ବ୍ରହ୍ମପୁର: ରାଜ୍ୟରେ ବୃଦ୍ଧି ହେବ ଅବକାରୀ ବିଭାଗର ଶକ୍ତି ଓ କାର୍ଯ୍ୟଦକ୍ଷତା । ନୂତନ ଅବକାରୀ ଆଇନ୍ ଏବଂ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ସହ ମଦ ଓ ଗଞ୍ଜେଇ ପରି ଅଭ୍ୟାସଗତ ନିଶା ବେପାରୀ ଓ ମାଫିଆଙ୍କ ସମ୍ପତ୍ତି ବାଜ୍ୟାପ୍ତି କରାଯିବ । ଏ ଦିଗରେ ଅବକାରୀ ବିଭାଗ ସହିତ ପୋଲିସ ବିଭାଗ ମଧ୍ୟ ସମନ୍ବିତ ଭାବେ କାମ କରିବ । ଏଥିପାଇଁ ଏକ ସମନ୍ବିତ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ କରିଛି ରାଜ୍ୟ ଅବକାରୀ ବିଭାଗ ।
- ଅବକାରୀ ବିଭାଗର କର୍ମଶାଳା, ସାମିଲ ହେଲେ ମନ୍ତ୍ରୀ
ଗଞ୍ଜାମ ଜିଲ୍ଲାର ସୁନାପୁର ଇକୋ-ରିଟ୍ରିଟରେ ଅବକାରୀ ବିଭାଗର ସମ୍ପର୍କିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥିରେ ରାଜ୍ୟ ଅବକାରୀ ଓ ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନଙ୍କ ସମେତ ଅବକାରୀ କମିଶନର ନରସିଂହ ଭୋଳ, ଅବକାରୀ ବିଭାଗର ସଚିବ ଗୁହା ତାପସ ପୁନମଙ୍କ ସମେତ ବିଭାଗର ପ୍ରତ୍ୟେକ ଜିଲ୍ଲାର ଅଧୀକ୍ଷକ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ଏପରିକି ଆମ ରାଜ୍ୟରେ ଅବକାରୀ ବିଭାଗର ଆଇନ ଏବଂ ତାର କାର୍ଯ୍ୟକାରିତା ଏବଂ ପୋଡଶୀ ଆନ୍ଧ୍ର ପ୍ରଦେଶର ରାଜ୍ୟର ଅବକାରୀ ବିଭାଗର କାର୍ଯ୍ୟଧାରା ଓ ଆଇନ ବ୍ୟବସ୍ଥା ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା ।
- ପ୍ରଶିକ୍ଷଣ ହେଲେ ନାର୍କୋଟିକ୍ସ ବିଶେଷଜ୍ଞ
ରାଜ୍ୟରେ ଅବକାରୀ ବିଭାଗ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ସହିତ ଗଞ୍ଜେଇ ବେପାରୀଙ୍କ ସମ୍ପତ୍ତି ଯେପରି ବାଜ୍ୟାପ୍ତି କରିହେବ, ସେ ନେଇ ନାରକୋଟିକ୍ ବିଭାଗ ତରଫରୁ ଆସିଥିବା ବିଶେଷଜ୍ଞମାନେ ତାଲିମ ଦେଇଥିଲେ । ସେହିପରି ଆଦିବାସୀବହୁଳ ଓ ଅପହଞ୍ଚ ଇଲାକାରେ ଗଞ୍ଜେଇ ଓ ମଦ ବେପାର କରୁଥିବା ଲୋକଙ୍କୁ ବୁଝାସୁଝା କରି ଅନ୍ୟ ରୋଜଗାରର ମାଧ୍ୟମ ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।
ଏହା ମଧ୍ୟ ପଢନ୍ତୁ:- |
ନୂତନ ଅବକାରୀ ଆଇନ ସହିତ ଆନ୍ଧ୍ର ଅବକାରୀ ଆଇନ ଉପରେ ମଧ୍ୟ ଏଥିରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ଶ୍ରବଣ ବିବେକ ଏମଙ୍କ ସମେତ ଅବକାରୀ ବିଭାଗର ବହୁ ପ୍ରମୁଖ ଅଧିକାରୀମାନଙ୍କ ସହିତ ଅବକାରୀ ବିଭାଗର ସମସ୍ତ ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ମୁଖ୍ୟତଃ ଅବକାରୀ ଆଇନ ଉପରେ ଅଧିକ ଜ୍ଞାନ ଆହରଣ, ଅବକାରୀ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି ସହିତ ଚୋରା ମଦ ଓ ଗଞ୍ଜେଇ ଚାଲାଣ ରୋକିବା ଉପରେ ବିଶେଷ ପ୍ରଭାବ ପକାଇବ ବୋଲି ଅବକାରୀ ମନ୍ତ୍ରୀ କହିଛନ୍ତି । ଉଭୟ ବ୍ରହ୍ମପୁର ଓ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକଙ୍କ ନିଜ ଅଭିଭାଷଣରେ ଉପସ୍ଥିତ ଅବକାରୀ ବିଭାଗ ଅଫିସରଙ୍କୁ ତଦନ୍ତର ବିଭିନ୍ନ ଦିଗ ବୁଝାଇବା ସହିତ ଉତ୍ସାହିତ କରିଥିଲେ ।
ଇଟିଭି ଭାରତ, ବ୍ରହ୍ମପୁର