ଲକ୍ଷ୍ନୌ: ଉତ୍ତରପ୍ରଦେଶର ଚୌଧୁରୀ ଚରଣ ସିଂହ ବିମାନ ବନ୍ଦରରୁ ସୁନା ଚୋରା ଚାଲାଣର ଏକ ଅଜବ ତରିକା ସାମ୍ନାକୁ ଆସିଛି । ପ୍ରାଇଭେଟ ଭିତରେ ଚାଲାଣ ହେଉଥିଲା ସୁନା । ବିଦେଶରୁ ୧୨ ଜଣ ତସ୍କର ନିଜର ମଳାଶୟ ଭିତରେ ୨ କୋଟି ମୂଲ୍ୟର ସୁନା ଲୁଚାଇ ଆଣିଥିଲେ । ଏୟାରପୋର୍ଟରେ ସ୍କ୍ରିନିଂ ବେଳେ ସେମାନଙ୍କ ମଳାଶୟରେ ସୁନା ଥିବା ଜଣାପଡିଥିଲା । ଏହାପରେ ପୋଲିସ ସମସ୍ତଙ୍କୁ ଗିରଫ କରିନେଇଛି । ଜବତ ସୁନାର ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।
ପୋଲିସ ସୂଚନା ଅନୁସାରେ, ଶନିବାର ସକାଳ ସାଢେ ୭ଟା ବେଳେ ଅଲଗା ଅଲଗା ବିମାନରେ ୧୨ ଜଣ ଯାତ୍ରୀ ଚୌଧୁରୀ ଚରଣ ସିଂହ ବିମାନ ବନ୍ଦରରେ ପହଞ୍ଚିଥିଲେ । ସମସ୍ତଙ୍କର ସ୍କ୍ରିନିଂ କରାଯାଇଥିଲା । ଏଥିରେ ଯାତ୍ରୀମାନଙ୍କ ମଳାଶୟରେ ସୁନା ଥିବାର ଜଣାପଡିଥିଲା । ଏହାସତ୍ତ୍ବେ କଷ୍ଟମ ଅଧିକାରୀମାନେ ବିମାନ ବନ୍ଦରରେ ସେମାନଙ୍କୁ ଧରି ପାରିନଥିଲେ । ତେଣୁକରି କଷ୍ଟମ ଅଧିକାରୀ ସରୋଜିନୀ ନଗର ପୋଲିସକୁ ସୂଚନା ଦେଇଥିଲେ ଯେ, ବିମାନରେ ଆସିଥିବା ୧୨ ଜଣ ତସ୍କର ଚୋରାରେ ସୁନାରେ ଆଣିଛନ୍ତି । ସେମାନେ ଏବେ ଏୟାରପୋର୍ଟ ବିଲ୍ଡିଂରୁ ବାହାରୁଛନ୍ତି । ଏହାପରେ ପୋଲିସ ସମସ୍ତ ସନ୍ଦିଗ୍ଧମାନଙ୍କୁ କାବୁ କରି ନେଇଥିଲା । ପଚାରଉଚରା ବେଳେ ସେମାନେ ରାମପୁର ଜିଲ୍ଲାର ହୋଇଥିବା ଜଣାପଡିଥିଲା ।