ନୂଆଦିଲ୍ଲୀ:ରାଜ୍ୟସଭା ସାସଂଦ ଭାବେ ଶପଥ ନେଲେ କଂଗ୍ରେସ ଭେଟେରାନ ତଥା ଦଳର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ରାଜସ୍ଥାନରୁ ରାଜ୍ୟସଭା ସଂସଦ ଭାବେ ଶପଥ ନେଇଛନ୍ତି । ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେ, ପ୍ରିୟଙ୍କା ଗାନ୍ଧୀ ଏବଂ ରବର୍ଟ ଭଦ୍ରା ତାଙ୍କ ସହ ରହିଥିଲେ । ତେବେ ସୋନିଆ ଗାନ୍ଧୀଙ୍କ ବ୍ୟତୀତ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଅନ୍ୟ 14 ନେତା ରାଜ୍ୟସଭା ସାଂସଦ ଭାବରେ ଶପଥ ଗ୍ରହଣ କରିଛନ୍ତି । ଉପରାଷ୍ଟ୍ରପତି ଜଗଦୀପ ଧନଖଡ ନୂତନ ସଂସଦ ଗୃହରେ ଏହି ସମସ୍ତ ନେତାଙ୍କୁ ଶପଥ ପାଠ କରାଇଛନ୍ତି । ଗୋଟିଏ ପଟେ ସୋନିଆ ଗାନ୍ଧୀ ରାଜସ୍ଥାନରୁ ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କରିଥିବା ବେଳେ ଅନ୍ୟପଟେ ଅଶ୍ବିନୀ ବୈଷ୍ଣବ ଓଡିଶାରୁ ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି ।
କର୍ଣ୍ଣାଟକରୁ କଂଗ୍ରେସ ନେତା ଅଜୟ ମାକେନ୍, ଉତ୍ତରପ୍ରଦେଶରୁ ବିଜେପି ନେତା ଆରପିଏନ୍ ସିଂ, ପଶ୍ଚିମବଙ୍ଗର ବିଜେପି ସଦସ୍ୟ ସମିକ ଭଟ୍ଟାଚାର୍ଯ୍ୟ ରାଜ୍ୟସଭା ସାଂସଦ ଭାବରେ ଶପଥ ଗ୍ରହଣ କରିଛନ୍ତି । YSRCPର ଗୋଲା ବାବୁ, ମେଧା ରଘୁନାଥ ରେଡ୍ଡୀ, ୟେରମ୍ ଭେଙ୍କଟା ସୁବା ରେଡ୍ଡୀ ଆନ୍ଧ୍ରପ୍ରଦେଶର ପ୍ରତିନିଧିତ୍ୱ କରୁଥିବା ସଦସ୍ୟ ଭାବରେ ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣ ସମାରୋହ ପରେ ସମସ୍ତେ ମଧ୍ୟ ରାଜ୍ୟସଭା ଅଧ୍ୟକ୍ଷଙ୍କ ସହ ଫଟୋ ଉଠାଇଥିବା ନଜର ଆସିଛନ୍ତି । ଯଦି ଓଡିଶା କଥା ଦେଖିବା 3 ଆସନରେ ପ୍ରାର୍ଥୀମାନେ ନିର୍ଦ୍ବନ୍ଦ୍ବରେ ବିଜୟୀ ହୋଇଥିଲେ । 3 ପ୍ରାର୍ଥୀଙ୍କ ମଧ୍ୟରେ ବିଜେପି ପ୍ରାର୍ଥୀ ତଥା ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ଥିଲେ । ରାଜ୍ୟରେ ଚଳିତ ପର୍ଯ୍ୟାୟରେ ମୋଟ 3 ଆସନ ଖାଲି ହେଉଥିବା ବେଳେ ଶାସକ ବିଜୁ ଜନତା ଦଳ (ବିଜେଡି) 2 ଆସନରେ ପ୍ରାର୍ଥୀ ଦେଇଥିଲା । ତୃତୀୟ ଆସନରେ ବିଜେପି ପ୍ରାର୍ଥୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ଘୋଷଣା କରିଥିଲା ।