ଲକ୍ଷ୍ନୌ:ରାମନବମୀରେ ମଧ୍ୟାହ୍ନ (୧୨.୦୦ଟା)ରେ ରାମଲାଲାଙ୍କ ମସ୍ତକରେ ପଡ଼ିବ ସୂର୍ଯ୍ୟକିରଣ । ଅଯୋଧ୍ୟାରେ ବିରାଜମାନ ପ୍ରଭୁ ଶ୍ରୀରାମଙ୍କ ମସ୍ତକାଭିଷେକ କରିବ ଏହି ସୂର୍ଯ୍ୟ କିରଣ । ରାମମନ୍ଦିରର ତୃତୀୟ ମହଲାରେ ସ୍ଥାପିତ କରାଯାଇଛି ଆପ୍ଟୋ ମେକାନିକାଲ ସିଷ୍ଟମ । ଯେଉଁଠୁ ଦର୍ପଣ ଉପରେ ପଡୁଥିବା ସୂର୍ଯ୍ୟକିରଣ ପ୍ରତିଫଳିତ ହୋଇ ଭର୍ଟିକାଲ ପାଇପ ଜରିଆରେ ଆସି ରାମଲାଲାଙ୍କ ମସ୍ତକରେ ପଡିବ । ଏଥିପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ତେବେ ରାମଲାଲାଙ୍କ ମସ୍ତକରେ ପାଖାପାଖି ୫ ମିନିଟ ଧରି ପଡ଼ିବ ସୂର୍ଯ୍ୟକରଣ । ଏହି ଗୋଲାକାର ତିଲକର ଆକାର ୭୫ ମିଲିମିଟର ରହିବ ।
ରାମ ମନ୍ଦିର ଗର୍ଭଗୃହରେ ସୂର୍ଯ୍ୟ କିରଣ ପହଞ୍ଚାଇବା ନେଇ ଗତ ୧୫ ଦିନ ଧରି ଜୋରସୋରରେ ପ୍ରସ୍ତୁତି ଚାଲିଥିଲା । ଏଥିରେ ସେଣ୍ଟ୍ରାଲ ବିଲଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ, ରୁରକିର ବୈଜ୍ଞାନିକମାନେ ନିୟୋଜିତ ରହିଥିଲେ । ସୂର୍ଯ୍ୟକିରଣ ପାଇଁ ରିଫ୍ଲେକ୍ଟର, ଦୁଇଟି ଦର୍ପଣ, ତିନୋଟି ଲେନ୍ସ ଏବଂ ଭର୍ଟିକାଲ ପାଇପ ଯୋ ଗେ ମାର୍ଗ ପରିବର୍ତ୍ତନ ନେଇ ସଫଳ ପରୀକ୍ଷଣ ହୋଇଛି । ପ୍ରଥମେ ତୃତୀୟ ମହଲାରେ ଏକ ରିଫ୍ଲେକ୍ଟର ବକ୍ସ ଲଗାଯାଇଛି । ଯାହା ମୁଖ୍ୟ ଲେନ୍ସ ଭାବେ କାମ କରିବ । ବିନା ବିଦ୍ୟୁତରେ ଏହା ୧୯ ଗିୟରରେ କାମ କରିବ ବୋଲି କୁହାଯାଇଛି ।