ବେଙ୍ଗାଲୁରୁ: ଋଷରେ ସୁରକ୍ଷାକର୍ମୀ ଭାବରେ କାମ କରିବାକୁ ଯାଇଥିବା କର୍ଣ୍ଣାଟକର 3 ଯୁବକ ସେଠାରେ ଫସି ରହିଛନ୍ତି । କର୍ଣ୍ଣାଟକର କାଲାବୁରାଗୀ ଜିଲ୍ଲାର ଏହି 3 ଯୁବକ ଋଷ ଯାଇଥିଲେ । ସେଠାରେ ସେମାନେ ଏକ କମ୍ପାନୀରେ କାମ କରୁଥିବା ବେଳେ ତାଙ୍କୁ ପରବର୍ତ୍ତୀ ସମରେ ସେନାରେ ଭର୍ତ୍ତି କରାଯାଇଥିବା ଅଭିଯୋଗ ହୋଇଛି । ଏବେ ସେମାନେ ସମସ୍ୟାରେ ଅଛନ୍ତି ଓ ସ୍ବଦେଶ ଫେରିବା ପାଇଁ ନିବେଦନ କରୁଛନ୍ତି । ପରିବାର ସଦସ୍ୟ ସ୍ଥାନୀୟ ପ୍ରଶାସନ ଓ କେନ୍ଦ୍ର ସରକାରଙ୍କୁ ଏଦିଗରେ କାର୍ଯ୍ୟକ୍ରମ ଗ୍ରହଣ କରିବା ପାଇଁ ନିବେଦନ କରିଛନ୍ତି ।
ସୂଚନା ଅନୁସାରେ,କାଲାବୁରାଗୀ ଜିଲ୍ଲାର ଆଲାନ୍ଦ ତାଲୁକର ନାରୋନା ଗାଁର ସୟଦ ଇଲିୟାସ ହୁସେନ, ମହମ୍ମଦ ସମୀର ଅହମ୍ମଦ ଓ ସୋଫିଆ ମହମ୍ମଦ ନାମକ ତିନିଜଣ ଯୁବକ ଋଷରେ ଫସି ରହିଛନ୍ତି । ଯୁବକମାନେ ସେଠାରୁ ପଠାଇଥିବା ଭିଡିଓରେ କୁହାଯାଇଛି ଯେ ମୁମ୍ବାଇର ବାବା ନାମକ ଜଣେ ଏଜେଣ୍ଟ ସେମାନଙ୍କୁ ଋଷ ପଠାଇଥିଲା । ସେମାନେ ପ୍ରଥମେ ଏକ କମ୍ପାନୀରେ ସୁରକ୍ଷାକର୍ମୀ ଭାବେ କାମରେ ନିୟୋଜିତ ହୋଇଥିଲେ । ହେଲେ ପରବର୍ତ୍ତୀ ସମୟରେ ସେମାନଙ୍କୁ ସ୍ଥାନୀୟ ସେନାରେ ନିୟୋଜିତ କରାଯାଇଥିଲା । ସେମାନେ ଏବେ ୟୁକ୍ରେନ ସୀମାରେ ଥିବା ଭିଡିଓରେ କହଛନ୍ତି । ସେହିପରି ସେମାନଙ୍କୁ ସେନା ପୋଷାକରେ ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି ।