଖବର ପାଇ ତାକୁ ଦିଲ୍ଲୀରୁ ଗିରଫ କରିବାରେ ସଫଳ ହୋଇଛି । ପୋଲିସ ସୂଚନା ଅନୁସାରେ, ଆଜି ପର୍ଯ୍ୟନ୍ତ ଏହି ମାମଲାରେ ମୋଟ 74 ଅଭିଯୁକ୍ତଙ୍କ ଗିରଫଦାରୀ ହୋଇସାରିଛି ।
ତେବେ ଏହି ହିଂସାରେ ବହୁମାତ୍ରାରେ ସରକାରୀ ସମ୍ପତ୍ତି ନଷ୍ଟ ହୋଇଥିଲା । 250 ରୁ ଅଧିକ ପୋଲିସକର୍ମୀ ଓ ସ୍ଥାନୀୟ ବାସିନ୍ଦା ଆହତ ହୋଇଥିଲେ । ସ୍ଥାନୀୟ ନଗର ପ୍ରଶାସନ କ୍ଷୟକ୍ଷତିର ମୂଲ୍ୟାୟନ କରିବା ସହ ଏହାର ଭରଣା ବାବଦରେ 2.44 କୋଟିର ଟଙ୍କା ପଇଠ କରିବାକୁ ମୁଖ୍ୟ ଅଭିଯୁକ୍ତକୁ ମଧ୍ଯ ନୋଟିସ ଜାରି କରିଛି । ଏଥିରେ ସରକାରୀ ସମ୍ପତ୍ତି, ଭିତ୍ତିଭୂମି ଭଙ୍ଗାରୁଜା ଓ ଗାଡି ଜଳାପୋଡା ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ :- ଛୁଟିରେ ଗଲେ ବିଜୟ ଅମୃତା କୁଲାଙ୍ଗେ, ବିଏମସି କମିଶନର ଦାୟିତ୍ୱରେ ରହିବେ ରାଜେଶ