ନୂଆଦିଲ୍ଲୀ/ଡେରାଡୁନ:ରାଜ୍ୟରେ ‘ଏକକ ନାଗରିକ ସଂହିତା’ (ୟୁନିଫର୍ମ ସିଭିଲ କୋଡ) ଲାଗୁ କରିବାରେ ଦେଶ ପ୍ରଥମ ରାଜ୍ୟ ହେବାକୁ ଯାଉଛି ଉତ୍ତରାଖଣ୍ଡ । ପୂର୍ବରୁ ଏହି ପ୍ରକ୍ରିୟା ଜାରି ରଖିଥିବା ଧାମି ସରକାର ଏଥିରେ ଆଉ ପାଦେ ଆଗେଇବା ସହ ପ୍ରାୟତଃ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛନ୍ତି । ସର୍ବୋଚ୍ଚ କୋର୍ଟଙ୍କ ଅବସରପ୍ରାପ୍ତ ଆଇନଜୀବୀ ରଞ୍ଜନା ଦେଶାଇଙ୍କ ନେତୃତ୍ବରେ ଗଠିତ କମିଟି ୟୁସିସି କାର୍ଯ୍ୟକାରିତା ସମ୍ପର୍କିତ ଡ୍ରାଫ୍ଟ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିସାରିଛି । ଏହାକୁ ଧାମି କ୍ୟାବିନେଟ ଅନୁମୋଦନ ମଧ୍ୟ କରିସାରିଛି । ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଥିବା ବିଧାନସଭା ଅଧିବେଶନରେ ଏହି ବିଲ୍ ଆଗତ ହେବା ଏକପ୍ରକାର ସ୍ପଷ୍ଟ ହୋଇଛି ।
ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କାଲିଠାରୁ ବିଧାନସଭା ଅଧିବେଶନ ଆରମ୍ଭ ହେଉଥିବା ବେଳେ ଧାମି ସରକାର 6 ତାରିଖରେ ଗୃହରେ ଏହି ବିଲ୍ ଆଗତ କରିବେ । ତେବେ ସଂଖ୍ୟା ଦୃଷ୍ଟିରୁ ଏହାକୁ ପାସ କରିବାରେ କୌଣସି ସମସ୍ୟା ନଥିବାରୁ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ଭାବେ ‘ଏକକ ନାଗରିକ ସଂହିତା’ ଲାଗୁ କରିବା ନେଇ ବାଟ ଫିଟିଛି ।
ଜଷ୍ଟିସ ରଞ୍ଜନା ଦେଶାଇଙ୍କ ନେତୃତ୍ବାଧୀନ 5 ଜଣିଆ ୟୁସିସି ଡ୍ରାଫ୍ଟିଂ କମିଟି ଶୁକ୍ରବାର ଏହି ଡ୍ରାଫ୍ଟ ବା ଚିଠାପ୍ରସ୍ତାବ ସରକାରଙ୍କୁ ପ୍ରଦାନ କରିଥିଲା । ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଅନୁଧ୍ୟାନ କରିବା ପାଇଁ ଗଠିତ ହୋଇଥିବା ଏହି ଉଚ୍ଚସ୍ତରୀୟ କମିଟିରେ ଜଷ୍ଟିସ ରଞ୍ଜାନା ଦେଶାଇଙ୍କ ସମେତ ଅବସରପ୍ରାପ୍ତ ଜଷ୍ଟିସ ପ୍ରମୋଦ କୋହଲି, ସାମଜିକ କର୍ମୀ ମନୁ ଗୌର, ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ଶତ୍ରୁଘ୍ନ ସିଂ, ଡୁନ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ସୁରେଖା ଧନଓ୍ବାଲ ସଦସ୍ୟ ଥିଲେ । ଦୀର୍ଘମାସ ଧରି ଏହି କମିଟି ରାଜ୍ୟରେ ଏକକ ନାଗରିକ ସଂହିତା କାର୍ଯ୍ୟକାରିତାର ସମସ୍ତ ଦିଗକୁ ଅନୁଧ୍ୟାନ କରିଥିଲା । ଏହା ପରେ ଏକ ଚିଠା ପ୍ରସ୍ତାବ ପ୍ରସ୍ତୁତ କରାଯାଇଥିଲା । ଯାହା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଇଥିଲା । ନିଜେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏହି ପ୍ରକ୍ରିୟାର ପ୍ରତ୍ୟେକ୍ଷ ତତ୍ତ୍ବାବଧାନ କରୁଛନ୍ତି ।