ନୂଆଦିଲ୍ଲୀ:ନିର୍ବାଚନୀ ଡେବ୍ୟୁ କରିବାକୁ ଯାଉଛନ୍ତି ବିଜେପିର ଦିବଙ୍ଗତ ବରିଷ୍ଠ ମହିଳା ନେତ୍ରୀ ତଥା ପୂର୍ବତନ ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ଝିଅ ବାଂସୁରୀ ସ୍ବରାଜ । ଆଜି ପ୍ରଥମ ପର୍ଯ୍ୟାୟରେ ଜାରି ତାଲିକାରେ ବାଂସୁରୀଙ୍କୁ ଦଳ ନୂଆଦିଲ୍ଲୀ ସଂସଦୀୟ ଆସନରୁ ଟିକେଟ ଦେଇଛି । କେନ୍ଦ୍ରଶାସିତ ଅଞ୍ଚଳ ତଥା ରାଜଧାନୀ ଦିଲ୍ଲୀରେ ମୋଟ 7 ସଂସଦୀୟ ଆସନ ଥିବା ବେଳେ ସମସ୍ତ ଆସନ ଏବେ ବିଜେପି ଖାତାରେ ରହିଛି । ଆଜି ଦଳ 7 ଆସନରୁ 5 ଆସନରେ ପ୍ରାର୍ଥୀ ଘୋଷଣା କରିଛି । ଏଥିମଧ୍ୟରେ 4ଟି ଆସନରେ ବର୍ତ୍ତମାନର ସାଂସଦଙ୍କ ଟିକେଟ କଟିଛି । ଅନ୍ୟପଟେ ଅନ୍ୟ ଦଇ ଆସନ ପୂର୍ବ-ଦିଲ୍ଲୀ ଓ ଉତ୍ତର ପଶ୍ଚିମ ଦିଲ୍ଲୀ ଆସନରେ ପ୍ରାର୍ଥୀ ଘୋଷଣା ହୋଇନି । ପୂର୍ବ ଦିଲ୍ଲୀରୁ ସାଂସଦ ଥିବା ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଗୌତମ ଗମ୍ଭୀର ଏଥର ନିର୍ବାଚନ ଲଢିବାକୁ ଅନିଚ୍ଛା ପ୍ରକାଶ କରି ପାର୍ଟିକୁ ଅବଗତ କରିସାରିଛନ୍ତି ।
ବାଂସୁରୀଙ୍କ ସମ୍ପର୍କରେ...
ବାଂସୁରୀ ଜଣେ ଯୁବ ଆଇନଜୀବୀ । ଲଣ୍ଡନରେ ଆଇନରେ ଉଚ୍ଚଶିକ୍ଷା ଶେଷ କରିବା ପରେ ସେ 2007 ରୁ ସୁପ୍ରିମକୋର୍ଟରେ ଆଇନ ପ୍ରାକ୍ଟିସ ଜାରି ରଖିଛନ୍ତି । ସେ ପୂର୍ବରୁ ମଧ୍ୟ ଭାରତୀୟ ଜନତା ପାର୍ଟି ସହ ରହିଛନ୍ତି । ଗତବର୍ଷ ସେ ବିଜେପିରେ ସାମିଲ ହେବା ପରେ ତାଙ୍କୁ ଦଳ ଲିଗାଲ ସେଲର ଆବାହକ ଭାବେ ଦାୟିତ୍ବ ଦେଇଛି । ଦିଲ୍ଲୀ ସେବା ସଂଶୋଧନ ବିଲ ଆଗତ ସମୟରେ ବାଂସୁରୀ କେଜ୍ରିଓ୍ବାଲ ସରକାରଙ୍କୁ କଡା ସମାଲୋଚନା କରି ଟାର୍ଗେଟ କରିଥିଲେ । ଏକାଧିକ ଆଇନଗତ ପ୍ରସଙ୍ଗରେ ସେ ଦଳରୁ ଦୃଢତାର ସହ ପ୍ରତିନିଧିତ୍ବ କରିଛନ୍ତି । ଗତବର୍ଷ ଦଳରେ ସାମିଲ ହୋଇଥିବା ବାଂସୁରୀଙ୍କୁ ଚଳିତଥର ନିର୍ବାଚନୀ ଏଣ୍ଟ୍ରି କରିବାକୁ ଦଳ ସୁଯୋଗ ଦେଇଛି ।