ଅମରାବତୀ: ପୂର୍ଣ୍ଣିମା ଆସିଲେ ଖାଲି ହୋଇଯାଏ ଗାଁ । ସମସ୍ତଙ୍କ କବାଟରେ ତାଲା । କାଉ କୋଇଲି କାହାର ଦେଖା ନାହିଁ । ସକାଳ ହେଲେ ନା କୁକୁଡା ରାବ ଦିଏ ନା ସଞ୍ଜ ନଇଁଲେ ଗୁହାଳକୁ ଫେରନ୍ତି ଗାଇଗୋରୁ । ମୃତ ପାଲଟିଯାଏ ସବୁଦିନ ଜିଇଁ ଉଠୁଥିବା ଏହି ଗାଁ । ପ୍ରତିବର୍ଷ ଏହି ଗାଁରେ ଏଭଳି ପରମ୍ପରା ଦେଖିବାକୁ ମିଳେ । ଶହ ଶହ ବର୍ଷରୁ ଏଭଳି ପରମ୍ପରା ପାଳି ଆସୁଛନ୍ତି ଗ୍ରାମବାସୀ । ତଲାରିଚେରୁଭୁ ଗାଁରେ ଦେଖିବାକୁ ମିଳିଛି ଏଭଳି ଅଜବ ପରମ୍ପରା ।
- ମାଘ ପୂର୍ଣ୍ଣିମାରେ ଗାଁ ଖାଲି
ଆନ୍ଧ୍ର ପ୍ରଦେଶର ତଡିପାତରିରୁ 11 କିଲୋମିଟର ଦୂରରେ ରହିଛି ତଲାରିଚେରୁଭୁ ଗାଁ । ପ୍ରତିବର୍ଷ ମାଘ ପୂର୍ଣ୍ଣିମାରେ ଗାଁ ଛାଡି ଚାଲିଯାଆନ୍ତି ଗ୍ରାମବାସୀ । ଦୀର୍ଘ 500 ବର୍ଷ ଧରି ଗ୍ରାମବାସୀ ଏହି ପରମ୍ପରା ପାଳି ଆସୁଛନ୍ତି । ପରମ୍ପରା ଅନୁସାରେ ପୂର୍ଣ୍ଣିମା ରାତିରେ ତଲାରିଚେରୁଭୁ ଗାଁର ପ୍ରତି ଘରେ ତାଲା ପଡିଯାଏ । ଘର ଖାଲି କରି ଅନ୍ୟତ୍ର ଚାଲି ଯାଆନ୍ତି ଗ୍ରାମବାସୀ । କେବଳ ସେମାନେ ନୁହନ୍ତି ନିଜ ଗୃହପାଳିତ ପଶୁଙ୍କୁ ବି ସାଙ୍ଗରେ ନେଇ ଚାଲିଯାଆନ୍ତି । ଗାଈ, ମଇଁଷି, କୁକୁଡା ସମସ୍ତେ ଗ୍ରାମବାସୀଙ୍କ ସହ ଗାଁ ଛାଡନ୍ତି । ପୂର୍ଣ୍ଣିମା ସରିବା ପର୍ଯ୍ୟନ୍ତ ସମସ୍ତେ ଗାଁ ଛାଡି ବାହାରେ ରୁହନ୍ତି । ଏଭଳି ଅଦ୍ଭୁଦ ପରମ୍ପରା ଯୋଗୁଁ ସମ୍ପୂର୍ଣ୍ଣ ଖାଲି ହୋଇଯାଏ ଗାଁ । ରାତିରେ ଖାଁ ଖାଁ ଗାଁ ଦାଣ୍ଡ । ପୂର୍ଣ୍ଣିମା ରାତିରେ ବି ଗାଁ ଦାଣ୍ଡରେ ଅମା ଅନ୍ଧାର ଘୋଟିଆସେ । ଚାରିଆଡେ ଶୂନଶାନ, ନିର୍ଜନତାର ରାଜୁତି।
- ଦରଘାରେ ରାତି ବିତାଇଲେ ଗ୍ରାମବାସୀ
ଏହି ପରମ୍ପରାକୁ ଶହଶହ ବର୍ଷ ଧରି ପାଳି ଆସୁଛନ୍ତି ଗ୍ରାମବାସୀ । ଏବର୍ଷ ବି ଫେବୃଆରୀ 12ରେ ପଡିଥିଲା ମାଘ ପୂର୍ଣ୍ଣିମା । ଗ୍ରାମବାସୀ ମାନେ ହଜିୱଲି ଦରଘାରେ ରାତି ବିତାଇଥିଲେ । ଗାଁ ଠାରୁ କିଛି ଦୂରରେ ଥିବା ଏହି ଦରଘାରେ ଗ୍ରାମବାସୀ ପହଞ୍ଚି ରୋଷେଇ କରି ଖାଇବା ପିଇବା ସହ ମଉଜ ମଜଲିସ କରିଥିଲେ । ଏବର୍ଷ ଘରଠୁ ଦୂରରେ ରହି ଏକ ପର୍ବ ଭଳି ପାଳିଥିଲେ ଗ୍ରାମବାସୀ । ଗୋଟିଏ ଜାଗାରେ ଗ୍ରାମବାସୀ ଏକତ୍ରିତ ହୋଇ ଉତ୍ସବ ଭଳି ସେଲିବ୍ରେଟ କରିଥିଲେ । ଆଜିକାଲିର ସମୟରେ ସମସ୍ତେ ବ୍ୟସ୍ତତା ଭିତରେ ରହୁଥିବାବେଳେ ଏହି ପରମ୍ପରା ଏକାଠି ହେବା ପାଇଁ ସୁଯୋଗ ଦେଉଥିବା କେତେକ ଗ୍ରାମବାସୀ କହିଛନ୍ତି ।