ରାୟପୁର:ଜାନୁଆରୀ 26ରେ ସାରା ଦେଶ ପାଳିଲା 75 ତମ ଗଣତନ୍ତ୍ର ଦିବସ । ପୁର ଠୁ ପଲ୍ଲୀ... କାଶ୍ମୀର ଠୁ କନ୍ୟାକୁମାରୀ ସବୁଠି ଫର ଫର ହୋଇ ଉଡିଥିଲା ତ୍ରିରଙ୍ଗା । ଛତିଶଗଡର ବସ୍ତର, ବିଜାପୁର ଓ ସୁକମା ପାଇଁ ଗଣତନ୍ତ୍ର ଦିବସ ଥିଲା ସୂତନ୍ତ୍ର । କାହିଁକି ନା ଏଠାରେ ବସବାସ କରୁଥିବା ଅନେକ ଅଞ୍ଚଳବାସୀ ପ୍ରତିବର୍ଷ ଗଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ ହେଉଥିବାର ଦେଖୁଥିଲେ, କିନ୍ତୁ ନିଜ ଅଞ୍ଚଳରେ କେବେ ହେଲେ ଏହି ଦିନରେ ପତାକା ଉଡାଇବାର ସୁଯୋଗ ପାଇନଥିଲେ । ଦେଶ ସ୍ୱାଧୀନ ହେବା ପରେ ପ୍ରଥମ ଥର ପାଇଁ ତିନି ନକ୍ସଲ ପ୍ରଭାବିତ ଜିଲ୍ଲାର 9ଟି ଅଞ୍ଚଳରେ ଗତକାଲି ଗଣତନ୍ତ୍ର ଦିବସରେ ପତକା ଉତ୍ତୋଳନ କରାଯାଇଥିଲା ।
ନକ୍ସଲ ଅଞ୍ଚଳରେ ଉଡ଼ିଲା ତ୍ରିରଙ୍ଗା: ବିଜାପୁର ଜିଲ୍ଲାର ପାଲାନାର, ଡୁମ୍ରି ପାଲାନାର, ଚିଣ୍ଟାଭାଗୁ, କଭାଦାଗାଓନ୍ ଏବଂ ସୁକମା ଜିଲ୍ଲାର ମଲେର, ପ୍ୟାରିୟା, ସାଲାଟୋଙ୍ଗ, ମୁଖରାଜକୋଣ୍ଡା ଏବଂ ଡୁଲେଡର ଆକାଶରେ ପ୍ରଥମ ଥର ପାଇଁ ଗଣତନ୍ତ୍ର ଦିବସରେ ଉଡ଼ିଥିଲା ତ୍ରିରଙ୍ଗା । ଏହି ଅଞ୍ଚଳ ଗୁଡ଼ିକରେ ପ୍ରତିଦିନ ନକ୍ସଲଙ୍କ ଭୟ ରହିଥାଏ । ଏଥିପାଇଁ ଗତ ବର୍ଷ ଅଗଷ୍ଟ 15ରୁ ଜାନୁଆରୀ 26 ମଧ୍ୟରେ ଏହି ଅଞ୍ଚଳର ନଅଟି ନୂତନ ସୁରକ୍ଷା ଶିବିର ଖୋଲାଯାଇଥିଲା। ଏହି ଶିବିର ସ୍ଥାପନ ହୋଇଥିବା ଅଞ୍ଚଳଗୁଡ଼ିକରେ ଗତକାଲି ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ଗ୍ରାମବାସୀ ଗଣତନ୍ତ୍ର ଦିବସ ପାଳନ କରିଥିଲେ।