ନୂଆଦିଲ୍ଲୀ:ସୁପ୍ରିମକୋର୍ଟରୁ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସୁପ୍ରିମ ଆଶ୍ବସ୍ତି । ବହୁ ଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କୁ ମିଳିଲା ବେଲ୍ । ସିବିଆଇ ଦ୍ୱାରା ପଞ୍ଜିକୃତ ହୋଇଥିବା ମାମଲାରେ ଜାମିନ ପ୍ରଦାନ କଲେ ସର୍ବୋଚ୍ଚ ନ୍ୟାୟାଳୟ । ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ମାମଲାରେ ଜାମିନ ପାଇଥିଲେ କେଜ୍ରିୱାଲ । ଆଜି 2 ଟି ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ପ୍ରଥମ ଆବେଦନରେ ସିବିଆଇ ଗିରଫଦାରୀକୁ ବୈଧ ବୋଲି କହିଥିଲେ ସୁପ୍ରିମକୋର୍ଟ । ଦ୍ବିତୀୟ ଆବେଦନର ଶୁଣାଣି କରି କେଜ୍ରିଓ୍ବାଲଙ୍କୁ ଜାମିନ ପ୍ରଦାନ କରିଥିଲେ । ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଭୂୟାଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଜାମିନ ପ୍ରଦାନ କରିଛନ୍ତି।
177 ଦିନ ପରେ ଜେଲରୁ ବାହାରିବେ କେଜ୍ରିଓ୍ବାଲ: 177 ଦିନ ପରେ ତିହାର ଜେଲରୁ ମୁକୁଳିବେ ଅରବିନ୍ଦ କେଜ୍ରିଓ୍ବାଲ । ଜୁଲାଇ 12 ତାରିଖରେ ଇଡି ମାମଲାରେ ବେଲ ପ୍ରଦାନ କରିଥିଲେ ସୁପ୍ରିମକୋର୍ଟ । ଜାମିନ୍ ମିଳିବା ପରେ ମଧ୍ୟ ସେ ଜେଲରୁ ମୁକୁଳି ପାରିନଥିଲେ । କାହିଁକିନା ସେ ସିବିଆଇ ମାମଲା ବିଚାରଧୀନ ରହିଥିଲା । ତେଣୁ ଇଡି ମାମଲାରେ ଜାମିନ ପାଇବା ପରେ ମଧ୍ୟ ସିବିଆଇ ମାମଲା ଥିବାରୁ ସେ ଜେଲରୁ ବାହାରି ପାରିନଥିଲେ ।
ଜଷ୍ଟିସ ଭୂୟାଂ କହିଛନ୍ତି, ''ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ମାମଲାରେ ପୂର୍ବରୁ ଜାମିନ ପ୍ରଦାନ କରାଯାଇଛି ଏବଂ ସିବିଆଇ ମାମଲାରେ ତାଙ୍କୁ ଜେଲରେ ରଖିବା ଅନିରବାଜ୍ୟ ଅଟେ । ଜାମିନ ହେଉଛି ନିୟମ ଏବଂ ଜେଲ୍ ଏହାର ବ୍ୟତିକ୍ରମ। ବିଚାର ପ୍ରକ୍ରିୟା କିମ୍ବା ଗିରଫଦାରୀ ପଦକ୍ଷେପରେ ଉତପିଡନ ହେବା ଉଚିତ ନୁହେଁ। ସିବିଆଇର ଗିରଫ ଦାରୀ ଅନୁଚିତ ଅଟେ । ତେଣୁ କେଜ୍ରିୱାଲଙ୍କୁ ତୁରନ୍ତ ମୁକ୍ତ କରାଯିବା ଉଚିତ । ''
କେଜ୍ରିଓ୍ବାଲଙ୍କୁ ଜାମିନ ଦେବା ଉପରେ କୋର୍ଟ କିଛି ସର୍ତ୍ତ ରଖିଛନ୍ତି, ସେଗୁଡି ହେଲା...
- ଜେଲରୁ ବାହାରିବା ପରେ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ଯାଇପାରିବେ ନାହିଁ
- ଏହି ମାମଲା ସହ ଜଡିତ କୌଣସି ଆଲୋଚନା ବାହାରେ କରିବେ ନାହିଁ
- ତଦନ୍ତରେ ବାଧା ସୃଷ୍ଟି କରିବାକୁ କିମ୍ବା ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିବେ ନାହିଁ
- ଆବଶ୍ୟକ ପଡିଲେ ସେ ଟ୍ରାଏଲ କୋର୍ଟରେ ହାଜର ହେବେ ଏବଂ ତଦନ୍ତରେ ସହଯୋଗ କରିବେ
କେଜ୍ରିଓ୍ବାଲଙ୍କ ଦୁଇଟି ଆବେଦନର ଶୁଣାଣି:
ପ୍ରଥମ ଆବେଦନ -ଅରବିନ୍ଦ କେଜ୍ରିୱାଲ ସିବିଆଇ ଗିରଫଦାରୀ ବିରୋଧରେ ଏକ ପିଟିସନ ଦାଖଲ କରିଥିଲେ। ଏଥିରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଗିରଫ ନିୟମ ଅନୁଯାୟୀ ହୋଇଛି ।