ଭୁବନେଶ୍ବର: ଥଣ୍ଡାରେ ଥରୁଛି ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା । ଆଗାମୀ ୪ରୁ ୫ଦିନ ଯାଏଁ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାକୁ ନଥିବା ବେଳେ ଏଭଳି ଶୀତ ଜାରି ରହିବ । ଏହାସହ ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ ସାମାନ୍ୟ ଅଧିକ ରହୁଥିବାରୁ ରାତିରେ ଶୀତର ପ୍ରକୋପ ଅଧିକ ରହୁଛି । ସେପଟେ ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ଆଗାମୀ ୭ ଦିନ ଯାଏଁ ପାଗ ଶୁଖିଲା ରହିବ । ମାତ୍ରା ରାଜ୍ୟରେ ଆହୁରି ୨୪ ଘଣ୍ଟା ଘନକୁହୁଡ଼ି ଦୃଶ୍ୟମାନ ହେବାକୁ ଥିବା ବେଳେ ଏନେଇ ସତର୍କତା ଜାରି କରିଛି ବିଭାଗ ।
- ଘନକୁହୁଡ଼ି ୱାର୍ଣ୍ଣିଂ:
ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଆଗାମୀ ୨୪ ଘଣ୍ଟା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ଦୃଶ୍ୟମାନ ହେବ । ଏଥିପାଇଁ ୪ ଜିଲ୍ଲା କଳାହାଣ୍ଡି, କନ୍ଧମାଳ, ନୟାଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆଗାମୀ ୨୪ ଘଣ୍ଟା କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହେବ । ଜିଲ୍ଲାଗୁଡ଼ିକ ହେଉଛି କଟକ, ଖୋର୍ଦ୍ଧା, ପୁରୀ, ଝାରସୁଗୁଡ଼ା ଓ କୋରାପୁଟ ।
- ଏହି ଜିଲ୍ଲାରେ ଦେଖାଯିବ ହାଲୁକା କୁହୁଡ଼ି:
ଆସନ୍ତାକାଲି ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ସୁନ୍ଦରଗଡ଼ ଓ କୋରାପୁଟ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେବ । ସେହିପରି ୨୧ ତାରିଖରେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ଼, କନ୍ଧମାଳ ଓ ସୁନ୍ଦରଗଡ଼ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଏହା ମଧ୍ୟ ପଢ଼ନ୍ତୁ...ଆଗାମୀ 24 ଘଣ୍ଟାରେ ଏହି 4 ଜିଲ୍ଲାରେ ହେବ ଘନ କୁହୁଡ଼ି, ୟେଲୋ ୱାର୍ଣ୍ଣିଂ ଜାରି ଏହା ମଧ୍ୟ ପଢ଼ନ୍ତୁ...୫ ଦିନ ପରେ ପୁଣି ଶୀତ, ଘନ କୁହୁଡ଼ି ନେଇ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ |
- କେଉଁଠି କେତେ ତାପମାତ୍ରା :
ଗତ ୨୪ ଘଣ୍ଟା ମଧ୍ୟରେ ପାହାଡ଼ିଆ ଅଞ୍ଚଳ ଭାବରେ ଜି.ଉଦୟଗିରିରେ ସର୍ବନିମ୍ନ ୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ସମତଳ ଅଞ୍ଚଳ ଭାବରେ ଫୁଲବାଣୀରେ ୮.୦ ଡିଗ୍ରୀ ରେକର୍ଡ କରାଯାଇଛି । ଅନ୍ୟପଟେ ନୂଆପଡ଼ାରେ ସର୍ବାଧିକ ୩୨.୦ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର