ନୂଆଦିଲ୍ଲୀ: ୨୦୨୫ ବର୍ଷର ପ୍ରଥମ ମନ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରତିଥର ଏହି କାର୍ଯ୍ୟକ୍ରମ ମାସର ଶେଷ ରବିବାର ପ୍ରସାରଣ ହେଉଥିବା ବେଳେ ଚଳିତ ଥର ତୃତୀୟ ରବିବାର ଦିନ ଏହି କାର୍ଯ୍ୟକ୍ରମ ପ୍ରସାରଣ ହୋଇଛି । ଚଳିତ ମାସର ଶେଷ ରବିବାର ଜାନୁଆରୀ ମାସ ୨୬ ତାରିଖ ଅର୍ଥାତ୍ ଗଣତନ୍ତ୍ର ଦିବସ ପଡୁଥିବାରୁ ତୃତୀୟ ରବିବାର ଦିନ ଏହି କାର୍ଯ୍ୟକ୍ରମ ହୋଇଛି ।
'ଏ ବର୍ଷର ଗଣତନ୍ତ୍ର ଦିବସ ବେଶ୍ ସ୍ୱତନ୍ତ୍ର':
ଚଳିତ ବର୍ଷର ଗଣତନ୍ତ୍ର ଦିବସ ବେଶ୍ ସ୍ୱତନ୍ତ୍ର ବୋଲି କହିଛନ୍ତି ମୋଦି । କାରଣ ଚଳିତ ବର୍ଷ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରିବ ଦେଶ । ଚଳିତ ବର୍ଷ ସମ୍ବିଧାନ ଲାଗୁ ହେବାର ୭୫ ବର୍ଷ ହେବାକୁ ଯାଉଛି । ୨୫ ଜାନୁଆରୀରେ ନିର୍ବାଚନ ଆୟୋଗ ଗଠନ ହୋଇଥିଲା । ଯେଉଁଥିପାଇଁ ଏହି ଦିନଟିକୁ 'ଜାତୀୟ ଭୋଟର ଦିବସ' ଭାବେ ପାଳନ କରାଯାଉଛି । ଦେଶରେ ଯେତେବେଳେ ୧୯୫୧-୫୨ ମସିହାରେ ପ୍ରଥମ ଥର ନିର୍ବାଚନ ହୋଇଥିଲା, ସେତେବେଳେ କିଛି ଲୋକଙ୍କ ମନରେ ଆଶଙ୍କା ଥିଲା ଯେ, କଣ ଦେଶର ଲୋକତନ୍ତ୍ର ଜୀବିତ ରହିବ ? ଆମ ଦେଶର ଲୋକତନ୍ତ୍ର ସବୁ ଆଶଙ୍କାକୁ ଭୁଲ ସାବ୍ୟସ୍ତ କରି ଗଣତନ୍ତ୍ରର ଜନନୀର ପରିଚୟ ହାସଲ କରିଛି । ଗତ ଦଶନ୍ଧୀରେ ଦେଶର ଗଣତନ୍ତ୍ର ସଶକ୍ତ ହୋଇଛି । ଗଣତନ୍ତ୍ର ପ୍ରକ୍ରିୟାରେ ସାମିଲ ହେବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ।
'ଦେଶକୁ ଏକସୁତ୍ରରେ ବାନ୍ଧି ରଖେ ପରମ୍ପରା':
ପ୍ରୟାଗରାଜ ମହାକୁମ୍ଭ ମେଳାକୁ ନେଇ ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, "ପ୍ରୟାଗରାଜରେ ମହାକୁମ୍ଭ ମେଳାର ଆରମ୍ଭ ହୋଇଯାଇଛି । ସେଠାରେ ଜନ ସମୁଦ୍ର, ଅକଳ୍ପନୀୟ ଦୃଶ୍ୟ ଓ ସମାନତା- ସମନ୍ବୟର ଅସାଧାରଣ ମିଳନ ଦେଖିବାକୁ ମିଳିଛି । ହଜାର ହଜାର ବର୍ଷ ଧରି ଚାଲି ଆସୁଥିବା ଏହି ପରମ୍ପରାରେ କେଉଁଠି ବି ଭେଦଭାବ, ଜାତିବାଦ ଦେଖିବାକୁ ମିଳେନାହିଁ । ଯେଉଁଥିପାଇଁ କୁମ୍ଭ ଏକତାର ମହାକୁମ୍ଭ । କୁମ୍ଭ ମେଳାର ଆୟୋଜନ ଆମକୁ ଏହା ଦର୍ଶାଇ ଥାଏ ଯେ, କିଭଳି ଆମ ପରମ୍ପରା ସମଗ୍ର ଭାରତକୁ ଏକସୁତ୍ରରେ ବାନ୍ଧି ରଖେ । "
'ଅନ୍ତରୀକ୍ଷ କ୍ଷେତ୍ରରେ ଅଦ୍ଭୁତ ସଫଳତା ହାସଲ କରିଛି ଦେଶ':
ଆଉମଧ୍ୟ ୨୦୨୫ ଆରମ୍ଭରୁ ଭାରତ ଅନ୍ତରୀକ୍ଷ କ୍ଷେତ୍ରରେ ଅନେକ ଐତିହାସିକ ସଫଳତା ହାସଲ କରିଛି । ଭାରତର ସ୍ପେଶ-ଟେକ୍ ଷ୍ଟାର୍ଟଅପ ବାଙ୍ଗାଲୁରୁର ପିକ୍ସେଲ ଭାରତର ପ୍ରଥମ ନିଜ ସାଟେଲାଇଟ କନଷ୍ଟେଲେସନ- ଫାୟାରଫ୍ଲାଏ ସଫଳତା ଭାବେ ଲଞ୍ଚ କରିଥିଲା । କିଛି ଦିନ ପୂର୍ବେ ଆମ ବୈଜ୍ଞାନିକମାନେ ସାଟଲାଇଟର ସ୍ପେଶ ଡକିଂ କରାଇଛନ୍ତି । ଏହି ଟେକ୍ନିକ ଅନ୍ତରୀକ୍ଷରେ ସ୍ପେଶ ଷ୍ଟେସନ ପର୍ଯ୍ୟନ୍ତ ସପ୍ଲାଏ ପଠାଇବା ପାଇଁ ଓ କ୍ରିଉ ମିଶନ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ଆଇଆଇଟି ମାଡ୍ରାସର ଏକ୍ସଟେମ୍ (ExTem) କେନ୍ଦ୍ର ଅନ୍ତରୀକ୍ଷରେ ଉତ୍ପାଦନ ପାଇଁ ନୂଆ ଟେକ୍ନୋଲୋଜିର ଉପରେ କାର୍ଯ୍ୟ କରୁଛି । ଏହି କେନ୍ଦ୍ର ଅନ୍ତରୀକ୍ଷରେ ଥ୍ରିଡି ପ୍ରିଣ୍ଟେଡ ଘର, ମେଟାଲ ଫୋମ୍ସ ଓ ଅପ୍ଟିକାଲ ଫାଇବର ଭଳି ଟେକ୍ନିକ ଉପରେ ଗବେଷଣା କରୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ନିକୋବରର ନଡିଆ ତେଲକୁ ଜିଆଇ ଟ୍ୟାଗ: