ନୂଆଦିଲ୍ଲୀ:ଆସନ୍ତା 22 ତାରିଖରୁ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ । ଏହା ପୂର୍ବରୁ ଆଜି ବସିବ କେନ୍ଦ୍ର କ୍ୟାବିନେଟ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସକାଳ 10ଟା 30 ସମୟରେ ବୈଠକ ବସିପାରେ । ତୃତୀୟ ଥର ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ଏହା ମୋଦିଙ୍କ ଦ୍ବିତୀୟ କ୍ୟାବିନେଟ ବୈଠକ । ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ । ଏପଟେ ମିଡିଆ ରିପୋର୍ଟ ଅନୁସାରେ ଆନ୍ଧ୍ରପ୍ରଦେଶ, ଝାରଖଣ୍ଡ, ଛତିଶଗଡ, ଓଡିଶା ଏବଂ କେନ୍ଦ୍ର ପ୍ରଦେଶ ଅଂଚଳ ଜମ୍ମୁ କାଶ୍ମୀରକୁ ମିଳିପାରେ ଚଳିତ ବଜେଟରେ ସ୍ବତନ୍ତ୍ର ଆର୍ଥିକ ଅନୁଦାନ ।
ବୈଠକରେ ବଜେଟକୁ ଫୋକସ:ଆସନ୍ତା ଜୁଲାଇ 22 ତାରିଖରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ 12 ପର୍ଯ୍ୟନ୍ତ ଚାଲିବ । ଏହାପରେ 23 ତାରିଖରେ କେନ୍ଦ୍ରୀୟ ବଜେଟ ଉପସ୍ଥାପନ ହେବ । ତେଣୁ ଆଜି ହେବାକୁ ଥିବା କ୍ୟାବିନେଟ ବୈଠକରେ ବଜେଟକୁ ନେଇ ବହୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇପାରେ । ସେହିପରି ବିରୋଧୀ ଦଳ ନେତା ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିବେ । ଏଥି ପାଇଁ ପ୍ରସ୍ତୁତ ରହିବାକୁ ମଧ୍ୟ ବୈଠକରେ ଆଲୋଚନା କରାଯିବ । ଆସନ୍ତା 21 ତାରିଖ ଦିନ କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକିଛନ୍ତି । ଗତ ଫେବୃଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ କାମଚଳା ବଜେଟ ଉପସ୍ଥାପନ କରିଥିଲେ । ଏବେ କେନ୍ଦ୍ରରେ ନୂଆ ସରକାର ଗଠନ ହେବା ପରେ ପୂର୍ଣ୍ଣାଙ୍ଗ ଆସିବ ବଜେଟ । ମୋଦି ସରକାରଙ୍କ ତୃତୀୟ ପାଳିର ଏହା ପ୍ରଥମ ବଜେଟ ହୋଇଥିବାରୁ ଏହା ଉପରେ ସମସ୍ତଙ୍କର ନଜର ରହିବ ।