ଚଣ୍ଡିଗଡ:କୃଷକଙ୍କ ଆନ୍ଦୋଳନ ଓ ‘ଦିଲ୍ଲୀ ଚାଲ୍ଲୋ’ ଡକରା ମଧ୍ୟରେ ଆଜି କୃଷକ ସଂଗଠନ ଓ କେନ୍ଦ୍ର ସରକାର ମଧ୍ୟରେ ତୃତୀୟ ପର୍ଯ୍ୟାୟ ବୈଠକ ଆରମ୍ଭ ହୋଇଛି । ଚଣ୍ଡିଗଡରେ ସଂଧ୍ୟାରୁ ଜାରି ରହିଥିବା ଏହି ବୈଠକରେ 3 କେନ୍ଦ୍ରମନ୍ତ୍ରୀ ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ବ କରୁଛନ୍ତି । ଆଜି ସଂଧ୍ୟାରେ, କେନ୍ଦ୍ର କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା, କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଓ ନିତ୍ୟାନନ୍ଦ ରାୟ ଚଣ୍ଡିଗଡରେ ପହଞ୍ଚିଛନ୍ତି । ତେବେ କୃଷକ ସଂଗଠନ 13ରୁ ଦିଲ୍ଲୀ ଚଲୋ ଡାକରା ଦେବା ସହ କେନ୍ଦ୍ର ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲା । ହେଲେ ଦୁଇଟି ପର୍ଯ୍ୟାୟର ଆଲୋଚନାରେ କୌଣସି ଫଳପ୍ରଦ ନିଷ୍କର୍ଷ ବାହାରି ପାରିନଥିଲା । ଦାବି ପୂରଣ ନେହେଲେ ଆନ୍ଦୋଳନ ସ୍ଥଗିତ ହେବ ନାହିଁ ବରଂ ବ୍ୟାପକ ହେବ ବୋଲି କୃଷକ ସଂଗଠନ ପକ୍ଷରୁ ଚେତାବନୀ ଦେଇସାରିଛି । ଆଜି ତୃତୀୟ ପର୍ଯ୍ୟାୟ ଆଲୋଚନା ଉପରେ ସମସ୍ତଙ୍କ ନଜର ରହିଛି ।
ସୂଚନା ଅନୁସାରେ, କେନ୍ଦ୍ର କୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡା, ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପିୟୁଷ ଗୋୟଲ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ବୈଠକରେ ସାମିଲ ହୋଇଥିବା ବେଳେ ଏକାଧିକ କୃଷକ ସଂଗଠନର କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିଛନ୍ତି । ଏହି ବୈଠକରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ମଧ୍ୟ ସାମିଲ ହୋଇଥିବା ସୂଚନା ମିଳିଛି । କଡା ସୁରକ୍ଷା ମଧ୍ୟରେ ଚଣ୍ଡିଗଡର ଏକ ହୋଟେଲରେ ଏହି ବୈଠକ ଜାରି ରହିଛି । ଫସଲ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ଗ୍ୟାରେଣ୍ଟି ପ୍ରଦାନ କରୁଥିବା ଆଇନ କାର୍ଯ୍ୟକାରୀ କରିବା ସହ କୃଷକଙ୍କ ଅନ୍ୟ ସମସ୍ତ ଦାବି ଉପରେ ଆଲୋଚନା ହେଉଛି ।
ଏହା ମଧ୍ୟ ପଢନ୍ତୁ:- ସରିଲା EDର ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ: ବିଚାର ବିଭାଗୀୟ ଜେଲକୁ ଗଲେ ହେମନ୍ତ